ଚେନ୍ନାଇ: ଅଣ୍ଡା ଉତ୍ପାଦନ ଓ ରପ୍ତାନୀରେ ଭାରତ ଏକ ବଡ଼ ସ୍ଥାନ ହାସଲ କରିଛି। ହେଲେ ଏବେ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସୁଛି। ତାମିଲନାଡୁର କୁଡ୍ଡାଲୋର ଜିଲ୍ଲାରେ ବାର୍ଡ ଫ୍ଲୁ ପୁଷ୍ଟି ହେବା ପରେ ଓମାନ ନମକ୍କଲ ଅଞ୍ଚଳରୁ ଅଣ୍ଡା ଆମଦାନୀ ବନ୍ଦ କରିଦେଇଛି। ତେବେ ନମକ୍କଲରେ ବାର୍ଡଫ୍ଲୁର କୌଣସି ମାମଲା ସାମ୍ନାକୁ ଆସି ନାହିଁ। ଏଥିରେ ଓମାନର ନିଷ୍ପତ୍ତି ଅଞ୍ଚଳର ଅଣ୍ଡା ରପ୍ତାନୀକୁ ପ୍ରଭାବିତ କରିଛି। ନମକ୍କଲ ଓମାନକୁ ପ୍ରତି ମାସରେ ୩୦ରୁ ୩୫ଟି କଣ୍ଟୈନର ଅଣ୍ଡା ରପ୍ତାନୀ କରେ। ଏହି ବଜାର ନମକ୍କଲର ମୋଟ ମାସିକ ଅଣ୍ଡା ରପ୍ତାନୀର ୨୦ରୁ ୨୫% ଅଟେ।

ରପ୍ତାନୀକାରୀଙ୍କ ଅନୁସାରେ ଓମାନ ସହିତ ସେମାନଙ୍କର ନିୟମିତ ବାଣିଜ୍ୟ ଥିଲା। ପଶ୍ଚିମ ଏସିୟା ଯୁଦ୍ଧ ସମୟରେ ମଧ୍ୟ ଓମାନକୁ ଅଣ୍ଡା ରପ୍ତାନୀ ଜାରି ଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ ପ୍ରାୟ ୧୦ ଦିନ ପୂର୍ବେ କୁଡାଲୋରରେ ବାର୍ଡ ଫ୍ଲୁ ପୁଷ୍ଟି ହୋଇଥିଲା। ସଂକ୍ରମଣ ରୋକିବା ପାଇଁ ସତର୍କତା ମୂଳକ ପଦକ୍ଷେପ ଭାବେ ହଜାର ହଜାର କୁକୁଡାଙ୍କୁ ହତ୍ୟା କରାଯାଇଥିଲା। ପରବର୍ତ୍ତି ସମୟରେ କେନ୍ଦ୍ରୀୟ ଓ ରାଜ୍ୟ ଭେଟନାରୀ ଦଳ ପ୍ରଭାବିତ ଅଞ୍ଚଳ ଯାଞ୍ଚ କରିଥିଲେ। ରାଜ୍ୟରେ ରୋଗ ସଂକ୍ରମଣ ନିଶ୍ଚିତ ହେବା ପରେ ଓମାନ ଅଣ୍ଡା ଆମଦାନୀ ଉପରେ ରୋକ ଲଗାଇ ଦେଇଛି।

ଅଣ୍ଡା ଓ କୁକୁଡ଼ା ରପ୍ତାନୀକାରୀ ସଂଘର ସଚିବ ଗଣମାଧ୍ୟମକୁ କହିଛନ୍ତି ଯେ ଓମାନ ଆନୁଷ୍ଠାନିକ ଭାବେ ନମକ୍କଲରୁ ଅଣ୍ଡା ଆମଦାନୀ ବନ୍ଦ କରିଛି। ଏଣୁ ନିଷେଧ ପ୍ରତ୍ୟାହାର ଲାଗି ରପ୍ତାନୀକାରୀମାନେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛନ୍ତି। ନମକ୍କଲରେ କୁକୁଡା ଚାଷୀ ଓ ପଶୁପାଳନ ଅଧିକାରୀମାନେ କହିଛନ୍ତି ଯେ ଏହି ଅଞ୍ଚଳରେ ବାର୍ଡ ଫ୍ଲୁର କୌଣସି ଲକ୍ଷଣ ନାହିଁ। ଏଠାକାର କୁକୁଡା ଫାର୍ମମାନେ ସଂକ୍ରମଣ ରୋକିବା ପାଇଁ କଠୋର ଜୈବ ସୁରକ୍ଷା ବ୍ୟବସ୍ଥା ପାଳନ କରନ୍ତି। ଏଥିରେ ରପ୍ତାନୀକାରୀମାନେ କହିଛନ୍ତି ଯେ ବିଶ୍ୱ ପ୍ରାଣୀ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଓଏଏଚ) ଦ୍ୱାରା ଅନୁମୋଦିତ କାର୍ଯ୍ୟପ୍ରଣାଳୀ (ଏସଓପି) ଅନୁସରଣ ପରେ ପୁଣି ରପ୍ତାନୀ ଆରମ୍ଭ ହେବ।