ନୂଆଦିଲ୍ଲୀ: ଡିସେମ୍ବର ପ୍ରଥମ ସପ୍ତାହରେ ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାର ସମ୍ଭାବନା ରହିଛି । ଏହି ଅଧିବେଶନରେ ସୀମା ପୁନଃନିର୍ଦ୍ଧାରଣ (Delimitation) ସହ ମହିଳା ସଂରକ୍ଷଣ ବିଲ୍‌କୁ ପାରିତ କରିବାକୁ କେନ୍ଦ୍ର ସରକାର ଜୋର ଲଗାଇପାରନ୍ତି । ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ସଂସଦ ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ଉଦ୍ଦେଶ୍ୟରେ ସରକାର ଏହି ସମ୍ବିଧାନ ସଂଶୋଧନ ବିଲ୍‌ ଆଣିବାକୁ ଯାଉଛନ୍ତି । ଏହି ବିଲ୍‌ ଜରିଆରେ ଲୋକସଭାର ଆସନ ସଂଖ୍ୟାକୁ ବର୍ତ୍ତମାନର ୫୪୩ରୁ ସର୍ବାଧିକ ୮୫୦କୁ ବୃଦ୍ଧି କରିବାର ପ୍ରସ୍ତାବ ରହିଛି । 

ଡିସେମ୍ବର ପ୍ରଥମ ସପ୍ତାହରେ ଅଧିବେଶନ ବସିବା ନେଇ ଆଲୋଚନା ଚାଲିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ସେପଟେ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାରିତ କରିବା ପାଇଁ ସରକାରଙ୍କ ଆଗରେ ଏକ ବଡ଼ ଆହ୍ୱାନ ରହିଛି । ସମ୍ବିଧାନ ସଂଶୋଧନ ବିଲ୍‌ ପାସ୍ ହେବା ପାଇଁ ଲୋକସଭାରେ ୩୬୧ଟି ଭୋଟ୍‌ର ଆବଶ୍ୟକତା ରହିଛି । ବର୍ତ୍ତମାନ ତିନୋଟି ଆସନ ଖାଲି ଥିବାରୁ ଗୃହର ସଦସ୍ୟ ସଂଖ୍ୟା ୫୪୦ ରହିଛି । ଶାସକ ଏନଡିଏ ମେଣ୍ଟ ପାଖରେ ୩୨୦ ଜଣ ସାଂସଦ ଥିବାରୁ ବିଲ୍‌ ପାରିତ କରିବା ପାଇଁ ସରକାରଙ୍କୁ ବିରୋଧୀ ଦଳଗୁଡ଼ିକର ସମର୍ଥନ ଦରକାର । 

 ଅନ୍ୟପଟେ, ଏସଆଇଆର ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳଗୁଡ଼ିକ ଆନ୍ଦୋଳନକୁ ଜୋରଦାର କରିଛନ୍ତି । ଶୀତକାଳୀନ ଅଧିବେଶନରେ ମଧ୍ୟ ବିରୋଧୀ ଏହି ପ୍ରସଙ୍ଗକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ କରିବାର ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ସରକାରଙ୍କୁ ବିରୋଧୀଙ୍କ ସମର୍ଥନ ମିଳିବା ମୁସକିଲ ହୋଇପାରେ । ସେହିଭଳି ହଟ୍ଟଗୋଳ ହେଲେ ବିଲ୍‌ ପାରିତ ହେବା ସମ୍ଭବ ହୋଇନପାରେ । 

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୧୩ ତାରିଖରେ ମୌସୁମୀ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଥିଲେ ମଧ୍ୟ ସରକାର ଏହାକୁ ଆନୁଷ୍ଠାନିକ ଭାବରେ ସ୍ଥଗିତ କରିନାହାନ୍ତି । ଗୃହକୁ ୯୪ ଦିନ ଧରି ଏଭଳି ଖୋଲା ରଖିବା ଦ୍ୱାରା ସରକାର ୨୦୦୮ ମସିହାର ୮୭ ଦିନର ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି । ସ୍ୱଳ୍ପ ନୋଟିସ୍‌ରେ ସ୍ୱତନ୍ତ୍ର କିମ୍ବା ବର୍ଦ୍ଧିତ ଅଧିବେଶନ ଡାକି ଏହି ବିଲ୍‌ ଆଣିବା ପାଇଁ ସରକାର ଏଭଳି ରଣନୀତି ଆପଣାଇଥିଲେ । 

ସୀମା ପୁନଃନିର୍ଦ୍ଧାରଣକୁ ନେଇ ବିଶେଷ କରି ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ଆଶଙ୍କାକୁ ଦୂର କରିବା ପାଇଁ ସରକାର ଏକ ନୂଆ ଫର୍ମୁଲା ଉପରେ ବିଚାର କରୁଛନ୍ତି । ଏହି ପ୍ରସ୍ତାବିତ ଢାଞ୍ଚା ଅନୁଯାୟୀ, ୧୯୭୧ ଜନଗଣନା ଆଧାରରେ ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ବର୍ତ୍ତମାନର ଆସନ ଭାଗବଣ୍ଟା ଅନୁପାତକୁ ଅପରିବର୍ତ୍ତିତ ରଖି ସବୁ ରାଜ୍ୟରେ ଲୋକସଭା ଆସନ ସଂଖ୍ୟାକୁ ୫୦ ପ୍ରତିଶତ ବୃଦ୍ଧି କରାଯାଇପାରେ । ହେଲେ ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ ।  ଏହା ପୂର୍ବରୁ ଏପ୍ରିଲ ୧୭ ତାରିଖରେ ବସିଥିବା ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍‌ ଆବଶ୍ୟକୀୟ ସଂଖ୍ୟା ହାସଲ କରିବାରେ ବିଫଳ ହୋଇଥିଲା । ତେଣୁ ଆଗାମୀ ଶୀତକାଳୀନ ଅଧିବେଶନରେ ସରକାର ଏହି ଗୁରୁତ୍ବପୂର୍ଣ୍ଣ ବିଲ୍‌ ପାସ୍‌ କରାଇବାକୁ ବେଶ ଆଶାବାଦୀ ଅଛନ୍ତି ।