ଭୁବନେଶ୍ୱର ୧୩।୦୪ : ଆଉ କିଛି ଦିନ ପରେ ରାଜ୍ୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ । ଏହାପୂର୍ବରୁ ସବୁ ଦଳଙ୍କ ପକ୍ଷରୁ ଆରମ୍ଭ ହୋଇସାରିଲାଣି ଅଙ୍କକଷା । ଏସବୁ ଭିତରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ବୟାନ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି ।

ଭକ୍ତ ଦାସ କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନରେ ବିଜେଡି ସହିତ କଂଗ୍ରେସ ମିଶିବାର ନାହିଁ । ଯଦି ଖଡ୍‌ଗେ ଜୀ ଏବଂ ରାହୁଲ ଗାନ୍ଧୀ ଚାହିଁବେ । ଆଉ ଏପଟେ ବିଜେଡି ସୁପ୍ରିମୋ ବି ଯଦି ଚାହିଁବେ । ତେବେ ମେଣ୍ଟ ନେଇ କିଛି ଘଟିପାରେ । ରାଷ୍ଟ୍ରର ହିତ ପାଇଁ ବିଜେଡି ସହିତ କଂଗ୍ରେସ ମିଶି ଓଡ଼ିଶା ସେର୍କୁଲାର ପାର୍ଟି ତିଆରି ହେଲେ ଆମର କିଛି ଆପତ୍ତି ନାହିଁ । ମାତ୍ର ପଞ୍ଚାୟତ ନିର୍ବାଚନରେ ସେମିତି କିଛି ହେବାର ନାହିଁ । ଆମେ ଏକାକି ଲଢିବା ନେଇ ପ୍ରସ୍ତୁତ ଅଛୁ । ଆଗାମୀ ଦିନରେ କଣ ହେବ,ତାହା ହାଇକମାଣ୍ଡ ହିଁ ନିଷ୍ପତ୍ତି ନେବେ । ତେବେ ମେଣ୍ଟ ପ୍ରସଙ୍ଗରେ ଉଭୟ ଦଳ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିର ରଖି କଂଗ୍ରେସ ନିଜର ସଂଗଠନ ସୁଦୃଢ କରୁଛି ।

Also Read:-ନିଜକୁ 'ଯୀଶୁ ଖ୍ରୀଷ୍ଟ'ଙ୍କ ସହ ତୁଳନା କଲେ ଡୋନାଲ୍ଡ ଟ୍ରମ୍ପ, ସୋସିଆଲ ମିଡିଆରେ ସେଆର କରି ପୋପ୍‌ଙ୍କୁ କଲେ ଟାର୍ଗେଟ୍​​​​​​​

ସେହିପରି ନିର୍ବାଚନ ନେଇ ଦଳର ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କଂଗ୍ରେସ ପକ୍ଷରୁ ପଞ୍ଚାୟତ ନିର୍ବାଚନର ବିଗୁଲ ବାଜିସାରିଛି । ଗ୍ରାମ ପଞ୍ଚାୟତ ଏବଂ ଜିଲ୍ଲା ପରିଷଦ ଜୋନ ଲେବୁଲରେ ଜନସଂପର୍କରେ ଆରମ୍ଭ ହୋଇସାରିଛି । ବ୍ଲକ ସଂଗଠନ କାମ ସରିଗଲାଣି । ଏ ମାସ ଶେଷ ସୁଦ୍ଧା ପଞ୍ଚାୟତ ଏବଂ ଜିଲ୍ଲା ପରିଷଦ ସଂଗଠନ କାର୍ଯ୍ୟ ଶେଷ ହେବ । ୪୩୦ ବ୍ଲକ ଓ ଟାଉନରେ ପଞ୍ଚାୟତ ନିର୍ବାଚନ ପାଇଁ ସଂଗଠନ କାର୍ଯ୍ୟ ଶେଷ ହୋଇଯାଇଛି । ୩୨ ହଜାର ବୁଥ୍‌ରେ ବିଏଲଓ ଆପଏଣ୍ଟମେଣ୍ଟ ସରିଛି । ପାଣି, ଖଣି, ଗଛ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନକୁ ନେଇ କଂଗ୍ରେସ ପଞ୍ଚାୟତ ନିର୍ବାଚନରେ ଲଢେଇ କରିବ । ଏବେ ପଞ୍ଚାୟତ ନିର୍ବାଚନ ପାଇଁ କର୍ମୀଙ୍କୁ ତାଲିମ ଦେବାର କାର୍ଯ୍ୟକ୍ରମ ଖୁବଶୀଘ୍ର କରାଯିବ  ।

ଅନ୍ୟପଟେ ପିସିସି ସଭାପତିଙ୍କ ମେଣ୍ଟ ପ୍ରସଙ୍ଗ ମୁହଁ ଖୋଲିଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର । ଦେବୀ କହିଛନ୍ତି ଯେ, ସମ୍ଭାବନା ସବୁ କ୍ଷେତ୍ରରେ ରହିଛି। ପିସିସି ସଭାପତି ଯଦି କହିଛନ୍ତି , ତାହାଲେ କିଛି ଅନୁଧ୍ୟାନ କରି କହିଥିବେ।  ରାଜ୍ୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସୁପ୍ରିମୋ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ।