ଭୁବନେଶ୍ୱର (୨୯/୬) ଗ୍ରୀଷ୍ମଛୁଟି ମାନେ ପିଲାମାନଙ୍କ ପାଇଁ ଖେଳକୁଦ, ବୁଲାବୁଲି ଏବଂ ଆରାମର ସମୟ । କିନ୍ତୁ ଭାରତରେ ଗ୍ରୀଷ୍ମଛୁଟି ହେଲେ ପିଲାଙ୍କୁ ଅଧିକ ପାଠପଢା ଲଦିଦିଆଯାଏ । ଯାହା ଫଳରେ ପିଲାମାନଙ୍କ ସମର ଭ୍ୟାକେସନ ହୋମୱର୍କ କରୁକରୁ ସରିଯାଇଥାଏ ଗ୍ରୀଷ୍ମ ଛୁଟି ଆସିଲେ ପିଲାମାନଙ୍କ ପାଇଁ ହୋମୱର୍କ ଏକ ବଡ଼ ଚିନ୍ତାର ବିଷୟ ପାଲଟିଯାଏ । ଯାହାକୁ ନେଇ ପିଲାମାନଙ୍କ ମଧ୍ୟରେ ବଡ଼ ଆଲୋଚନା ଚାଲିଥାଏ ଯେ କେମିତି ଛୁଟିରେ ସବୁ ପାଠ ସାରିବେ କିନ୍ତୁ ଆପଣ ଜାଣିଛନ୍ତି କି ଆମେରିକାରେ ପାଠପଢା ବ୍ୟବସ୍ଥା କିପରି ? ସେଠାରେ ପିଲାଙ୍କୁ ସମର ଭ୍ୟାକେସନରେ କେତେ ହୋମୱର୍କ ଦିଆଯାଇଥାଏ ?

ଯଦି ଆପଣ ଭାବୁଛନ୍ତି ଯେ ଗ୍ରୀଷ୍ମ ଛୁଟି କେବଳ ବିଶ୍ରାମ ପାଇଁ ହୋଇଥାଏ, ତାହେଲେ ଆମେରିକାର ସ୍କୁଲ ବ୍ୟବସ୍ଥା ଆପଣଙ୍କ ଧାରଣାକୁ ବଦଳାଇ ଦେଇପାରେ। ସେଠାରେ ଛୁଟି ଥିଲେ ମଧ୍ୟ ପାଠପଢ଼ା ସହ ସମ୍ପର୍କ ସମ୍ପୂର୍ଣ୍ଣ ଛିନ୍ନ ହୁଏ ନାହିଁ । ଛୁଟି ସହ ସେଠାରେ ପିଲାଙ୍କୁ ପାଠପଢା ସହିତ ଯୋଡି ରଖାଯାଇଥାଏ ଆମେରିକାରେ ସମର ଭ୍ୟାକେସନ୍ ସାଧାରଣତଃ ୮ରୁ ୧୨ ସପ୍ତାହ ପର୍ଯ୍ୟନ୍ତ ହୋଇଥାଏ। କିନ୍ତୁ ସମସ୍ତ ସ୍କୁଲରେ ସମାନ ନିୟମ ନଥାଏ । ଅନେକ ସରକାରୀ ସ୍କୁଲ୍ ସମର ଛୁଟିରେ ବାଧ୍ୟତାମୂଳକ ହୋମୱର୍କ ଦିଅନ୍ତି ନାହିଁ ବରଂ ପିଲାମାନଙ୍କୁ ପଢ଼ାର ଅଭ୍ୟାସ ବଜାୟ ରଖିବା ପାଇଁ ପୁସ୍ତକ ପଢ଼ିବା, ଗଳ୍ପ ଲେଖିବା କିମ୍ବା ସରଳ ଗଣିତ ଅଭ୍ୟାସ କରିବାକୁ ପରାମର୍ଶ ଦିଆଯାଏ। ଅନ୍ୟପଟେ, କିଛି ବେସରକାରୀ ସ୍କୁଲ୍, ଚାର୍ଟର୍ ସ୍କୁଲ୍ କିମ୍ବା ଉଚ୍ଚ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସମର ଆସାଇନମେଣ୍ଟ, ରିଡିଂ ଲିଷ୍ଟ କିମ୍ବା ପ୍ରୋଜେକ୍ଟ ଦିଆଯାଇଥାଏ। ବିଶେଷକରି କଲେଜ୍ ପ୍ରସ୍ତୁତିମୂଳକ କୋର୍ସରେ ଏହା ଅଧିକ ଦେଖାଯାଏ।

ଶିକ୍ଷାବିତଙ୍କ ମତରେ, ଲମ୍ବା ଛୁଟି ସମୟରେ ପାଠପଢ଼ାରୁ ସମ୍ପୂର୍ଣ୍ଣ ଦୂରେଇ ରହିଲେ ଶିକ୍ଷାଗତ କୌଶଳରେ କିଛି ହ୍ରାସ ଆସିପାରେ, ଯାହାକୁ "ସମର୍ ଲର୍ଣ୍ଣିଂ ଲସ୍" ବୋଲି କୁହାଯାଏ। ସେଥିପାଇଁ ଅନେକ ସ୍କୁଲ୍ ବାଧ୍ୟତାମୂଳକ ହୋମୱର୍କ ପରିବର୍ତ୍ତେ ହାଲୁକା ଶିକ୍ଷାମୂଳକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଇଥାନ୍ତି। ତେଣୁ ଆମେରିକାରେ ସମର ଭ୍ୟାକେସନ୍ ମାନେ ସବୁ ସ୍କୁଲରେ ହୋମୱର୍କ ନିଶ୍ଚିତ ବୋଲି ନୁହେଁ । ସ୍କୁଲ୍, ଶ୍ରେଣୀ ଓ ପାଠ୍ୟକ୍ରମ ଅନୁସାରେ ନିୟମ ବଦଳିଥାଏ। କେଉଁଠି କେବଳ ପଢ଼ିବା ପାଇଁ ପୁସ୍ତକ ତାଲିକା ଦିଆଯାଏ, ତ ଆଉ କେଉଁଠି ପ୍ରୋଜେକ୍ଟ କିମ୍ବା ଆସାଇନମେଣ୍ଟ ମଧ୍ୟ ଦିଆଯାଏ। ଅର୍ଥାତ୍, ଛୁଟିରେ ଶିଖିବାର ଧାରା ଜାରି ରହୁ, କିନ୍ତୁ ପିଲାମାନେ ବିଶ୍ରାମ ଓ ପରିବାର ସହ ସମୟ ମଧ୍ୟ କାଟନ୍ତୁ  ଏହାକୁ ଆମେରିକାରେ ଅଧିକ ଗୁରୁତ୍ୱ ଦିଆଯାଏ । ସେଥିପାଇଁ ସେଠାରେ ପିଲାମାନେ ସମର ଭ୍ୟାକେସନ ସହ କିଛି କିଛି ନୂଆ ଜିନିଷ ମଧ୍ୟ ଶିଖିଥାନ୍ତି