ନୂଆଦିଲ୍ଲୀ: ଭାରତ ସରକାରଙ୍କ 'ୱାନ୍ ନେସନ୍, ୱାନ୍ ଟାଇମ୍' (ଗୋଟିଏ ଦେଶ, ଗୋଟିଏ ସମୟ) ଯୋଜନା ଅଧୀନରେ ସାରା ଦେଶରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ବ୍ୟବସ୍ଥାକୁ ଏକ ନିର୍ଦ୍ଦିଷ୍ଟ ଏବଂ ସମ୍ପୂର୍ଣ୍ଣ ସଠିକ ସମୟ ସହିତ ଯୋଡ଼ିବା ପାଇଁ ଏକ ନୂଆ ପଦକ୍ଷେପ ନିଆଯାଇଛି। ନିକଟରେ ବେଙ୍ଗାଲୁରୁଠାରେ ଏହି ହ୍ୱାଇଟ୍ ରାବିଟ୍ ଟେକ୍ନୋଲୋଜି ଆଧାରିତ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଟାଇମ ନେଟୱର୍କର ଶୁଭାରମ୍ଭ କରାଯାଇଛି। ସରଳ ଭାଷାରେ କହିଲେ, ହ୍ୱାଇଟ୍ ରାବିଟ୍ ହେଉଛି ଏକ ଅତ୍ୟାଧୁନିକ କମ୍ପ୍ୟୁଟର ନେଟୱର୍କିଂ ପ୍ରଯୁକ୍ତିବିଦ୍ୟା, ଯାହା ଅପ୍ଟିକାଲ୍ ଫାଇବର (Optical Fibre) କେବୁଲ୍ ସାହାଯ୍ୟରେ ସଂଯୁକ୍ତ ଥିବା ବିଭିନ୍ନ ଡିଭାଇସ୍ ବା ସିଷ୍ଟମର ଘଣ୍ଟାକୁ ୧ ନାନୋସେକେଣ୍ଡରୁ କମ୍  ସମୟ ମଧ୍ୟରେ ଏକାଭଳି ସମାନ ବା ସିଙ୍କ୍ରୋନାଇଜ୍  କରିପାରେ।

ସାଧାରଣ ଇଣ୍ଟରନେଟ୍ ବା ନେଟୱର୍କରେ ଦୂରତା ବଢ଼ିଲେ ସିଗନାଲ୍ ପହଞ୍ଚିବାରେ ସାମାନ୍ୟ ବିଳମ୍ବ (Time Drift) ହୋଇଥାଏ। କିନ୍ତୁ 'ହ୍ୱାଇଟ୍ ରାବିଟ୍' ପ୍ରଯୁକ୍ତିବିଦ୍ୟା ଏହି ସମୟର ବ୍ୟବଧାନକୁ ନିଜେ ହିଁ ମାପି ସୁଧାରି ଦିଏ, ଯାହାଦ୍ୱାରା ହଜାର ହଜାର କିଲୋମିଟର ଦୂରରେ ଥିବା ସିଷ୍ଟମ୍ ମଧ୍ୟ ବିଲକୁଲ୍ ଏକା ସମୟରେ କାମ କରିପାରିବ।

ପ୍ରତିରକ୍ଷା (Defence)ପାଇଁ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ?
ବର୍ତ୍ତମାନ ସୁଦ୍ଧା ଭାରତର ଅଧିକାଂଶ ପ୍ରତିରକ୍ଷା ଏବଂ ସାଧାରଣ ଯୋଗାଯୋଗ ବ୍ୟବସ୍ଥା ଆମେରିକାର ଜିପିଏସ୍ (GPS) ଭଳି ବିଦେଶୀ ସାଟେଲାଇଟ୍ ସିଗନାଲ୍ ଉପରେ ନିର୍ଭର କରେ। ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ 'ହ୍ୱାଇଟ୍ ରାବିଟ୍' ନେଟୱର୍କ କାହିଁକି ଜରୁରୀ ଆସନ୍ତୁ ଜାଣିବା ।

ଯୁଦ୍ଧ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ଶତ୍ରୁ ଦେଶ ସାଟେଲାଇଟ୍ ସିଗନାଲକୁ ଜାମିଂ (ବନ୍ଦ କରିଦେବା) କିମ୍ବା ସ୍ପୁଫିଂ (ଭୁଲ୍ ସମୟ ଓ ସ୍ଥାନ ଦେଖାଇବା) କରିପାରେ। ହ୍ୱାଇଟ୍ ରାବିଟ୍ ମାଟି ତଳେ ଥିବା ଫାଇବର କେବୁଲ୍ ମାଧ୍ୟମରେ କାମ କରୁଥିବାରୁ ଏହାକୁ ହ୍ୟାକ୍ କିମ୍ବା ଜାମ କରିବା ଅସମ୍ଭବ।
ଆଧୁନିକ ମିସାଇଲ୍ ଡିଫେନ୍ସ ସିଷ୍ଟମ୍ ଏବଂ ବାୟୁସେନାର ରାଡାର୍ ଗୁଡ଼ିକ ଅତି ସୂକ୍ଷ୍ମ ସମୟ (Microseconds) ଉପରେ ଆଧାରିତ । ଶତ୍ରୁର ମିସାଇଲକୁ ଆକାଶରେ ହିଁ ଧ୍ୱଂସ କରିବା ପାଇଁ ଦେଶର ସମସ୍ତ ପ୍ରତିରକ୍ଷା ଉପକରଣ ମଧ୍ୟରେ ସମୟର ସମାନତା ରହିବା ବାଧ୍ୟତାମୂଳକ, ଯାହା ଏହି ଟେକ୍ନୋଲୋଜି ପ୍ରଦାନ କରିବ। ଏହା ଦ୍ୱାରା ଭାରତର ସାମରିକ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଏବଂ ସ୍ୱଦେଶୀ ନିୟନ୍ତ୍ରଣକୁ ଆସିଯିବ, ଯାହା ଜାତୀୟ ସୁରକ୍ଷାକୁ ବହୁ ଗୁଣିତ କରିବ।

 ଆର୍ଥିକ କ୍ଷେତ୍ର (Finance Sector) ପାଇଁ କାହିଁକି ଜରୁରୀ ?
ଆଜିର ଡିଜିଟାଲ୍ ଯୁଗରେ ଅର୍ଥନୀତି ପାଇଁ ସମୟ ହିଁ ସବୁକିଛି। ସେୟାର ମାର୍କେଟ୍, ବ୍ୟାଙ୍କିଙ୍ଗ୍ ଏବଂ ଅନଲାଇନ୍ କାରବାରରେ ଏହି ପ୍ରଯୁକ୍ତିବିଦ୍ୟା ବିପ୍ଳବ ଆଣିବ । ସେୟାର ବଜାରରେ ଏକ ସେକେଣ୍ଡର ଲକ୍ଷ ଲକ୍ଷ ସେୟାର କିଣାବିକା ହୋଇଥାଏ। ଯଦି ସମୟ ସାମାନ୍ୟ ଏପଟ ସେପଟ ହୁଏ, ତେବେ ବଡ଼ ଧରଣର ଆର୍ଥିକ କ୍ଷତି ବା ଜାଲିଆତି ହୋଇପାରେ। ଏହି ଟେକ୍ନୋଲୋଜି ଦ୍ୱାରା ପ୍ରତ୍ୟେକ କାରବାରର ସଠିକ୍ ସମୟ ରେକର୍ଡ ହେବ, ଯାହାଫଳରେ ବଜାର ସ୍ୱଚ୍ଛ ଓ ନିରପେକ୍ଷ ରହିବ। ବ୍ୟାଙ୍କିଙ୍ଗ୍ କାରବାରରେ ସମୟର ହେରଫେର କରି ହ୍ୟାକରମାନେ ସାଇବର ଅପରାଧ ଘଟାନ୍ତି। ପ୍ରମାଣିତ ଏବଂ ସୁରକ୍ଷିତ IST (ଭାରତୀୟ ସମୟ) ବ୍ୟବହାର ହେବା ଦ୍ୱାରା ଅନଲାଇନ୍ ଆର୍ଥିକ କାରବାର ସମ୍ପୂର୍ଣ୍ଣ ସୁରକ୍ଷିତ ହେବ ଏବଂ ଠକେଇ ଧରିବା ସହଜ ହେବ। ବ୍ୟାଙ୍କିଙ୍ଗ୍ ଏବଂ ବୀମା କ୍ଷେତ୍ରରେ କେଉଁ କାରବାର ପ୍ରଥମେ ହୋଇଛି, ତାର ସଠିକ୍ ଆଇନଗତ ପ୍ରମାଣ ରହିବ, ଯାହା ଗ୍ରାହକମାନଙ୍କ ସ୍ୱାର୍ଥ ରକ୍ଷା କରିବ।

ଅନ୍ୟାନ୍ୟ କ୍ଷେତ୍ର ଉପରେ ଏହାର ପ୍ରଭାବ
କେବଳ ପ୍ରତିରକ୍ଷା କିମ୍ବା ଆର୍ଥିକ କ୍ଷେତ୍ର ନୁହେଁ, ଏହି ସ୍ୱଦେଶୀ ଟାଇମିଂ ନେଟୱର୍କ ଦ୍ୱାରା ଅନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ମଧ୍ୟ ଲାଭବାନ ହେବେ । ଦ୍ରୁତ ଗତିରେ ଡାଟା ପଠାଇବା ଏବଂ କଲ୍ ଡ୍ରପ୍ ସମସ୍ୟା ଦୂର କରିବା ପାଇଁ ଟେଲିକମ୍ ଟାୱାର ଗୁଡ଼ିକ ମଧ୍ୟରେ ଅତି ସୂକ୍ଷ୍ମ ସମୟର ସମାନତା ଜରୁରୀ। ସାରା ଦେଶରେ ବିଦ୍ୟୁତ ପ୍ରବାହକୁ ସନ୍ତୁଳିତ ରଖିବା ଏବଂ ହଠାତ୍ ଗ୍ରୀଡ୍ ଫେଲ୍ ହେବା ସମସ୍ୟାରୁ ରକ୍ଷା ପାଇବା ପାଇଁ ଏହି ସଠିକ୍ ସମୟ ସାହାଯ୍ୟ କରିବ। ସରକାରୀ ଡକ୍ୟୁମେଣ୍ଟର ଡିଜିଟାଲ୍ ସାଇନ୍ ଏବଂ ଟାଇମ୍-ଷ୍ଟାମ୍ପ ସମ୍ପୂର୍ଣ୍ଣ ସୁରକ୍ଷିତ ହେବ, ଯାହାକୁ କେହି ବଦଳାଇ ପାରିବେ ନାହିଁ।