ନୂଆଦିଲ୍ଲୀ: ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଟିମ୍ ଇଣ୍ଡିଆର ବ୍ୟାଟିଂ ପ୍ରଶ୍ନ ଘରରେ ରହିଛି । ଚମତ୍କାର ଫର୍ମରେ ଥିବା ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ କୌଣସି ମ୍ୟାଚରେ ସୁଯୋଗ ଦିଆ ନଯିବାରୁ ମଧ୍ୟ ସମାଲୋଚନା ହେଉଛି । ଏବେ ଇଂଲଣ୍ଡ ବିପକ୍ଷରେ ଆଗାମୀ ଟି-୨୦ ସିରିଜରେ ସମାନ ପ୍ରସଙ୍ଗ ଉଠିଛି । ବୈଭବ ଏଥର ଡେବ୍ୟୁ କରିବେ କି ? ଏହି ପ୍ରସଙ୍ଗରେ ଅଧିନାୟକ ଶ୍ରେୟସ ଆୟରଙ୍କ ମନ୍ତବ୍ୟ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ସେ କହିଛନ୍ତି ଯେ ଦଳର ପ୍ରତ୍ୟେକ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି, ଏବଂ ତାଙ୍କ ହାତ ବର୍ତ୍ତମାନ ବନ୍ଧା ହୋଇଛି ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ବୁଧବାର, ଜୁଲାଇ ୧ରେ ଡର୍ହାମର ଚେଷ୍ଟର-ଲେ-ଷ୍ଟ୍ରୀଟରେ ଖେଳାଯିବ । ମ୍ୟାଚ୍ ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀ ନେଟ୍ସରେ ଜୋରଦାର ବ୍ୟାଟିଂ କରିଥିଲେ । ବୈଭବଙ୍କ ଅନ୍ତର୍ଜାତୀୟ ଡେବ୍ୟୁ ପାଇଁ ଅପେକ୍ଷା ଶେଷରେ ଶେଷ ହୋଇପାରେ ବୋଲି ଆଶା କରାଯାଉଛି । ତେବେ ପ୍ରାକ୍ଟିସ୍ ସେସନ୍ ପରେ, ଅଧିନାୟକ ଆୟରଙ୍କ ଡେବ୍ୟୁ ବିଷୟରେ ପ୍ରଶ୍ନର ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଶ୍ରେୟସ ଆୟର କହିଲେ – “ହାତ ବନ୍ଧା ହୋଇଛି”

ଭାରତୀୟ ଅଧିନାୟକଙ୍କୁ ପ୍ରଶ୍ନ କରାଯାଇଥିଲା ବୈଭବଙ୍କୁ ଟିମ୍ ଇଣ୍ଡିଆ ପାଇଁ ଖେଳିବାର ପ୍ରଥମ ସୁଯୋଗ ମିଳିବ କି ? ଉତ୍ତରରେ, ଆୟର କହିଥିଲେ ଯେ ତାଙ୍କ ହାତ ବନ୍ଧା ହୋଇଛି ଏବଂ ସେ ତାଙ୍କ ରଣନୀତି ପ୍ରକାଶ କରିପାରିବେ ନାହିଁ । ସେ କହିଛନ୍ତି, "ଆମେ ଜାଣିନୁ କେବେ କ'ଣ ହେବ । ଆମେ କ'ଣ କରିପାରିବୁ, ଏହାକୁ ନେଇ ବର୍ତ୍ତମାନ ଆମ ହାତ ବାନ୍ଧା ହୋଇ ରହିଛି କାରଣ ଏହା ଏକ ଅତ୍ୟନ୍ତ ଗୋପନୀୟ ବିଷୟ । ଆମେ କେବଳ ଦଳ ଭିତରେ ଏହା ଉପରେ ଆଲୋଚନା କରୁ । ଆମେ ଟିମ୍ କମ୍ୱିନେସନକୁ ନେଇ ସମସ୍ତଙ୍କୁ କହିପାରିବୁ ନାହିଁ ।"

 

ବୈଭବଙ୍କୁ ପ୍ରଶଂସା କରି ଆୟର କହିଛନ୍ତି ଯେ ଯେତେବେଳେ ସୁଯୋଗ ପାଇବେ ସେ ଭଲ ପ୍ରଦର୍ଶନ କରିବେ । କିନ୍ତୁ ସେ ଆହୁରି ମଧ୍ୟ କହିଛନ୍ତି ଯେ ଦଳରେ ଖେଳାଳିମାନେ ସେମାନଙ୍କ ଭଲ ପ୍ରଦର୍ଶନ ଯୋଗୁଁ ଅଛନ୍ତି । ବୈଭବଙ୍କୁ ଖେଳାଇବାର ଚ୍ୟାଲେଞ୍ଜ ବିଷୟରେ ପଚରାଯିବାରୁ ଆୟର କହିଥିଲେ, "ଦଳରେ ଖେଳୁଥିବା ପ୍ରତ୍ୟେକ ବ୍ୟକ୍ତି ଭଲ ପ୍ରଦର୍ଶନ କରିଛନ୍ତି, ଏହା କେବଳ ଜଣେ ବ୍ୟକ୍ତି ନୁହେଁ । ଆମର ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ସୁଯୋଗ ଏବଂ ସୁରକ୍ଷା ଦେବା ଯାହା ଦ୍ୱାରା ସମସ୍ତେ ଆତ୍ମବିଶ୍ୱାସୀ ଅନୁଭବ କରିପାରିବେ । ଯେଉଁମାନେ ଆମକୁ ଗତ ବିଶ୍ୱକପ୍ ଜିତିବାରେ ସାହାଯ୍ୟ କରିଥିଲେ ସେମାନେ କିପରି ଖେଳିବେ ତାହା ଜାଣନ୍ତି ଏବଂ ସେପରି କରି ଆସୁଛନ୍ତି ।"