ନୂଆଦିଲ୍ଲୀ: ମାରୁତି ପରେ ଏବେ ଗାଡ଼ି ମୂଲ୍ୟ ବଢାଇବ ହ୍ୟୁଣ୍ଡାଇ। ୧ ଡିସେମ୍ବର ୨୦୨୬ରୁ ଗାଡ଼ିଗୁଡ଼ିକ ମୂଲ୍ୟରେ ପ୍ରାୟ ୮୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି କମ୍ପାନୀ କହିଛି। ଏହି ଦର ବୃଦ୍ଧି କିଛି ନିର୍ଦ୍ଦିଷ୍ଟ ମଡେଲ ଓ ଟ୍ରକ୍ ପାଇଁ ହେବ ବୋଲି ନଭେମ୍ବର ୨୪ ତାରିଖରେ ରେଗୁଲେଟରି ଫାଇଲିଂ ବେଳେ ହ୍ୟୁଣ୍ଡାଇ ସୂଚନା ଦେଇଛି। ମଡେଲ ଓ ଟ୍ରିମ(ଗୋଟିଏ କାର୍ ଅଲଗା ଅଲଗା ଫିଚର୍ସବାଲା ମଡେଲ୍) ଅନୁସାରେ ଦର ବୃଦ୍ଧି ଅଲଗା ଅଲଗା ହେବ।

ଖର୍ଚ୍ଚ ବଢ଼ିବାରୁ ଦର ବୃଦ୍ଧି ନିଷ୍ପତ୍ତି

ରେଗୁଲେଟରି ଫଇଲିଂ ବେଳେ ଅଟୋମେକର କମ୍ପାନୀ ଖର୍ଚ୍ଚ ବୃଦ୍ଧିକୁ ଦର ବୃଦ୍ଧିର କାରଣ ବୋଲି ଦର୍ଶାଛି। ଗାଡ଼ି ତିଆରି ପାଇଁ ଆବଶ୍ୟକୀୟ କଞ୍ଚାମାଲ ଓ ଅନ୍ୟାନ୍ୟ ଖର୍ଚ୍ଚ ବଢ଼ିବାରୁ ବାଧ୍ୟ ହୋଇ ଗାଡ଼ି ମୂଲ୍ୟ ବଢ଼ାଇବାକୁ ପଡ଼ିଲା ବୋଲି କମ୍ପାନୀ କହିଛି। ଏହା ପୂର୍ବରୁ ମାରୁଜି ମଧ୍ୟ ସମାନ କାରଣ ଦର୍ଶାଇଥିଲା। ତେବେ କେଉଁ ମଡେଲ୍ର ଦାମ କେତେ ବଢ଼ିବ ସେ ନେଇ ଉଭୟ କମ୍ପାନୀ ନିର୍ଦ୍ଦିଷ୍ଟ ସୂଚନା ଦେଇ ନାହାନ୍ତି।

ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ କହିଛି ଯେ ଏହା ଇଣ୍ଟରନାଲ ଏଫିସିଏନ୍ସି ଓ କଷ୍ଟ ଅପ୍ଟିମାଇଜେସନ ଉପାୟ ଜରିଆରେ ଖର୍ଚ୍ଚ ବୃଦ୍ଧିର ଏକ ବଡ଼ ଭାଗ ନିଜେ ବହନ କରିଛି। କେବଳ ଛୋଟ ଭାଗର ଚାପ ଗ୍ରାହକଙ୍କ ଉପରେ ପକାଇଛି। ଯାହା ଡିସେମ୍ବର ମାସ ଠାରୁ ଆରମ୍ଭ ହେବ ବୋଲି ହ୍ୟୁଣ୍ଡାଇ କହିଛି। କମ୍ପାନୀର ଏହି ନିଷ୍ପତ୍ତି ପରେ ଡିସେମ୍ବର ଠାରୁ ଗ୍ରାହକଙ୍କୁ ହ୍ୟୁଣ୍ଡାଇ ଗାଡ଼ି କିଣିବାକୁ ହେଲେ ଅଧିକ ଟଙ୍କା ଦେବାକୁ ପଡ଼ିବ। ପ୍ରାୟ ୮ ହଜାର ଟଙ୍କା ଅଧିକ ଚାପ ପଡ଼ିବ।

ମାରୁତି ସୁଜୁକି ବଢ଼ାଇଲା ଗାଡ଼ି ମୂଲ୍ୟ

ଏହା ପୂର୍ବରୁ ମାରୁତି ସୁଜୁକି ଇଣ୍ଡିଆ ମଧ୍ୟ ନଭେମ୍ବର ୨୨ ତାରିଖରୁ ନିର୍ଦ୍ଦିଷ୍ଟ କାରର ଦାମ ବଢାଇଛି। କମ୍ପାନୀ କାର ମୂଲ୍ୟରେ ହାରାହାରୀ ୦.୩୧% ବୃଦ୍ଧି କରିଛି। ବାରମ୍ବାର ଖର୍ଚ୍ଚ ବଢ଼ୁଥିବାରୁ ମାର୍ଜିନ ସୁରକ୍ଷିତ କରିବାକୁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ତେବେ କେଉଁ ମଡେଲର ଦାମ କେତେ ବଢା ଯାଇଛି ସେ ନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ଦର ବୃଦ୍ଧି ନେଇ ମାରୁତି ସୁଜୁକି କହିଛି ଯେ କମ୍ପାନୀ ପକ୍ଷରୁ ଖର୍ଚ୍ଚ କାଟ କରିବାକୁ ଯଥା ସମ୍ଭବ ଚେଷ୍ଟା କରାଯାଇଥିଲା। ହେଲେ ଏହା ସତ୍ତ୍ୱେ ବି ଲଗାତର ଖର୍ଚ୍ଚ ବୃଦ୍ଧି ଅସମ୍ଭାଳ ହୋଇଥିଲା। ତେଣୁ କିଛି ଭାର କମ୍ପାନୀ ଉଠାଉଥିବା ବେଳେ ଆଉ କିଛି ଜନତାଙ୍କ ଉପରେ ଲଦିବାକୁ ବାଧ୍ୟ ହୋଇଛି। ତେବେ କିଛି ନିର୍ଦ୍ଦିଷ୍ଠ କାର୍ ଉପରେ ଏହି ନୂଆ ଦର ବୃଦ୍ଧି ଲାଗୁ କରାଯିବ। ଗ୍ରାହକ କାର କିଣିବା ପୂର୍ବରୁ ଡିଲରମାନଙ୍କ ଠାରୁ ନୂଆ ଦର ପଚାରି ବୁଝି ନେଇପାରିବେ ବୋଲି ମାରୁତି ସୁଜୁକି କହିଛି।