କୋଲକାତା, ୧୯/୦୮ : ବିଧାନସଭା ନିର୍ବାଚନରେ ହାରିଥିଲା ତୃଣୀମୂଳ କଂଗ୍ରେସ । ବିଜେପି କରିଥିଲା ବଙ୍ଗ ଦଖଲ । ଏହାପରେ ଟିଏମସିରେ ଆରମ୍ଭ ହୋଇଯାଇଥିଲା ବିଦ୍ରୋହ । ଗୋଟିଏ ପରେ ଗୋଟିଏ ଝଟକା ଲାଗିଥିଲା ଦିଦିଙ୍କୁ । ଦଳ ଏକ ପ୍ରକାର ଭାଙ୍ଗିଥିଲା । ଅନେକ ବିଦ୍ରୋହୀ ସାଂସଦ ବିଜେପି କ୍ୟାମ୍ପରେ ଯୋଗ ଦେଇଥିଲେ । ଏତେ ସବୁ ପରେ ଶେଷରେ ମମତାଙ୍କୁ ଏକ ବଡ ଖୁସି ଖବର ମିଳିଛି । ଯାହା ତାଙ୍କର ଆତ୍ମବିଶ୍ୱାସ ବୃଦ୍ଧି କରିଛି ।

ରିପୋର୍ଟ ଅନୁସାରେ, ପଶ୍ଚିମବଙ୍ଗ ବାର୍ କାଉନସିଲ ନିର୍ବାଚନରେ ତୃଣମୂଳ କଂଗ୍ରେସ ୨୩ରୁ ୧୫ଟି ଆସନରେ ଜବରଦସ୍ତ ବିଜୟ ହାସଲ କରିଛି । ଏହାସହ ପୂର୍ବପରି ଏଠାରେ ନିଜର ଦବଦବା ବଜାୟ ରଖିଛି । ଏଥିରେ ବିଜେପି ତିନୋଟି, ବାମ ମୋର୍ଚ୍ଚା ୩ଟି ଏବଂ କଂଗ୍ରେସ ଦୁଇଟି ସିଟରେ ବାଜିମାତ କରିଛି । ମମତା ବାନାର୍ଜୀଙ୍କ ସୁପାରିଶରେ ନିର୍ବାଚନକୁ ଓହ୍ଲାଇଥିବା ଟିଏମସିର ଆଇନଜୀବୀ ପ୍ରାର୍ଥୀ ୫ଟି ସଂରକ୍ଷିତ ମହିଳା ସିଟରୁ ୪ଟିରେ ବିଜୟୀ ହୋଇଛନ୍ତି ।

Also Read :- ଓଡ଼ିଶାର ଆତିଥ୍ୟ ଏବଂ ଚିକିତ୍ସା ସୁବିଧା ଦେଖି ଖୁସିରେ କାନ୍ଦି ପକାଇଲେ ଆମେରିକା ନାଗରିକ ! କହିଲେ- 'ଏକ ଟଙ୍କା ବି ନେଲେନି'...

ବାର୍ କାଉନସିଲର ମୋଟ୍ ୨୩ଟି ନିର୍ବାଚିତ ଆସନରୁ ୧୮ଟି ପୁରୁଷ ଏବଂ ୫ଟି ମହିଳାଙ୍କ ପାଇଁ ସଂରକ୍ଷିତ ଅଛି । ଏଥିରୁ ୧୫ଟି ଟିଏମସି ଜିତି ନିଜର ଆତ୍ମବିଶ୍ୱାସ ବୃଦ୍ଧି କରିଛି । ମହିଳା ଆସନରୁ ଦଳ ୪ଟିରେ ଜିତିଥିବା ବେଳେ କଂଗ୍ରେସ ଗୋଟିଏ ଆସନ ହାତେଇଛି । ନିର୍ବାଚନ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବାର କାଉନସିଲ୍ ଅଫ ଇଣ୍ଡିଆ ଆହୁରି ୨ ମହିଳା ପ୍ରାର୍ଥୀଙ୍କୁ ମନୋନୀତ କରିବେ । ଫଳରେ ମୋଟ୍ ଆସନ ସଂଖ୍ୟା ୨୫ରେ ପହଁଚିବ ।

ସୂଚନାଯୋଗ୍ୟ, ବାର୍ କାଉନସିଲ୍ ନିର୍ବାଚନରେ ମୋଟ୍ ୭୫ ଜଣ ପ୍ରାର୍ଥୀ ଲଢିଥିଲେ । ଟିଏମସି ୨୩, ବିଜେପି ୨୨ ଏବଂ ବାମ ମେଣ୍ଟ ୧୨ ଜଣଙ୍କୁ ଓହ୍ଲାଇଥିଲା । ସେହିପରି ସ୍ୱାଧୀନ ଭାବେ ୧୮ ଜଣ ନିଜ ଭାଗ୍ୟ ପରୀକ୍ଷା କରିଥିଲେ ।