ମୁମ୍ବାଇ: ବିଶିଷ୍ଟ ଅଭିନେତା ଅଭିମତାଭ ବଚ୍ଚନଙ୍କ ଜୀବନ ପ୍ରତି ବିପଦ ବଢ଼ିବାରେ ଲାଗିଛି । ଟାଇଗର ଶ୍ରଫଙ୍କ ଉପରେ ଆକ୍ରମଣ ପରେ, ବିଗ୍‌ ବି ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟରେ ଥିଲେ ବୋଲି ଜଣାପଡ଼ିଥିଲା । ଏବେ ବିଗ୍‌ ବିଙ୍କ ପାଇଁ ବଡ଼ ବିପଦ ପାଲଟିଛନ୍ତି ବିଦେଶୀ ଗ୍ୟାଙ୍ଗଷ୍ଟର । ଅମିତାଭ ବଚ୍ଚନଙ୍କ ମୁମ୍ବାଇସ୍ଥିତ ବାସଭବନ ଉପରେ ଆକ୍ରମଣ କରିବା ପାଇଁ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ହୋଇଥିଲା ବୋଲି ଜଣାପଡ଼ିଛି । ବିଦେଶରେ ବସିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ନିର୍ଦ୍ଦେଶରେ ଏହି ନେଟୱାର୍କ କାମ କରୁଥିବା ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ପକ୍ଷରୁ ଦିଲ୍ଲୀ ଏବଂ ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଦୁଇଜଣ ସନ୍ଦିଗ୍ଧ ସୁଟରଙ୍କୁ ଗିରଫ କରାଯିବା ପରେ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

ତଦନ୍ତରୁ ଜଣାପଡ଼ିଛି ଯେ, ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଦୀପକ ସିଂହ ଓରଫ ଦୀପ୍‌କୁ ମୁମ୍ବାଇରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଅମିତାଭ ବଚ୍ଚନଙ୍କ ଘର ବାହାରେ ଗୁଳିମାଡ଼ କରି ଆତଙ୍କ ସୃଷ୍ଟି କରିବା ପାଇଁ ତାକୁ ଦାୟିତ୍ୱ ମିଳିଥିଲା । ସୂଚନା ଅନୁଯାୟୀ, ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ସମୟରେ ବିଗ୍‌ ବି ଦେଇଥିବା କିଛି ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ଏହି ଆକ୍ରମଣ ଯୋଜନା କରାଯାଇଥିଲା । ତେବେ ଅମିତାଭ ବଚ୍ଚନ ପୂର୍ବରୁ ବାରମ୍ବାର ସ୍ପଷ୍ଟ କରିସାରିଛନ୍ତି ଯେ, ସେ ଏଭଳି କୌଣସି ମନ୍ତବ୍ୟ ଦେଇନାହାନ୍ତି ।

ପଞ୍ଜାବର ଜଳନ୍ଧର ଅଞ୍ଚଳର ୨୫ ବର୍ଷୀୟ ଯୁବକ ବିକାଶ ଠାକୁର ଓରଫ ଭିକିକୁ ପୋଲିସ ଗିରଫ କରିବା ପରେ ଏହି ମାମଲାର ତଦନ୍ତ ଅଧିକ ତ୍ୱରାନ୍ୱିତ ହୋଇଥିଲା । ଦିଲ୍ଲୀ ପୋଲିସ ଅନୁଯାୟୀ, ବିଦେଶରେ ଥିବା ଗ୍ୟାଙ୍ଗଷ୍ଟରଙ୍ ନିର୍ଦ୍ଦେଶରେ ଜଣେ ବ୍ୟବସାୟୀଙ୍କଠାରୁ ବଟି ଆଦାୟ ଉଦ୍ଦେଶ୍ୟରେ ଗୁଳି ଚଳାଇବା ପାଇଁ ବିକାଶ ମୁମ୍ବାଇରୁ ଦିଲ୍ଲୀ ଆସିଥିଲା । ଏହି କାମରେ ଦୀପକ ସିଂହ ମଧ୍ୟ ତା’ ସହ ଦିଲ୍ଲୀରେ ସାମିଲ ହେବାର ଯୋଜନା ଥିଲା । କିନ୍ତୁ ପୋଲିସ ବିକାଶକୁ କାବୁ କରିବାରେ ସଫଳ ହୋଇଥିଲା । ପରେ ତା’ଠାରୁ ମିଳିଥିବା ସୂଚନା ଆଧାରରେ ମୁମ୍ବାଇରୁ ଦୀପକକୁ ଗିରଫ କରାଯାଇଥିଲା । ଜେରା ବେଳେ ଜଣାପଡ଼ିଥିଲା ଯେ, ବିଗ୍‌ ବିଙ୍କ ଘର ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି ଚାଲିଥିବାରୁ ଦୀପକକୁ ଦୀର୍ଘ ସମୟ ଧରି ମୁମ୍ବାଇରେ ରହିବାକୁ କୁହାଯାଇଥିଲା ।

ସେପଟେ ଅମୃତସରରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମ୍ୟାଡ୍ ସାନ୍ଧୁ ହତ୍ୟାକାଣ୍ଡରେ ଦୀପକ ସିଂହର ହାତ ଥିବା ନେଇ ମଧ୍ୟ ପୋଲିସ ସନ୍ଦେହ କରୁଛି । ଏହି ହତ୍ୟାକାଣ୍ଡରେ ଦୀପକ ଏବଂ ତା’ର ସହଯୋଗୀ ପଲୱିନ୍ଦର ଓରଫ କାକାର ସମ୍ପୃକ୍ତି ଥିବା କୁହାଯାଉଛି । ଅନ୍ୟପଟେ, ଗିରଫ ବିକାଶ ଠାକୁର ଅପରାଧୀ ଗ୍ୟାଙ୍ଗଗୁଡ଼ିକୁ ବେଆଇନ ଅସ୍ତ୍ରଶସ୍ତ୍ର ଯୋଗାଇବା ସହ ଅନ୍ୟାନ୍ୟ ସହାୟତା ପ୍ରଦାନ କରୁଥିଲା । ସେ ୨୦୨୩ ମସିହାରୁ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଆସୁଥିଲା ।

Also Read: ଅମିତାଭ ବଚ୍ଚନଙ୍କ ଜୁହୁ ବଙ୍ଗଳା ‘ଜଲସା’କୁ ନେଇ ପାରିବାରିକ ବିବାଦ, ୧୯୯୩ର ଗିଫ୍ଟ ଡିଡ୍‌କୁ ଚ୍ୟାଲେଞ୍ଜ୍ କଲେ ରାମୋଲା ବଚ୍ଚନ

ବର୍ତ୍ତମାନ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି । ବିଦେଶରେ ବସିଥିବା ହ୍ୟାଣ୍ଡଲରମାନଙ୍କ ସହ ଏମାନଙ୍କର କିଭଳି ଯୋଗାଯୋଗ ଥିଲା ଏବଂ ଏହି ଅପରାଧିକ ନେଟୱାର୍କରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେ ସଂପର୍କରେ ପୋଲିସ ଆହୁରି ତଦନ୍ତ କରୁଛି । ବିଦେଶରେ ବସି, ଭାରତରେ ଆକ୍ରମଣ କରାଇବାକୁ ଗ୍ୟାଙ୍ଗଷ୍ଟରମାନେ କିଭଳି ଯୋଜନା କରୁଛନ୍ତି, ତାର ଏହା ଗୋଟିଏ ବଡ଼ ଉଦାହରଣ । ତେଣୁ ଭାରତ ସରକାର ଏବଂ ତଦନ୍ତକାରୀ ସଂସ୍ଥା ଆହୁରି ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇପଡ଼ିଛି ।