ମୁଜଫରପୁର: ବିହାର ମୁଝଫରପୁର ଜିଲ୍ଲା ବାସିନ୍ଦା ଜଣେ ୮୨ ବର୍ଷ ବୟଷ୍କ ବୃଦ୍ଧ ତାଙ୍କ ବାର୍ଦ୍ଧକ୍ୟ ଭତ୍ତା ଉଠାଣ ପାଇଁ ଜନସେବା କେନ୍ଦ୍ର (ସିଏସି) ଯାଇଥିଲେ। ସେଠାରେ ତାଙ୍କ ବ୍ୟାଙ୍କ ଖାତାରେ ୭୫୯ କୋଟି ଟଙ୍କା ଥିବା ଦେଖି ଚକିତ ହୋଇପଡିଛନ୍ତି। କେବଳ ସେ ନୁହନ୍ତି ତାଙ୍କ ଦିବ୍ୟାଙ୍ଗ ପୁଅ ବ୍ୟାଙ୍କ ଖାତାରେ ମଧ୍ୟ ସମାନ ରାଶି ଥିବା ଦେଖା ଯାଇଛି। ଏହି ବିଚିତ୍ର ଘଟଣା ପଛରେ ବ୍ୟାଙ୍କିଙ୍ଗ ଅଥବା ବୈଷୟିକ ଗଡ଼ବଡ଼ ରହିଛି ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ମାମଲାରେ ଅଧିକାରୀମାନେ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟିକରଣ ଦେଇ ନାହାନ୍ତି।

ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ କବି କାମେଶ୍ୱର ମିଶ୍ର (୮୨) ନିଜ ସାମାଜିକ ସୁରକ୍ଷା ପେନସନ ଉଠାଣ ପାଇଁ ସିଏସି କେନ୍ଦ୍ରକୁ ଯାଇଥିଲେ। ତାଙ୍କ ସହ ତାଙ୍କ ଦିବ୍ୟାଙ୍ଗ ପୁଅ ମଧ୍ୟ ଥିଲେ, ଯିଏ ଦିବ୍ୟାଙ୍ଗ ପେନସନ ଯୋଜନାର ହିତାଧିକାରୀ ଥିଲେ। ପେନସନ ଉଠାଣ ପରେ ମିଶ୍ର ନିଜ ଖାତାର ରାଶି ଯାଞ୍ଚ କରିବାକୁ ଚାହିଁଥିଲେ। ତାଙ୍କ ଆକାଉଣ୍ଟରେ ୭୫୯,୬୯,୫୧,୯୫୧ ଟଙ୍କା ପାଖାପାଖି ୭୫୯ କୋଟି ଟଙ୍କା ଜମା ଥିବା ଦେଖାଯାଇଛି। ପରିବାରଙ୍କ ଅନୁସାରେ ତାଙ୍କ ପୁଅଙ୍କ ଆକାଉଣ୍ଟରେ ମଧ୍ୟ ଏତେ ପରିମାଣରେ ରାଶି ଥିବା ଦେଖା ଯାଇଛି। ଫଳରେ ପରିବାରର ଉଭୟ ଆକାଉଣ୍ଟରେ ଥିବା ରାଶିର ପରିମାଣ ମିଶି ୧,୫୦୦ କୋଟି ଟଙ୍କାରୁ ଅଧିକ ହୋଇଯାଇଛି। ଏହି ଅପ୍ରତ୍ୟାସିତ ରାଶି ଉଭୟ ପରିବାର ଓ ସିଏସି ଅପରେଟର ଉଭୟଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ବ୍ୟାଙ୍କିଙ୍ଗ ଅଥବା ବୈଷୟିକ ତ୍ରୁଟିକୁ ନେଇ ପ୍ରଶ୍ନ ଛିଡା କରିଛି।

ମିଶ୍ର କହିଛନ୍ତି ଯେ ଆକାଉଣ୍ଟକୁ ଏତେ ପଇସା କୁଆଡୁ ଆସିଲା ମୁଁ ବୁଝି ପାରୁ ନାହିଁ। ଏଣୁ ମିଶ୍ର ବ୍ୟାଙ୍କ ଓ ସମ୍ପର୍କିତ ଅଧିକାରୀଙ୍କୁ ମାମଲାର ଯାଞ୍ଚ କରନ୍ତୁ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରସଙ୍ଗକୁ ସେ ଜନତାଙ୍କ ସାମ୍ନାକୁ ଏଥି ପାଇଁ ଆଣିଛନ୍ତି ଯେ ଯାହାଦ୍ୱାରା ଅଧିକାରୀ ବାଲାନ୍ସ ଯାଞ୍ଚ କରିପାରିବେ ଓ କୌଣସି ତ୍ରୁଟି ହୋଇଥିଲେ ଦୂର କରିପାରିବେ। ବିପୁଳ ପରିମାଣରେ ଜମା ରାଶି ପଛରେ ସଠିକ କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ତେବେ ପ୍ରାରମ୍ଭିକ ସଂକେତରୁ ଜଣାପଡିଛି ଯେ କୌଣସି ବୈଷିୟକ ଅଥବା ବ୍ୟାଙ୍କିଙ୍ଗ ତ୍ରୁଟି କାରଣରୁ ଏହା ହୋଇଥାଇପାରେ। ତେବେ ଏ ପର୍ଯ୍ୟନ୍ତ କୌଣସି ଅଧିକାରୀକ ସ୍ପଷ୍ଚିକରଣ ଜାରି କରାଯାଇନି।