ନୂଆଦିଲ୍ଲୀ ୨୪।୧୦ : ଏଣିକି ୟୁପିଆଇ ଜରିଆରେ ଉଠାଇପାରିବେ ପିଏଫ୍ ଟଙ୍କା। ଡିସେମ୍ବର ଶେଷ ସୁଦ୍ଧା ଏହି ନୂଆ ସୁବିଧା ଆରମ୍ଭ କରିପାରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା ଇପିଏଫ୍ଓ। ଏହା ଲାଗୁ ହେବା ପରେ ହିତାଧିକାରୀମାନେ ଭିମ୍ ଆପ୍ ଜରିଆରେ ସିଧାସଳଖ ନିଜର ଉଠାଣ ଯୋଗ୍ୟ ପିଏଫ୍ ଟଙ୍କା କାଢ଼ିପାରିବେ। ଏନେଇ ଦ ଫାଇନାନ୍ସିଆଲ୍ ଏକ୍ସପ୍ରେସର ଏକ ରିପୋର୍ଟରେ ସୂଚନା ଦିଆଯାଇଛି।

ରିପୋର୍ଟ ଅନୁଯାୟୀ, ଏହି ସେବାର ପରୀକ୍ଷଣ ଶେଷ ହୋଇଛି। ଏଥିସହ ସମସ୍ତ ବୈଷୟିକ ସମସ୍ୟାର ସମାଧାନ କରାଯାଇଛି। ନୂଆ ସୁବିଧା ଆରମ୍ଭ ହେବା ପରେ ପିଏଫ୍ ହିତାଧିକାରୀଙ୍କୁ ଟଙ୍କା ଉଠାଣ ପାଇଁ ଜଟିଳ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ ନାହିଁ। ଭିମ୍ ଆପ୍ ଜରିଆରେ ଉଠାଣ ଯୋଗ୍ୟ ବାଲାନ୍ସ ଜାଣିବା ସହ ପିଏଫ୍ ଟଙ୍କା ଉଠାଇବାର ସୁବିଧା ମିଳିବ। ଏହା ଇପିଏଫ୍ଓର ବଡ଼ ଟେକ୍ନୋଲୋଜି ଅପ୍‌ଗ୍ରେଡ୍ ଯୋଜନା 'ଇପିଏଫ୍ଓ ୩.୦'ର ଏକ ଅଂଶ। ୨୦୨୭ ଫେବ୍ରୁଆରୀରେ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହାକୁ ଆନୁଷ୍ଠାନିକ ଭାବେ ଲଞ୍ଚ୍ କରାଯିବାର ସମ୍ଭାବନା ରହିଛି।

Also Read:-ପ୍ରଦୂଷଣ ପାଇଁ ଦିଲ୍ଲୀ ଏକା ଦାୟୀ ନୁହେଁ : ପଡୋଶୀ ରାଜ୍ୟକୁ ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆ ବ୍ୟବସ୍ଥା ଲାଗୁ ହେଲେ ପିଏଫ୍ ସଦସ୍ୟମାନେ ଭିମ୍ ଆପ୍ ଜରିଆରେ ଉଠାଣ ଯୋଗ୍ୟ ବାଲାନ୍ସ ଯାଞ୍ଚ କରିବା, ପିଏଫ୍ ଟଙ୍କା ଉଠାଇବା ଏବଂ ନିଜ ଅବସର ପାଣ୍ଠିରେ ଥିବା ଅର୍ଥରାଶି ସମ୍ପର୍କରେ ତଥ୍ୟ ପାଇପାରିବେ। ଏହାଦ୍ୱାରା ପିଏଫ୍ ସେବା ଅଧିକ ସହଜ ଓ ଡିଜିଟାଲ୍ ହେବା ସହ ହିତାଧିକାରୀଙ୍କ ସମୟ ବଞ୍ଚିବ।