ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ରୋକଠୋକ୍ ଶୁଣାଇଲେ ଛାତ୍ର ଆନ୍ଦୋଳନର ଭାଇରାଲ ଆନ୍ଧୋଳନକାରୀ ଫେରିବାଲା ମହମ୍ମଦ ଇରଫାନ। ଯଦି ରାହୁଲ ଗାନ୍ଧୀ ବି ନିଜ କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୁଅନ୍ତି, ତେବେ ସେ ତାଙ୍କ ବିରୁଦ୍ଧରେ ବି ଆନ୍ଦୋଳନ କରିବାକୁ ପଛାଇବେ ନାହିଁ ବୋଲି ଇରଫାନ କହିଛନ୍ତି। ଖୋଦ୍ ରାହୁଲଙ୍କୁ ମୁହଁ ଉପରେ ସେ ଏକଥା କହିଛନ୍ତି।

ଜନ୍ତର ମନ୍ତରରେ ହୋଇଥିବା ଛାତ୍ର ଆନ୍ଦୋଳନରେ ନିଜର ସରଳ କଥା ଏବଂ ସମ୍ବିଧାନର ପ୍ରସ୍ତାବନା ପାଠ କରି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲେ ଫେରିବାଲା ମହମ୍ମଦ ଇରଫାନ। ସୋମବାର ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ତାଙ୍କୁ ଭେଟିବାକୁ ଯାଇଥିଲେ। ଉଭୟଙ୍କ ମଧ୍ୟରେ ଆଲୋଚନା ବେଳେ ଇରଫାନ ରାହୁଲଙ୍କୁ ସାମ୍ନାସାମ୍ନି ଏହି ଚେତାବନୀ ଦେଇଥିଲେ। ୟୁଟ୍ୟୁବ ଚ୍ୟାନେଲ ଦ ଲଲନ ଟପକୁ ସାକ୍ଷାତ୍କାର ଦେଇ ଇରଫାନ ଏସବୁ ଘଟଣା ବିଷୟରେ ସୂଚନା ଦେଇଛନ୍ତି।

କୌଣସି ରାଜନୈତିକ ଦଳ ସହ ଜଡିତ ନଥିବା ଏବଂ ଔପଚାରିକ ଶିକ୍ଷା ପାଇ ନଥିବା ଇରଫାନ, ଜନ୍ତର ମନ୍ତରରେ ହୋଇଥିବା ଆନ୍ଦୋଳନରେ ଶ୍ରମିକ ଓ ଗରିବ ଲୋକଙ୍କ ସମସ୍ୟା ଉପରେ ଖୋଲାଖୋଲି ମତ ରଖିବା ପରେ ଦେଶବ୍ୟାପୀ ଚର୍ଚ୍ଚାରେ ଆସିଥିଲେ। ରାହୁଲ ତାଙ୍କୁ ଭେଟିବାକୁ ଆସିବା ପରେ ସେ ତାଙ୍କୁ ମନେ ପକାଇ ଦେଇଥିଲେ ଯେ ଭବିଷ୍ୟତରେ ସେ ମଧ୍ୟ କ୍ଷମତାକୁ ଆସିପାରନ୍ତି। ସେଥିପାଇଁ ଦେଶର ପ୍ରବାସୀ ଶ୍ରମିକ ଓ ଦୈନିକ ମଜୁରିଆଙ୍କ କଲ୍ୟାଣ ପାଇଁ କାମ କରିବାକୁ ସେ ରାହୁଲଙ୍କୁ ଅନୁରୋଧ କରିଥିଲେ।

ଲଲନ ଟପକୁ ସାକ୍ଷାତ୍କାର ଦେଇ ଇରଫାନ କହିଛନ୍ତି, "ମୁଁ ତାଙ୍କୁ କହିଲି, ଯଦି ଆପଣ ମଧ୍ୟ ନିଜ ପ୍ରତିଶ୍ରୁତିରୁ ଓହରିଯିବେ, ତାହେଲେ ଆମେ ଆପଣଙ୍କ ବିରୋଧରେ ମଧ୍ୟ ରାସ୍ତାକୁ ଓହ୍ଲାଇବୁ। ମୁଁ ନିରପେକ୍ଷ। ଦେଶର ଭଲ ଚାହେଁ। ଦେଶର ପ୍ରତ୍ୟେକ ଲୋକଙ୍କୁ ମୌଳିକ ସୁବିଧା ମିଳିବା ଉଚିତ।"

ଇରଫାନ କହିଛନ୍ତି ଯେ ସେ ରାହୁଲ ଗାନ୍ଧୀଙ୍କ ସମ୍ମୁଖରେ ଦିନମଜୁରିଆଙ୍କ ବଢୁଥିବା ଆତ୍ମହତ୍ୟା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ଇର୍‌ଫାନ କହିଥିଲେ ଯେ ୨୦୨୪ ମସିହାର NCRB ତଥ୍ୟ ଅନୁଯାୟୀ ୧,୭୭,୭୪୬ ଜଣ ଆତ୍ମହତ୍ୟା କରିଥିଲେ। ସେଥିମଧ୍ୟରୁ ପ୍ରାୟ ୩୧ ପ୍ରତିଶତ ଥିଲେ ଦିନ ମଜୁରିଆ। ଆର୍ଥିକ ସମସ୍ୟା ଓ ମାନସିକ ଚାପ ଏହାର ପ୍ରମୁଖ କାରଣ। ଯେଉଁ ଲୋକଙ୍କ ଝାଳ ଓ ରକ୍ତରେ ଦେଶ ଗଢ଼ାଯାଉଛି, ସେମାନଙ୍କୁ ଆମେ କିପରି ଅଣଦେଖା କରିପାରିବା? ବୋଲି ଇରଫାନ ପ୍ରଶ୍ନ କରିଥିଲେ।

ଇରଫାନ ଅଭିଯୋଗ କରିଛନ୍ତି ଯେ, ସରକାରୀ ରେକର୍ଡରେ ମାସିକ ସର୍ବନିମ୍ନ ମଜୁରି ୧୮,୦୦୦ ଟଙ୍କା ଥିଲେ ମଧ୍ୟ ଅନେକ ଶ୍ରମିକ ୧୦ରୁ ୧୧ ଘଣ୍ଟା କାମ କରି ମାତ୍ର ୧୩ରୁ ୧୪ ହଜାର ଟଙ୍କା ପାଉଛନ୍ତି। ତେଣୁ ସରକାର ଏ ଦିଗରେ ଧ୍ୟାନ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

Also Read- ପେପର ଲିକ୍ ବିରୋଧୀ ଆନ୍ଦୋଳନ: ଅପରାଧିକ ରେକର୍ଡ ନଥିବା ନାବାଳକ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଛାତ୍ରଛାତ୍ରୀଙ୍କ ପାଠପଢା ଓ ଅସମାନତା ନେଇ ମଧ୍ୟ ଇରଫାନ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପୂର୍ବରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ପାଠପଢ଼ା ଛାଡ଼ୁଛନ୍ତି। ଶିକ୍ଷା ହିଁ ଜଣେ ବ୍ୟକ୍ତି ଏବଂ ଦେଶର ଭବିଷ୍ୟତ ବଦଳାଇପାରିବ। ସେହିପରି କଲେଜଗୁଡ଼ିକରେ ନାମଲେଖାରେ ଥିବା ଅସମାନତା ନେଇ କହିଥିଲେ ଇରଫାନ କହିଥିଲେ ଯେ ସରକାର ପଲିଟେକ୍ନିକ୍ ଓ ITI ପ୍ରତିଷ୍ଠା କରିଥିଲେ ମଧ୍ୟ ସେଗୁଡ଼ିକର ସୁବିଧା ପ୍ରାୟତଃ ମଧ୍ୟବିତ୍ତ ଓ ସମ୍ପନ୍ନ ପରିବାରର ପିଲାମାନେ ପାଉଛନ୍ତି। ଏହା ଧନୀ ଓ ଗରିବଙ୍କ ମଧ୍ୟରେ ବ୍ୟବଧାନ ବଢ଼ାଉଛି। ସମସ୍ତଙ୍କୁ ସମାନ ଶିକ୍ଷା ସୁଯୋଗ ମିଳିବା ଦରକାର ବୋଲି ସେ କହିଛନ୍ତି।

ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ କଲ୍

ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ବେଳେ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ ଆସିଥିଲା ବୋଲି ଇରଫାନ ମିଡିଆକୁ କହିଥିଲେ। ଇରଫାନଙ୍କ କହିବା ଅନୁସାରେ, ପ୍ରିୟଙ୍କା ଗାନ୍ଧୀ ତାଙ୍କ ସହ ମଜାରେ କଥା ହୋଇଥିଲେ। ଏବଂ କହିଥିଲେ ଯେ "ଦୟାକରି ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ କୁହନ୍ତୁ। ସେ ମୋ କଥା ଶୁଣନ୍ତି ନାହିଁ।" ଏହାର ଉତ୍ତରରେ ଇରଫାନ ହସି ହସି କହିଥିଲେ, "ମୁଁ ତ ଚାହେଁ ରାହୁଲ ଗାନ୍ଧୀ ବିବାହ ନ କରନ୍ତୁ। ସେ ମୋଠାରୁ ବୟସରେ ବଡ଼ ହେଲେ ମଧ୍ୟ ବହୁତ ଭଲ ହୃଦୟର ଲୋକ।"

ରାହୁଲଙ୍କ ପୋଷ୍ଟ

ସାକ୍ଷାତକାର ପରେ ରାହୁଲ ଗାନ୍ଧୀ ସୋସିଆଲ୍ ମିଡିଆରେ ଇରଫାନଙ୍କ ସହ ଫଟୋ ସେୟାର କରି ଲେଖିଥିଲେ ଯେ, ଇରଫାନଙ୍କ ଚିନ୍ତାଧାରା ତାଙ୍କ ପରିସ୍ଥିତିଠାରୁ ବହୁତ ଉଚ୍ଚ। ତାଙ୍କ ପରି କୋଟି କୋଟି ଯୁବକ ହେଉଛନ୍ତି ଦେଶର ପ୍ରକୃତ ଆଶା। ସିଏ ଖୁବ ସମ୍ବେଦନଶୀଳ ଏବଂ ନିଜ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହୋଇ ପ୍ରଶ୍ନ କରନ୍ତି ବୋଲି ରାହୁଲ ଗାନ୍ଧୀ ଲେଖିଥିଲେ।

ମୋଦୀଙ୍କ ପୂର୍ବରୁ ଅମିତ ଶାହଙ୍କୁ ଭେଟିବାକୁ ଚାହାଁନ୍ତି ଇରଫାନ

ଇଣ୍ଟରଭ୍ୟୁରେ ଇରଫାନ କହିଛନ୍ତି ଯେ ତାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାରେ କୌଣସି ଆପତ୍ତି ନାହିଁ, ଯଦିଓ ଚିନ୍ତାଧାରାରେ ମତଭେଦ ରହିବ। ତେବେ ମୋଦୀଙ୍କ ପୂର୍ବରୁ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ଚାହାଁନ୍ତି।

ତାଙ୍କ କହିବା ଅନୁସାରେ, ସେ ଦିଲ୍ଲୀରେ ନିଶା କାରବାର ବିରୋଧରେ ପୁଲିସର ନିଷ୍କ୍ରିୟତା ପ୍ରସଙ୍ଗ ଉଠାଇବେ। ସେ କହିଛନ୍ତି, "ଆମ ବସ୍ତିରେ ୧୨ ବର୍ଷର ପିଲା ମଧ୍ୟ କହିପାରିବ କେଉଁଠି ଗଞ୍ଜେଇ ଓ ଅନ୍ୟ ନିଶାଦ୍ରବ୍ୟ ବିକ୍ରି ହେଉଛି। କିନ୍ତୁ ପୁଲିସ ଜାଣିପାରୁ ନାହିଁ ବୋଲି ଇରଫାନ କହିଛନ୍ତି।