ନୂଆଦିଲ୍ଲୀ: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧର ପ୍ରଭାବ ଏବେ ଭାରତରେ LPG ସଙ୍କଟ ରୂପେ ଦେଖାଦେଇଛି। ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଥିବା ବେଳେ ହର୍ମୁଜ୍ ଜଳପଥ ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଛି, ଯାହା ଫଳରେ ଭାରତରେ ଏଲପିଜି ଆମଦାନୀ ପ୍ରଭାବିତ ହେବା ସହ ସିଲିଣ୍ଡର ପିଛା ଦର ୬୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏହି ସଙ୍କଟ ସମୟରେ, ଆସନ୍ତୁ ଜାଣିବା ଭାରତରେ ବ୍ୟବହାର ହେଉଥିବା ଘରୋଇ ଏଲପିଜି ସିଲିଣ୍ଡରର ଓଜନ ସବୁବେଳେ ଠିକ୍ ୧୪.୨ କେଜି କାହିଁକି ରଖାଯାଇଛି।
ଇତିହାସ ଏବଂ ସହଜ ପରିଚାଳନା
ବର୍ମା ସେଲ୍‌ରୁ ଆରମ୍ଭ: ୧୯୫୦ ଦଶକର ଶେଷ ଭାଗରେ ବର୍ମା ସେଲ୍ ଦ୍ୱାରା ଭାରତରେ ପ୍ରଥମେ ଏଲପିଜି ଆରମ୍ଭ କରାଯାଇଥିଲା। ସେତେବେଳେ ଓଜନ ନିର୍ଦ୍ଦିଷ୍ଟ ନଥିଲା,     କିନ୍ତୁ ଅନୁଭବ ଓ ପରୀକ୍ଷଣରୁ ୧୪.୨ କେଜି ସବୁଠାରୁ ସୁବିଧାଜନକ ବୋଲି ପ୍ରମାଣିତ ହୋଇଥିଲା।
ଓଜନ ଏବଂ ବହନ କ୍ଷମତା: ଗ୍ୟାସ୍ ଏବଂ ଖାଲି ଲୁହା ସିଲିଣ୍ଡରକୁ ମିଶାଇଲେ ଗୋଟିଏ ଭର୍ତ୍ତି ସିଲିଣ୍ଡରର ମୋଟ ଓଜନ ପ୍ରାୟ ୨୯-୩୦ କିଲୋଗ୍ରାମ ହୋଇଥାଏ। ଯଦି ଗ୍ୟାସ୍‌ର ପରିମାଣ ୧୫ କେଜି କରାଯାଏ, ତେବେ ଏହାକୁ ଉଠାଇବା ବା ଡେଲିଭରୀ ବୟମାନଙ୍କ ପାଇଁ ବୋହିବା ବହୁତ କଷ୍ଟକର ହୋଇପଡ଼ିବ, କାରଣ ଏହି ସବୁ କାମ ମାନୁଆଲି ବା ହାତରେ କରାଯାଇଥାଏ।
ବ୍ୟବହାର ଏବଂ ସୁରକ୍ଷା ଦୃଷ୍ଟିକୋଣ
ପରିବାରର ଆବଶ୍ୟକତା: ଗବେଷଣାରୁ ଜଣାପଡ଼ିଛି ଯେ, ଗୋଟିଏ ହାରାହାରି ପରିବାରର ରୋଷେଇ ପାଇଁ ୧୪ କେଜି ଗ୍ୟାସ୍ ପ୍ରାୟ ୩୦ ରୁ ୪୫ ଦିନ ପର୍ଯ୍ୟନ୍ତ ଯଥେଷ୍ଟ ହୋଇଥାଏ। ଫଳରେ ଗ୍ରାହକଙ୍କୁ ବାରମ୍ବାର ଗ୍ୟାସ୍ ଭର୍ତ୍ତି କରିବାକୁ ପଡ଼ିନଥାଏ କିମ୍ବା ଏହା ଅତି ଶୀଘ୍ର ସରିଯିବାର ଭୟ ମଧ୍ୟ ନଥାଏ।
ସୁରକ୍ଷା ପ୍ରତି ଗୁରୁତ୍ୱ: ଏଲପିଜି ଗ୍ୟାସ୍‌କୁ ଅତ୍ୟଧିକ ଚାପରେ ରଖାଯାଇଥାଏ। ତେଣୁ ସିଲିଣ୍ଡର ଭିତରେ ଗ୍ୟାସ୍ ପ୍ରସାରିତ ହେବା ପାଇଁ କିଛି ଖାଲି ସ୍ଥାନ ଦରକାର। ଯଦି ଏଥିରେ ଅଧିକ ଗ୍ୟାସ୍ ଭର୍ତ୍ତି କରାଯାଏ, ତେବେ ଏହା ଅସୁରକ୍ଷିତ ହୋଇପଡ଼ିବ କିମ୍ବା ସିଲିଣ୍ଡରର ଲୁହା ଚାଦରକୁ ଆହୁରି ମୋଟା ଓ ଓଜନିଆ କରିବାକୁ ପଡ଼ିବ। ଏଣୁ ବିଶେଷଜ୍ଞଙ୍କ ମତରେ ୧୪.୨ କେଜି ହିଁ ସବୁଠାରୁ ସୁରକ୍ଷିତ ମାତ୍ରା ଅଟେ।
ରାସାୟନିକ ମିଶ୍ରଣର ପ୍ରଭାବ: ଏଲପିଜିରେ ମୁଖ୍ୟତଃ ପ୍ରୋପେନ୍ ଏବଂ ବ୍ୟୁଟେନ୍ ଗ୍ୟାସ୍‌ର ମିଶ୍ରଣ ଥାଏ ଏବଂ ପାଣିପାଗ ପରିବର୍ତ୍ତନ ଅନୁଯାୟୀ ଏହି ଗ୍ୟାସ୍‌ର ଅନୁପାତ ବଦଳିଥାଏ। ଏହାଦ୍ୱାରା ସିଲିଣ୍ଡର ଭିତରର ଚାପ ମଧ୍ୟ ପ୍ରଭାବିତ ହୁଏ। ୧୪.୨ କେଜି ଗ୍ୟାସ୍ ରଖିବା ଦ୍ୱାରା ସିଲିଣ୍ଡର ମଧ୍ୟରେ ଏହି ଚାପକୁ ସୁରକ୍ଷିତ ଭାବେ ନିୟନ୍ତ୍ରଣ କରିବା ପାଇଁ ଯଥେଷ୍ଟ ଜାଗା ମିଳିଥାଏ।