ନୂଆଦିଲ୍ଲୀ , ୧୨ / ୧୧:- ଆଜି ଏନଭିଡିଆର ଅରବପତି ସିଓ ଜେନସନ୍ ହୁଆଙ୍ଗ ବିଶ୍ୱର ସବୁଠାରୁ ଧନୀ ଓ ପ୍ରଭାବଶାଳୀ ଟେକ୍ନୋଲୋଜି ଉଦ୍ୟୋଗପତିଙ୍କ ମଧ୍ୟରେ ଅନ୍ୟତମ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦୁନିଆରେ ତାଙ୍କ ନାଁ ଏବେ ବେଶ୍ ଚର୍ଚ୍ଚିତ। କିନ୍ତୁ ଜେନସନ୍ ଏହି ସଫଳତାର ଶିଖରରେ ପହଞ୍ଚିବା ପୂର୍ବରୁ ତାଙ୍କ ପତ୍ନୀ ଲୋରି ହୁଆଙ୍ଗ ନିଜ କ୍ୟାରିୟରରେ ବେଶ୍ ଆଗରେ ଥିଲେ। ଏପରିକି ଏକ ସମୟରେ ସେ ନିଜ ସ୍ୱାମୀଙ୍କଠାରୁ ମଧ୍ୟ ଅଧିକ ରୋଜଗାର କରୁଥିଲେ। ଇଞ୍ଜିନିୟରିଂ କଲେଜର ଏକ ଲାବୋରେଟୋରିରୁ ଆରମ୍ଭ ହୋଇଥିବା ଏହି ଦମ୍ପତିଙ୍କ ପ୍ରେମକାହାଣୀ ଆଜି ସଫଳତା, ସଂଘର୍ଷ ଓ ପାରିବାରିକ ସମର୍ଥନର ଏକ ଉଦାହରଣ ପାଲଟିଛି। ତେବେ ଏତେ ଭଲ ଦାମ୍ପତ୍ୟ ଜୀବନ ଅତିବାହିତ କରୁଥିବା ଜେନସନ କାହିଁକି ଚୀନ ସୁନ୍ଦରୀଙ୍କ ପ୍ରେମ ଫାସରେ ବନ୍ଦୀ ହେଲେ ? ବ୍ୟବସାଇଙ୍କ ସମ୍ପର୍କରୁ କିପରି ବ୍ୟକ୍ତିଗତ ସମ୍ପର୍କ ଆଡକୁ କଥା ଗଲା ତାହା ଏବେ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି l ସବୁଠାରୁ ବଡ କଥା ହେଉଛି ଦୁଇ ବ୍ୟବସାୟୀଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ଆମେରିକା ପାଇଁ ଭବିଷ୍ୟତରେ ବିପଦ ସୃଷ୍ଟିକରିପାରେ l

ଲୋରି ହୁଆଙ୍ଗଙ୍କ ପୂର୍ବ ନାମ ଥିଲା ଲୋରି ମିଲ୍ସ। ସେ ଆମେରିକାର ଓରେଗନ୍ ଷ୍ଟେଟ୍ ୟୁନିଭର୍ସିଟିରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଶିକ୍ଷା ଗ୍ରହଣ କରିଥିଲେ। ୧୯୮୫ ମସିହାରେ ସେ ଏହି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। କଲେଜରେ ପଢ଼ିବା ସମୟରେ ହିଁ ତାଙ୍କର ସାକ୍ଷାତ ଜେନସନ୍ ହୁଆଙ୍ଗଙ୍କ ସହ ହୋଇଥିଲା। ଉଭୟ ଏକାଠି ଇଞ୍ଜିନିୟରିଂ ପଢ଼ୁଥିଲେ ଏବଂ ଗୋଟିଏ ଲାବୋରେଟୋରିରେ ପାର୍ଟନର ଭାବେ କାମ କରୁଥିଲେ।

୨୦୨୩ ମସିହାରେ 'ଦି ନ୍ୟୁୟର୍କର'ରେ ପ୍ରକାଶିତ ଏକ ସାକ୍ଷାତକାରରେ ଜେନସନ୍ ସେହି ପୁରୁଣା ଦିନଗୁଡ଼ିକୁ ମନେ ପକାଇଥିଲେ। ତାଙ୍କ କହିବା ଅନୁଯାୟୀ, ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ଥିବା ଶ୍ରେଣୀରେ ଲୋରି ମାତ୍ର ତିନିଜଣ ଛାତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ।ଲୋରିଙ୍କ ମନ ଜିଣିବା ପାଇଁ ଜେନସନ୍ ଏକ ନିଆରା ଉପାୟ ଆପଣାଇଥିଲେ। ସେ ପ୍ରତି ରବିବାର ଲୋରିଙ୍କ ସହ ଏକାଠି ପାଠ ପଢ଼ିବାକୁ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ସେ ଲୋରିଙ୍କୁ ଏକ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଯଦି ଲୋରି ତାଙ୍କ ସହ ହୋମ୍ୱାର୍କ କରିବେ, ତେବେ ପରୀକ୍ଷାରେ ତାଙ୍କୁ 'ଏ' ଗ୍ରେଡ୍ ମିଳିବ ବୋଲି ଜେନସନ୍ କହିଥିଲେ। ଏହି ପାଠପଢ଼ାରୁ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଶେଷରେ ୧୯୮୫ ମସିହାରେ ଉଭୟ ବିବାହ କରିଥିଲେ।

ପାଠପଢ଼ା ଶେଷ କରିବା ପରେ ଜେନସନ୍ ଓ ଲୋରି ଉଭୟ ସିଲିକନ୍ ଭ୍ୟାଲିର ସେମିକଣ୍ଡକ୍ଟର ଶିଳ୍ପରେ କାମ ଆରମ୍ଭ କରିଥିଲେ। ସେଠାରେ ଉଭୟ ଚିପ୍ ଡିଜାଇନର୍ ଭାବେ କାର୍ଯ୍ୟ କରୁଥିଲେ। ଜେନସନ୍ ପରବର୍ତ୍ତୀ ସମୟରେ ନିଜେ ସ୍ୱୀକାର କରିଥିଲେ ଯେ, ସେହି ସମୟରେ ଲୋରି ତାଙ୍କଠାରୁ ଅଧିକ ରୋଜଗାର କରୁଥିଲେ। ଏହା ଦର୍ଶାଏ ଯେ, ଏନଭିଡିଆର ଅପାର ସଫଳତା ପୂର୍ବରୁ ମଧ୍ୟ ଲୋରି ଜଣେ ଦକ୍ଷ ଓ ସଫଳ ଇଞ୍ଜିନିୟର ଭାବେ ନିଜର ପରିଚୟ ସୃଷ୍ଟି କରିସାରିଥିଲେ।

୧୯୯୩ ମସିହାରେ ଜେନସନ୍ ହୁଆଙ୍ଗ ଏନଭିଡିଆର ସହ-ପ୍ରତିଷ୍ଠାତା ଭାବେ କମ୍ପାନୀର ମୂଳଦୁଆ ପକାଇଥିଲେ। ଅନ୍ୟପକ୍ଷରେ, ଲୋରି ନିଜର ଦୁଇ ସନ୍ତାନ ମାଡିସନ୍ ଓ ସ୍ପେନ୍ସରଙ୍କ ଲାଳନପାଳନ ପାଇଁ ବୃତ୍ତିଗତ କ୍ୟାରିୟରରୁ କିଛିଟା ଦୂରେଇ ଯାଇଥିଲେ।ତେବେ ଏହାର ଅର୍ଥ ନୁହେଁ ଯେ ସେ ଟେକ୍ନୋଲୋଜି ଓ ଶିକ୍ଷା କ୍ଷେତ୍ରରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଥିଲେ। ସାମାଜିକ କଲ୍ୟାଣ, ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସେ ନିଜର ଯୋଗଦାନ ଜାରି ରଖିଥିଲେ।

ଲୋରି ହୁଆଙ୍ଗ 'ଜେନ୍-ହସୁନ୍ ଆଣ୍ଡ ଲୋରି ହୁଆଙ୍ଗ ଫାଉଣ୍ଡେସନ୍'ର ଅଧ୍ୟକ୍ଷା ଅଛନ୍ତି। ୨୦୦୭ ମସିହାରେ ଜେନସନ୍ ଓ ଲୋରି ମିଳିତ ଭାବେ ଏହି ଫାଉଣ୍ଡେସନ୍ର ସ୍ଥାପନା କରିଥିଲେ। ଏହି ସଂସ୍ଥା ଉଚ୍ଚଶିକ୍ଷା, ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ STEM ଶିକ୍ଷା ଅର୍ଥାତ୍ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଓ ଗଣିତ ସମ୍ବନ୍ଧୀୟ ବିଭିନ୍ନ ପଦକ୍ଷେପକୁ ସହଯୋଗ କରିଥାଏ।

ନିଜ ପୁରୁଣା ଶିକ୍ଷାନୁଷ୍ଠାନ ଓରେଗନ୍ ଷ୍ଟେଟ୍ ୟୁନିଭର୍ସିଟି ପ୍ରତି ମଧ୍ୟ ଏହି ଦମ୍ପତିଙ୍କର ବିଶେଷ ଅବଦାନ ରହିଛି। ୨୦୨୨ ମସିହାରେ ସେମାନେ ବିଶ୍ୱବିଦ୍ୟାଳୟକୁ ୫୦ ନିୟୁତ ଡଲାର ଦାନ କରିଥିଲେ। ଏହି ଅର୍ଥରେ 'ଜେନ୍-ହସୁନ୍ ଆଣ୍ଡ ଲୋରି ହୁଆଙ୍ଗ କୋଲାବୋରେଟିଭ୍ ଇନୋଭେସନ୍ କମ୍ପ୍ଲେକ୍ସ' ପ୍ରତିଷ୍ଠାରେ ସହାୟତା ମିଳିଥିଲା। ଏହି କେନ୍ଦ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ରୋବୋଟିକ୍ସ, ମ୍ୟାଟେରିଆଲ୍ ସାଇନ୍ସ ଏବଂ ଅନ୍ୟାନ୍ୟ ଆଧୁନିକ ବିଜ୍ଞାନ କ୍ଷେତ୍ରରେ ଗବେଷଣା ଓ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଉଛି।

also read- ପୁଟିନଙ୍କ ୧୫୦ ବର୍ଷ ବଞ୍ଚିବା ସ୍ୱପ୍ନ! ମାଙ୍କଡ଼ର ରକ୍ତ ନମୁନାରୁ ବାର୍ଦ୍ଧକ୍ୟ ରହସ୍ୟ ଖୋଜୁଛନ୍ତି ରୁଷୀୟ ବୈଜ୍ଞାନିକ

ଜେନସନ୍ ହୁଆଙ୍ଗ ଆଜି AI ବିପ୍ଳବର ଅନ୍ୟତମ ପ୍ରମୁଖ ଚେହେରା ହୋଇଥିବା ବେଳେ ଲୋରି ସର୍ବଦା ଗଣମାଧ୍ୟମ ଓ କର୍ପୋରେଟ୍ ଦୁନିଆର ଚର୍ଚ୍ଚାରୁ ଦୂରେଇ ରହିବାକୁ ପସନ୍ଦ କରିଛନ୍ତି। ତଥାପି ଜେନସନ୍ ନିଜର ସଫଳତା ପଛରେ ପତ୍ନୀ ଲୋରିଙ୍କ ସମର୍ଥନ ଓ ଅବଦାନକୁ ସର୍ବଦା ସ୍ୱୀକାର କରିଆସିଛନ୍ତି। ଇଞ୍ଜିନିୟରିଂ କଲେଜର ଏକ ଲାବୋରେଟୋରିରୁ ଆରମ୍ଭ ହୋଇଥିବା ଏହି ସମ୍ପର୍କ ଆଜି ବିଶ୍ୱର ଅନ୍ୟତମ ପ୍ରଭାବଶାଳୀ ଟେକ୍ନୋଲୋଜି ପରିବାରରେ ପରିଣତ ହୋଇଛି। ଏକଦା ସ୍ୱାମୀଙ୍କଠାରୁ ଅଧିକ ରୋଜଗାର କରୁଥିବା ଲୋରି ଆଜି ନିଜର ପାରିବାରିକ ଦାୟିତ୍ୱ ସହିତ ଶିକ୍ଷା, ଗବେଷଣା ଓ ସମାଜସେବା କ୍ଷେତ୍ରରେ ମଧ୍ୟ ନିଜର ଅବଦାନ ଜାରି ରଖିଛନ୍ତି।