ମୁମ୍ବାଇ: ଆଇପିଏଲ୍ ୨୦୨୭ ପାଇଁ ଖେଳାଳି ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହୋଇଛି ସବୁଠୁ ବଡ଼ ଟ୍ରେଡ ଡିଲ୍। ଦୁଇ ଦଳ ମଧ୍ୟରେ ଖେଳାଳି ଅଦଳ ବଦଳର ପୂରା ପ୍ରକ୍ରିୟା ପୂରା ହୋଇ ସାରିଛି। ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗ୍ସରେ ସାମିଲ ହୋଇଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସକୁ ଆସିଛନ୍ତି ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂ। ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ ହାର୍ଦ୍ଦିକ ଯିବା ପରେ ମୁମ୍ବାଇ ଇଣ୍ଡିଆନ୍ସର ମଙ୍ଗ କିଏ ଧରିବ। ଗତ ତିନୋଟି ସଂସ୍କରଣରେ ମୁମ୍ବାଇର ନେତୃତ୍ଵ ଭାର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କାନ୍ଧରେ ଥିଲା। ଏବେ ଫ୍ରାଞ୍ଚାଇଜକୁ ନୂଆ ଅଧିନାୟକ ନିଯୁକ୍ତ କରିବାକୁ ପଡ଼ିବ। ସେଥିପାଇଁ ଦୌଡ଼ରେ ଅନେକ ତାରକା ଖେଳାଳି ରହିଛନ୍ତି।

ତିଳକ ବର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ପରି ଖେଳାଳି ଦୌଡ଼ରେ ଅଛନ୍ତି। ହେଲେ ଫ୍ରାଞ୍ଚାଇଜ ପାଇଁ ସର୍ବାଧିକ ସମୟ ଅଧିନାୟକତ୍ଵ କରିଥିବା ଏବଂ ୫ ଥର ଟାଇଟଲ୍ ଜିତାଇଥିବା ରୋହିତ ଶର୍ମାଙ୍କ ଉପରେ ସଭିଙ୍କ ନଜର। ହିଟମ୍ୟାନ ସଂପ୍ରତି ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି ଏବଂ ଘରୋଇ ଦଳ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳୁଛନ୍ତି। ଏହା ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ୍ ହୋଇଛି। ବର୍ଷା ଯୋଗୁଁ ତୃତୀୟ ଦିନିକିଆ ବାତିଲ୍ ହେବା ପରେ ରୋହିତ ଶର୍ମାଙ୍କୁ ନ୍ୟୁଜିଲାଣ୍ଡର ଖେଳାଳିଙ୍କ ସହ ଭେଟୁଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି। ଏହି ସମୟରେ ରୋହିତ ନ୍ୟୁଜିଲାଣ୍ଡର ଅଧିନାୟକ ମିଚେଲ୍ ସାଣ୍ଟନରଙ୍କୁ କହୁଛନ୍ତି ‘ହ୍ୟାଲୋ ମିଚି’। ପ୍ରତି ଉତ୍ତରରେ ମିଚେଲ୍ କହୁଛନ୍ତି ‘ହ୍ୟାଲୋ ଅଧିନାୟକ’।

Also Read: ପଞ୍ଜାବ ଗଲେ ହାର୍ଦ୍ଦିକ ଓ ମୁମ୍ବାଇକୁ ଆସିଲେ ଅର୍ଶଦୀପ, ଟ୍ରେଡ୍ ଉପରେ ମୋହର ମାରିଲା BCCI, ଉଭୟଙ୍କୁ ଏତିକି ମିଳିବ ଫି

ମିଚେଲ୍ ସାଣ୍ଟନରଙ୍କ ଏହି ଦୁଇ ପଦ କଥା ସୋସିଆଲ ମିଡିଆରେ ୟୁଜର୍ସଙ୍କ ଧ୍ୟାନ ଆକର୍ଷଣ କରିଛି। ୟୁଜର୍ସ ଆକଳନ କରିବା ଆରମ୍ଭ କରିଛନ୍ତି ଯେ, ରୋହିତ ଶର୍ମାଙ୍କ ହାତକୁ ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ଵ ଭାର ଯାଇପାରେ। ସଂପ୍ରତି ରୋହିତ ଶର୍ମା ନା ଭାରତର ନା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଅଛନ୍ତି। ଅନ୍ୟପକ୍ଷେ ମିଚେଲ୍ ସାଣ୍ଟନର ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଛନ୍ତି। ଏ ପର୍ଯ୍ୟନ୍ତ ମିଚେଲ୍ ସାଣ୍ଟନର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵରେ ମୁମ୍ବାଇ ପକ୍ଷରୁ ଖେଳି ଆସୁଥିଲେ। କିନ୍ତୁ ହାର୍ଦ୍ଦିକ ଯିବା ପରେ ଏବେ ତାଙ୍କୁ ନୂଆ ଅଧିନାୟକଙ୍କ ନେତୃତ୍ଵରେ ଖେଳିବାକୁ ପଡ଼ିବ। ହେଲେ ଏହି ନୂଆ ଅଧିନାୟକ ଆଉ କେହି ନୁହେଁ, ବରଂ ରୋହିତ ଶର୍ମା ହେବେ ବୋଲି ୟୁଜର୍ସ ଓ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଖୁବ୍ ଚର୍ଚ୍ଚା ଚାଲିଛି।

୨୦୧୫ରେ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ୍ ହୋଇଥିବା ହାର୍ଦ୍ଦିକ ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ଦଳ ଚାମ୍ପିଅନ ହେବା ଅଭିଯାନରେ ସାମିଲ୍ ଥିଲେ। ମୁମ୍ବାଇରେ ସାତ ବର୍ଷ ରହିବା ପରେ ହାର୍ଦ୍ଦିକ ୨୦୨୨ରେ ଗୁଜରାଟ ଟାଇଟନ୍ସରେ ସାମିଲ ହୋଇଥିଲେ ଏବଂ ଦଳର ନେତୃତ୍ଵ ନେଇଥିଲେ। ସେହି ବର୍ଷ ଆଇପିଏଲରେ ପଦାର୍ପଣ କରିଥିବା ଗୁଜରାଟ ଟାଇଟନ୍ସକୁ ଚାମ୍ପିଅନ କରାଇଥିଲେ ଭାରତର ଏହି ଷ୍ଟାର ଅଲରାଉଣ୍ଡର। ୨୦୨୩ରେ ତାଙ୍କ ନେତୃତ୍ଵରେ ପୁଣି ଥରେ ଫାଇନାଲରେ ପ୍ରବେଶ କରିଥିଲା ଗୁଜରାଟ।

Also Read: ଦିଲ୍ଲୀ ଛାଡିବେ ଅକ୍ଷର, ଚେନ୍ନାଇରେ ହେବେ ସାମିଲ ! କିନ୍ତୁ ଖୁସି ନାହାନ୍ତି ଅଶ୍ୱିନ

ତେବେ ୨୦୨୪ରେ ହାର୍ଦ୍ଦିକଙ୍କ ମୁମ୍ବାଇ ଇଣ୍ଡିଆନ୍ସରେ ଘର ବାହୁଡ଼ା ହୋଇଥିଲା। କିନ୍ତୁ ମୁମ୍ବାଇରେ ହାର୍ଦ୍ଦିକଙ୍କ ପରବର୍ତ୍ତୀ ଯାତ୍ରା ସୁଖଦ ନ ଥିଲା। ଦଳ ଗତ ତିନୋଟି ସିଜିନ ୨୦୨୪, ୨୦୨୫ ଏବଂ ୨୦୨୬ରେ ନିମ୍ନମାନର ପ୍ରଦର୍ଶନ କରିଥିଲା। ଏବେ ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସଠୁ ବିଚ୍ଛେଦ ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଏବେ ଦେଖିବାକୁ ବାକି ରହିଲା ଆଇପିଏଲ୍ ଇତିହାସରେ ସବୁଠୁ ସଫଳ ଦଳ ମଧ୍ୟରେ ଥିବା ମୁମ୍ବାଇର ମଙ୍ଗ କିଏ ଧରୁଛି।