ଭୁବନେଶ୍ୱର, ୧୯/୦୮ : ଓଡ଼ିଶାର ଆତିଥ୍ୟ ଓ ସ୍ବାସ୍ଥ୍ୟସେବାକୁ କେବେ ଭୁଲି ହେବନି। ଗ୍ରାମୀଣ ଜୀବନର ସରଳତା ଓ ସରକାରୀ ସ୍ବାସ୍ଥ୍ୟସେବାର ଅନୁଭୂତି ତାଙ୍କୁ ଅଭିଭୂତ କରିଛି। ଏକ ଭିଡିଓ ବାର୍ଭାରେ ଏହା କହିଛନ୍ତି ଆମେରିକୀୟ ନାଗରିକ ମାଇକ୍ ନୁନ୍ (୨୮)। ସେ କହିଛନ୍ତି ଯେ ସ୍ଥାନୀୟ ଏକ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ମାଗଣାରେ ଯେଉଁ ପ୍ରକାର ଚିକିତ୍ସା ଯୋଗାଇ ଦିଆଗଲା, ତାହା ଆମେରିକାରେ ହୋଇଥିଲେ ହଜାରେରୁ ଅଧିକ ଡଲାର ଖର୍ଚ୍ଚ ହୋଇଥାନ୍ତା। ଏଭଳି ସେବା ଓ ଆତିଥ୍ୟ ତାଙ୍କ ଓଡ଼ିଶା ଗସ୍ତକୁ ଚିରସ୍ମରଣୀୟ କରିଛି।

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଜାମରଣ୍ଡା ଅଞ୍ଚଳର ମମତା ସରକାରଙ୍କ ଘରକୁ ଆସିଥିଲେ ମାଇକ୍। ଘରର ସାନ ପୁଅ ମଂଜିତ ସରକାରଙ୍କ ସାଙ୍ଗ ହୋଇଥିବାରୁ ସପ୍ତାହେ ରହିଥିଲେ। ପରିବାର ପକ୍ଷରୁ ତାଙ୍କୁ ସୁନ୍ଦର ଆତିଥ୍ୟ ଦିଆଯାଇଥିଲା। ନିଜ ଘରର ଜଣେ ସଦସ୍ୟ ଭଳି ସେବା ଯତ୍ନ କରାଯାଇଥିଲା। ଗାଁରେ ରହିବା ସମୟରେ ମାଇକ୍ ସ୍ଥାନୀୟ ଲୋକଙ୍କ ସହ ମିଶିବା, ଗାଁରେ ବୁଲିବା ଓ ପରିବାର ଲୋକଙ୍କ ସହ ମିଶି ଖାଇବାର ବେଶ୍ ମଜା ନେଇଥିଲେ।

ତାଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଖାଦ୍ୟ ପ୍ରସ୍ତୁତିରେ ଲଙ୍କା ମଧ୍ୟ କମ୍ ଦିଆଯାଉଥିଲା। ତେବେ କୌଣସି କାରଣରୁ ଗତ ୮ ତାରିଖ ସକାଳେ ମାଇକ୍ ଅସୁସ୍ଥ ଅନୁଭବ କରିଥିଲେ। ଛାତିରେ ଜଳାପୋଡ଼ା ହେଉଥିଲା । ବାରମ୍ବାର ବାନ୍ତି ହେଉଥିଲା। ଡିହାଇଡ୍ରେସନ୍ ସମସ୍ୟା ବି ଥିଲା। ତାଙ୍କୁ ତୁରନ୍ତ ପୂଜାରୀଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତର ପତିତ ପାବନ ଦ୍ବିବେଦୀ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଆବଶ୍ୟକ ଇଞ୍ଜେକ୍ସନ୍ ଏବଂ ଔଷଧ ଦେଇଥିଲେ।

Also Read :- kolkata Fire: କୋଲକାତାରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୯ ବାଂଲାଦେଶୀ ନାଗରିକ

ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ସ୍ବତନ୍ତ୍ର ନିରୀକ୍ଷଣରେ ରଖାଯାଇଥିଲା । ଚିକିତ୍ସା ପରେ ମାଇକ୍ ସୁସ୍ଥ ଅନୁଭବ କରି ଫେରିଥିଲେ । ଏହି ସମୟରେ ସେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇବା ସହ ନିଜ ଅନୁଭୂତି ବ୍ୟକ୍ତ କରିଥିଲେ। ନିଜ ଦେଶକୁ ଫେରିବା ପରେ ମାଇକ୍ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିବା ଏକ ଭିଡିଓରେ ନିଜ ଅନୁଭୂତି ବାଣ୍ଟିଛନ୍ତି। ଓଡ଼ିଆଙ୍କ ‘ଅତିଥି ଦେବୋ ଭବ ପରମ୍ପରା ତାଙ୍କ ମନ କିଣିନେଇଥିବା ସେ ପ୍ରକାଶ କରିଛନ୍ତି ।