ମୁମ୍ବାଇ: ନେଟଫ୍ଲିକ୍ସରେ ଶୁକ୍ରବାର ରିଲିଜ ହୋଇଥିବା ସୋ ‘ଇଣ୍ଡିଆଜ ଗଟ ଲାଟେଣ୍ଟ’ ସିଜିନ-୨ର ଏକ ଇପିସୋଡ ଏବେ ବିବାଦରେ ଘେରି ଯାଇଛି। ଏଥର କମେଡିୟାନ ସମୟ ରୈନା ତାଙ୍କର ଏକ ଟିପ୍ପଣୀକୁ ନେଇ ଲୋକଙ୍କ ଟାର୍ଗେଟକୁ ଆସିଛନ୍ତି। ସୋ ରେ ସେ ସଲମା ଦିବାନୀ ଭୂମିକାରେ ପରଫର୍ମ କରିଥିବା କଣ୍ଟେଷ୍ଟାଣ୍ଟ ଭାଗ୍ୟଶ୍ରୀ ତାର୍କେଙ୍କୁ ନେଇ ଏପରି ପରିହାସ କରିଛନ୍ତି ତାକୁ ନେଇ ଏବେ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଯାଇଛି। ଅନେକ ଲୋକ ଏହାକୁ ଧାର୍ମିକ ପରିଚୟ ସହ ଯୋଡି ଆପତ୍ତିଜନକ ଟିପ୍ପଣୀ ବୋଲି କହୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସୋ ରେ ସମୟ ରୈନା କାହାକୁ ସାଙ୍ଗରେ ନେଇ ଆସିଛ କି ବୋଲି ସଲମା ଦିବାନୀଙ୍କୁ ପଚାରିଛନ୍ତି। ଏଥିରେ ସଲମା କହିଛନ୍ତି ଯେ ସେ ମୁମ୍ବାଇ ଏକାକୀ ଆସିଛନ୍ତି, ହେଲେ ଏଠାରେ ରହୁଥିବା ତାଙ୍କ ଦାଦପୁଅ ଭାଇ ସାଙ୍ଗରେ ଅଛନ୍ତି। ପ୍ୟାନେଲରେ ଥିବା ହୁମା କ୍ୟୁରେସୀ ମଜାଳିଆ ଅନ୍ଦାଜରେ ‘କିପରି କଜିନ’ ବୋଲି ପ୍ରଶ୍ନ କରୁଛନ୍ତି। ଏହା ଉପରେ ସମୟ ରୈନା ତୁରନ୍ତ ଜବାବ ଦେଇ କହିଛନ୍ତି ‘ସ୍ୱାମୀ ହୋଇଥିବେ’। ତାଙ୍କର ଏହି କଥାଟି ବିବାଦର କାରଣ ପାଲଟିଛି। ସୋସିଆଲ ମିଡିଆରେ ଦର୍ଶକଙ୍କ କହିବା କଥା ହେଉଛି ଏହି ଟିପ୍ପଣୀ ମାଧ୍ୟରେ ମୁସଲମାନ ସମୂଦାୟକୁ ନେଇ ଏକ ପୁରୁଣା ଋଢିବାଦୀ ଚିନ୍ତାଧାରାକୁ ପ୍ରୋତ୍ସାହନ ଦିଆଯାଇଛି।

ଏହି ମାମଲାରେ ଅଲ ଇଣ୍ଡିଆ ସୁନ୍ନି ଜମିୟତ ଉଲେମାର ସାଧାରଣ ସମ୍ପାଦକ ମୌଲାନା ଖଲିଲ ରହମାନ ନୁରୀ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ ସମୟ ରୈନାଙ୍କୁ ଏପରି ଟିପ୍ପଣୀ କରିବାର ନଥିଲା। ତାଙ୍କ ଅନୁସାରେ କୌଣସି ମହିଳା କାହା ସହ ଆସିଛନ୍ତି ଓ କାହା ସହିତ ନୁହେଁ ଏହା ତାଙ୍କର ବ୍ୟକ୍ତିଗତ ମାମଲା। ଏପରି କଥାକୁ ପରିହାସର ଅଂଶ କରିବା ନୈତିକ ରୂପେ ଭୁଲ। ସେ ଏହା ବି କହିଛନ୍ତି ଯେ ଏପରି ଟିପ୍ପଣୀ ଯୋଗୁ ସମାଜକୁ ଭୁଲ ବାର୍ତ୍ତା ମଧ୍ୟ ଯାଇପାରେ ଓ ପରିସ୍ଥିତି ଖରାପ ହୋଇପାରେ।