ନୂଆଦିଲ୍ଲୀ ,୧୨ / ୧୧ -;ମୃତ୍ୟୁକୁ ହରେଇବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କରୁଛନ୍ତି ନୂଆ ଯୋଜନା l ପୁଟିନଙ୍କ ୧୫୦ ବର୍ଷ ବଞ୍ଚି ରହିବା ସ୍ୱପ୍ନକୁ ସାକାର କରିବାକୁ ରୁଷିଆର ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଦେଲେଣି l ମଣିଷର ଆୟୁଷ ୧୫୦ ବର୍ଷ ପର୍ଯ୍ୟନ୍ତ ବଢ଼ାଇବା ଲକ୍ଷ୍ୟରେ ରୁଷିଆରେ ଚାଲିଛି ଗବେଷଣା। ଏଥିପାଇଁ ଦୀର୍ଘାୟୁ ମାଙ୍କଡ଼ଙ୍କ ରକ୍ତ ନମୁନା ସଂଗ୍ରହ କରି ଏକ ସ୍ୱତନ୍ତ୍ର ବ୍ୟାଙ୍କ ପ୍ରସ୍ତୁତ କରାଯାଉଛି। ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ୧୫୦ ବର୍ଷ ବଞ୍ଚିବାର ଇଚ୍ଛାକୁ ନେଇ ଏହି ଗବେଷଣା ଚର୍ଚ୍ଚାକୁ ଆସିଛି।

ସ୍ୱାଧୀନ ଗଣମାଧ୍ୟମ ସଂସ୍ଥା ‘ଏଜେନ୍ତସ୍ତଭୋ’ ର ରିପୋର୍ଟ ଅନୁଯାୟୀ, ରୁଷିଆର କୁର୍ଚାଟୋଭ୍ ଇନଷ୍ଟିଚ୍ୟୁଟ୍ ଏବଂ ପେଟ୍ରୋଭସ୍କି ରୁଷୀୟ ଗବେଷଣା କେନ୍ଦ୍ର ଅଫ୍ ସର୍ଜରୀ ମିଳିତ ଭାବେ ଏହି ପ୍ରକଳ୍ପ ଉପରେ କାମ କରୁଛନ୍ତି। ପେଟ୍ରୋଭସ୍କି ସର୍ଜରୀ କେନ୍ଦ୍ରର ନିର୍ଦ୍ଦେଶକ କନଷ୍ଟାଣ୍ଟିନ୍ କୋଟେଙ୍କୋ କୁର୍ଚାଟୋଭ୍ ଜିନୋମିକ୍ ଫୋରମ୍ରେ କହିଛନ୍ତି ଯେ, ମାଙ୍କଡ଼ଙ୍କ ରକ୍ତ ନମୁନାର ବିଶ୍ଳେଷଣ ମାଧ୍ୟମରେ ବାର୍ଦ୍ଧକ୍ୟ ପ୍ରକ୍ରିୟା କିପରି କାମ କରେ, ତାହା ବୁଝିବାକୁ ଉଦ୍ୟମ କରାଯିବ।

ଏହି ଫୋରମ୍ରେ ଉପସ୍ଥିତ ଥିବା ମିଖାଇଲ୍ କୋଭାଲଚୁକ୍ କହିଥିଲେ ଯେ, ମାଙ୍କଡ଼ଙ୍କ ଉପରେ ଏହି ଗବେଷଣା ମଣିଷର ଆୟୁଷ ବଢ଼ାଇବା ପାଇଁ ଏକ ନିୟନ୍ତ୍ରଣ ବ୍ୟବସ୍ଥା ବିକଶିତ କରିବା ଦିଗରେ ପ୍ରଥମ ପଦକ୍ଷେପ ହେବ। କୁର୍ଚାଟୋଭ୍ ଇନଷ୍ଟିଚ୍ୟୁଟ୍ରେ ୨୨ଟି ପ୍ରଜାତିର ୭ ହଜାରରୁ ଅଧିକ ମାଙ୍କଡ଼ ରହିଛନ୍ତି। ବୈଜ୍ଞାନିକମାନେ ବିଶେଷ କରି ୧୮ରୁ ୩୦ ବର୍ଷ ଏବଂ ତଦୂର୍ଦ୍ଧ୍ୱ ବୟସର ମାଙ୍କଡ଼ଙ୍କ ଉପରେ ଗବେଷଣା କରୁଛନ୍ତି। ସେମାନଙ୍କ ରକ୍ତନଳୀ, ମସ୍ତିଷ୍କ ଓ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗର ସ୍ଥିତି ଯାଞ୍ଚ କରାଯାଉଛି।କୋଭାଲଚୁକ୍ଙ୍କ କହିବା ଅନୁଯାୟୀ, ବୟସ୍କ ମାଙ୍କଡ଼ଙ୍କ ଉପରେ ପର୍ଯ୍ୟାୟକ୍ରମେ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଏଥିରେ ରକ୍ତର ଜୈବରାସାୟନିକ ବିଶ୍ଳେଷଣ, ଶରୀରର ଗଠନମୂଳକ ଯାଞ୍ଚ, ରକ୍ତନଳୀ ପରୀକ୍ଷା ଏବଂ ମସ୍ତିଷ୍କର ସ୍କାନ୍ ଆଦି ସାମିଲ ରହିଛି। ମଣିଷ ସହ ଜୈବିକ ସାମଞ୍ଜସ୍ୟ ଥିବାରୁ ମାଙ୍କଡ଼ଙ୍କୁ ଏହି ଗବେଷଣା ପାଇଁ ଚୟନ କରାଯାଇଛି।

ମିଖାଇଲ୍ କୋଭାଲଚୁକ୍ ଏବଂ ତାଙ୍କ ଭାଇ ୟୁରି କୋଭାଲଚୁକ୍ ଉଭୟେ ପୁଟିନଙ୍କ ଘନିଷ୍ଠ ବ୍ୟକ୍ତି ଭାବେ ପରିଚିତ। ମିଖାଇଲ୍ଙ୍କୁ ପୁଟିନଙ୍କ ଅନୌପଚାରିକ ବିଜ୍ଞାନ ପରାମର୍ଶଦାତା ବୋଲି ମଧ୍ୟ କୁହାଯାଏ। ୨୦୨୪ରେ ମେଡୁଜା ଏବଂ ସିସ୍ତେମାର ରିପୋର୍ଟ ଅନୁଯାୟୀ, ରୁଷିଆ ସରକାରଙ୍କ ପକ୍ଷରୁ ଏକ ଜାତୀୟ ଆଣ୍ଟି-ଏଜିଂ ବା ବାର୍ଦ୍ଧକ୍ୟ ନିରୋଧୀ ପ୍ରକଳ୍ପ ଚାଲିଛି। ଏହି ପ୍ରକଳ୍ପକୁ ଆଗକୁ ବଢ଼ାଇବାରେ କୋଭାଲଚୁକ୍ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ପୁଟିନଙ୍କ ଦୀର୍ଘାୟୁ ହେବାର ଇଚ୍ଛା କେବଳ ଗବେଷଣା କ୍ଷେତ୍ରରେ ସୀମିତ ନୁହେଁ। ୨୦୨୫ରେ ଚୀନ୍ ଗସ୍ତ ସମୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ତାଙ୍କର ଏକ ଆଲୋଚନା ଅଜାଣତରେ ରେକର୍ଡ ହୋଇଥିଲା। ଏଥିରେ ଉଭୟ ନେତା ମଣିଷର ଆୟୁଷ ୧୫୦ ବର୍ଷ ପର୍ଯ୍ୟନ୍ତ ବଢ଼ାଇବାର ସମ୍ଭାବନା ନେଇ ଆଲୋଚନା କରୁଥିବା ଶୁଣିବାକୁ ମିଳିଥିଲା। ଏହି ଆଲୋଚନାରେ ପୁଟିନ୍ କହିଥିଲେ ଯେ, ବାୟୋଟେକ୍ନୋଲୋଜି ବା ଜୈବ ପ୍ରଯୁକ୍ତିବିଦ୍ୟାର ସହାୟତାରେ ବାରମ୍ବାର ମଣିଷର ଅଙ୍ଗପ୍ରତ୍ୟଙ୍ଗ ପ୍ରତିରୋପଣ କରିବା ସମ୍ଭବ ହୋଇପାରେ। ଏପରିକି ଏହା ମଣିଷକୁ ଅମରତ୍ୱ ହାସଲ କରିବା ଦିଗରେ ସହାୟତା କରିପାରେ ବୋଲି ସେ ମତ ଦେଇଥିଲେ। ତାଙ୍କ କଥାରେ, “ଆପଣ ଯେତେ ଅଧିକ ଦିନ ବଞ୍ଚିବେ, ସେତେ ଅଧିକ ଯୁବକ ହୋଇଯିବେ।”

also read- ସାମ୍ନାକୁ ଆସିଲା Nvidia ସିଇଓଙ୍କ ଦ୍ଵିତୀୟ ପ୍ରେମ ସଂପର୍କ, କିଏ ଏହି ପାଓ୍ଵେଲ ଯାହା ସହ ଚଲାଇଥିଲେ ରାସଲୀଳା

ଏହି ଗବେଷଣା ପ୍ରସଙ୍ଗରେ ପୁଟିନଙ୍କ ଝିଅ ମାରିଆ ଭୋରୋନ୍ତସୋଭାଙ୍କ ମନ୍ତବ୍ୟ ମଧ୍ୟ ଚର୍ଚ୍ଚାକୁ ଆସିଛି। ପେସାରେ ଜଣେ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଥିବା ମାରିଆ ନିକଟରେ ରୁଷୀୟ ସରକାରୀ ଟେଲିଭିଜନରେ ବୟସ ବଢ଼ିବା ପ୍ରକ୍ରିୟାକୁ ରୋକିବା ଏବଂ ମୃତ୍ୟୁକୁ ପରାସ୍ତ କରିବାରେ ସକ୍ଷମ ଔଷଧ ପ୍ରସ୍ତୁତି ଯୋଜନା ବିଷୟରେ କହିଥିଲେ। ତାଙ୍କ ମତରେ, ମଣିଷର ଆୟୁଷ ବଢ଼ାଇବା ଏବଂ ବାର୍ଦ୍ଧକ୍ୟକୁ ମୁକାବିଲା କରିବା ପାଇଁ ଗବେଷଣାର ପ୍ରମୁଖ ପ୍ରେରଣା ହେଉଛି ମୃତ୍ୟୁକୁ ନେଇ ମଣିଷ ମନରେ ରହିଥିବା ଭୟ।

ତେବେ ପ୍ରଶ୍ନ ଉଠୁଛି, ବିଜ୍ଞାନର ସହାୟତାରେ ମଣିଷର ଆୟୁଷ ସତରେ ୧୫୦ ବର୍ଷ ପର୍ଯ୍ୟନ୍ତ ବଢ଼ାଇବା ସମ୍ଭବ ହେବ କି? ରୁଷିଆର ଏହି ଗବେଷଣା ଏବେ ବିଶ୍ୱବ୍ୟାପୀ ବିଜ୍ଞାନ ମହଲରେ ନୂଆ ଆଲୋଚନାର ବିଷୟ ପାଲଟିଛି। ତେବେ ଏହା ଏକ ଗବେଷଣାଧୀନ ପ୍ରୟାସ ମାତ୍ର; ମଣିଷ ୧୫୦ ବର୍ଷ ବଞ୍ଚିପାରିବ ବୋଲି ଏଯାଏଁ କୌଣସି ବୈଜ୍ଞାନିକ ପ୍ରମାଣ ମିଳିନାହିଁ।