ନୂଆଦିଲ୍ଲୀ: ଏନଭିଡିଆର ସିଇଓ ଜେନସେନ୍ ହୁଆଙ୍ଗ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଚୀନର ଜଣେ ସନ୍ଦିଗ୍ଧ ଗୁପ୍ତଚରଙ୍କ ସହ ପ୍ରେମ ସମ୍ପର୍କ ଏବଂ କମ୍ପାନିର ଜଣେ ମହିଳା ଅଧିକାରୀଙ୍କ ସହ ସମ୍ପର୍କକୁ ନେଇ ଉପୁଜିଥିବା ବିବାଦ ମଧ୍ୟରେ ଏହି ଇସ୍ତଫା ସାମ୍ନାକୁ ଆସିଛି । ଜେନସେନ୍ ହୁଆଙ୍ଗ କମ୍ପାନିର ସିଇଓ ଏବଂ ବୋର୍ଡ ସଦସ୍ୟ ପଦରୁ ତତ୍କାଳ ପ୍ରଭାବରେ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ କମ୍ପାନିର ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫଓ) କୋଲେଟ୍ କ୍ରେସଙ୍କୁ ଅନ୍ତରୀଣ ସିଇଓ ଭାବେ ନିଯୁକ୍ତ କରାଯାଇଛି ।

ହୁଆଙ୍ଗଙ୍କ ଇସ୍ତଫା ପୂର୍ବରୁ ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଗଣମାଧ୍ୟମରେ ଏକାଧିକ ରିପୋର୍ଟ ପ୍ରକାଶ ପାଇଥିଲା । ଏକ ରିପୋର୍ଟ ଅନୁସାରେ, ସିଙ୍ଗାପୁରରେ ଅବସ୍ଥିତ ମେଗାସ୍ପିଡ୍ ଇଣ୍ଟରନ୍ୟାସନାଲର ଜଣେ ପୂର୍ବତନ ମହିଳା ଅଧିକାରୀଙ୍କ ସହ ତାଙ୍କର ସମ୍ପର୍କ ଥିଲା । ଉକ୍ତ ମହିଳାଙ୍କ ଚୀନ୍ ସରକାରଙ୍କ ପାଇଁ ଗୁପ୍ତଚର କାମ କରୁଥିବା ନେଇ ଆମେରିକୀୟ ଗୁଇନ୍ଦା ସଂସ୍ଥା ସନ୍ଦେହ କରୁଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । ଏହାବ୍ୟତୀତ, ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ ହୁଆଙ୍ଗଙ୍କ ଜଣେ ସହକର୍ମୀଙ୍କ ସହ ମଧ୍ୟ ସମ୍ପର୍କ ଥିବା ଦାବି କରାଯାଇଥିଲା । ମହିଳା ଜଣକ ତାଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ ବୋଲି ରିପୋର୍ଟରେ କୁହାଯାଇଛି ।

ଅନ୍ୟପକ୍ଷରେ, ଏନଭିଡିଆ ପକ୍ଷରୁ କୁହାଯାଇଛି ଯେ କମ୍ପାନିର ଗୋପନୀୟ ତଥ୍ୟ କିମ୍ବା ଆମେରିକାର ଜାତୀୟ ସୁରକ୍ଷା ସହ କୌଣସି ସାଲିସ୍ ହୋଇଥିବାର ପ୍ରମାଣ ନାହିଁ । ତଥାପି ଏହି ମାମଲାର ସମସ୍ତ ଦିଗକୁ ନେଇ ସ୍ୱାଧୀନ ତଦନ୍ତ କରାଯିବ । ଏନଭିଡିଆର ଅତ୍ୟାଧୁନିକ କମ୍ପ୍ୟୁଟର ଚିପଗୁଡ଼ିକୁ ବେଆଇନ ଭାବେ ଚୀନକୁ ପଠାଯାଉଥିବା ଅଭିଯୋଗ ହୋଇଥିଲା । ତେବେ ଏପରି ରପ୍ତାନିର କୌଣସି ପ୍ରମାଣ ନଥିବା ମେଗାସ୍ପିଡ୍ ପକ୍ଷରୁ କୁହାଯାଇଥିଲା । ସିଙ୍ଗାପୁର ମଧ୍ୟ ଏହି ଅଭିଯୋଗର ତଦନ୍ତ କରୁଛି ।

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ, ମେଗାସ୍ପିଡର ପୂର୍ବତନ ଅଧିକାରୀ ଏଲିସ୍ ହୁଆଙ୍ଗଙ୍କ ସହ ଜେନସେନ୍ ହୁଆଙ୍ଗଙ୍କ ସମ୍ପର୍କକୁ ନେଇ ଆମେରିକୀୟ ଗୁଇନ୍ଦା ସଂସ୍ଥା ପୂର୍ବରୁ ସୂଚନା ପାଇଥିଲା । ଉକ୍ତ ମହିଳା ବେଜିଂକୁ ସୂଚନା ଯୋଗାଉଥିବା ଅଭିଯୋଗ ମଧ୍ୟ ରହିଛି । ଚୀନକୁ ଏନଭିଡିଆର ଚିପ୍ ବିକ୍ରି ଉପରେ ଥିବା କଟକଣା କୋହଳ କରିବାକୁ ହୁଆଙ୍ଗ ଆମେରିକା ସରକାରଙ୍କ ନିକଟରେ ଦାବି କରିଆସୁଥିଲେ ।