ନୂଆଦିଲ୍ଲୀ: ଆସାମର ଗୋଲାଘାଟ ଜିଲ୍ଲା ଅନ୍ତର୍ଗତ କାଜିରଙ୍ଗା ନିକଟ ରଙ୍ଗାଜାନ ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ଟ୍ରାଭେଲର୍ ମିନିବସ୍ ଏବଂ ଏକ କଣ୍ଟେନର ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ପ୍ରାୟ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟାକୁ ନେଇ କୌଣସି ଆନୁଷ୍ଠାନ ବୟାନ ଆସି ନାହିଁ । ଦୁର୍ଘଟଣା ପରେ ଅଞ୍ଚଳରେ ଆତଙ୍କର ମାହୋଲ ଖେଳିଯାଇଛି ।

ନର୍ଥଇଷ୍ଟ ଲାଇଭ୍ ରିପୋର୍ଟ ଅନୁଯାୟୀ, ପ୍ରାୟ ୩୫ ଜଣ ଯାତ୍ରୀଙ୍କୁ ନେଇ ଟ୍ରାଭେଲର୍ ଗାଡ଼ିଟି ଯୋରହାଟରୁ ଆସୁଥିଲା । ଏହି ସମୟରେ ଗୌହାଟୀ ପଟୁ ଆସୁଥିବା ଏକ କଣ୍ଟେନର ଟ୍ରକ୍ ସହ ରଙ୍ଗାଜାନ ନିକଟରେ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା । 

ସୂଚନା ଅନୁସାରେ ଟ୍ରାଭେଲରରେ ଅନେକ କଲେଜ ଛାତ୍ରଛାତ୍ରୀ ରହିଥିବା ଜଣାପଡ଼ିଛି । ଦୁର୍ଘଟଣାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି । ଫଳରେ କିଛି ଯାତ୍ରୀ ଗାଡ଼ି ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି । ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କୁ ତୁରନ୍ତ କୋହୋରା ମଡେଲ୍ ହସ୍ପିଟାଲକୁ ନିଆଯାଇଛି । ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି । ଅନ୍ୟପଟେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଓ ଜରୁରୀକାଳୀନ ସେବା ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୃତକଙ୍କ ପରିଚୟ, ଆହତଙ୍କ ପ୍ରକୃତ ସଂଖ୍ୟା ଏବଂ ଦୁର୍ଘଟଣାର କାରଣ ସମ୍ପର୍କରେ ଏଯାଏଁ ସବିଶେଷ ତଥ୍ୟ ମିଳିନାହିଁ ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କାଜିରଙ୍ଗା ସଡ଼କ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି । ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଦୁଃଖଦ ଘଟଣାରେ ସମଗ୍ର ରାଜ୍ୟ ହତବାକ୍ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଦୁଃଖଦ ମୁହୂର୍ତ୍ତରେ ଆସାମର ଲୋକମାନେ ପ୍ରଭାବିତ ପରିବାର ସହିତ ଠିଆ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆହତମାନଙ୍କୁ ଯଥାଶୀଘ୍ର ସର୍ବୋତ୍ତମ ଚିକିତ୍ସା ଯୋଗାଇବା ସରକାରଙ୍କ ପ୍ରଥମ ପ୍ରାଥମିକତା । ସେ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟର ମନ୍ତ୍ରୀ ଅତୁଲ ବୋରା ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଉପରେ ନଜର ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଏବଂ ଏହି ଦୁଃଖକୁ ଦୂର କରିବା ପାଇଁ ପୀଡିତଙ୍କ ପରିବାରକୁ ଶକ୍ତି ପାଇବା ପାଇଁ ପ୍ରାର୍ଥନା କରିଛନ୍ତି ।