କୋଲକାତା, ୦୬/୦୫: ଜଳିଲା ପଶ୍ଚିମବଙ୍ଗ । ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । କେଉଁଠି ଟିଏମସିର କାର୍ଯ୍ୟାଳୟରେ ନିଆଁ ଲାଗିଛି । ଆଉ କେଉଁଠି ମୂର୍ତ୍ତି ଭଙ୍ଗାରୁଜା ହୋଇଛି ।

ରିପୋର୍ଟ ଅନୁସାରେ, ଗତ ୪ ତାରିଖରେ ପଶ୍ଚିମବଙ୍ଗ ବିଧାନସଭାର ଭୋଟ୍ ଗଣତି ହୋଇଥିଲା । ଏଥିରେ ବିଜେପି ବାଜିମାତ କରି ସରକାର ଗଠନ କରିବାକୁ ଯାଉଛି । ଦଳ ୨୦୦ରୁ ଅଧିକ ସିଟରେ ଜିତିଛି । ଶାସନରେ ଥିବା ଟିଏମସି ୯୦ ଭିତରେ ସୀମିତ ରହିଛି । ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବିଜେପି । ତେବେ ଭୋଟ୍ ଗଣତି ପରେ ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆସନସୋଲର ଉତ୍ତର ବିଧାନସଭା ସିଟରେ ତୃଣମୂଳ କଂଗ୍ରେସର ଏକ କାର୍ଯ୍ୟାଳୟରେ କେହି ନିଆଁ ଲଗାଇ ଦେଇଛନ୍ତି । ଏହି କାର୍ଯ୍ୟାଳୟଟି ଟିଏମସି ନେତା ମୋସମୀ ବୋସଙ୍କ ଓ୍ୱାର୍ଡରେ ଥିଲା । ନିଆଁରେ କାର୍ଯ୍ୟାଳୟଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ପାଖରେ ଥିବା ଏକ ଦୋକାନ ବି କ୍ଷତିଗ୍ରସ୍ତ ହୋଇଛି ।

ଘଟଣା ପରେ ନୂଆକରି ଜିତିଥିବା ସ୍ଥାନୀୟ ବିଜେପି ବିଧାୟକ କୃଷ୍ଣେନ୍ଦୁ ମୁଖାର୍ଜୀ ଦମକଳ ବାହିନୀକୁ ଖବର ଦେଇଥିଲେ । ଏହାପରେ ଦମକଳ ବାହିନୀ ଆସି ନିଆଁ ଲିଭାଇବାରେ ସମର୍ଥ ହୋଇଥିଲା । ପୋଲିସ ମଧ୍ୟ ଆଖପାଖରେ ଲାଗିଥିବା ସିସିଟିଭିର ଯାଞ୍ଚ୍ କରୁଛି ।

Also Read :- ଖାଲି ମମତା ନୁହେଁ, ହାରିଗଲେ ଟିଏମସିର ୨୨ ମନ୍ତ୍ରୀ : ୫୪ ବର୍ଷ ପରେ ପ୍ରଥମ ଘଟଣା

ସେହିପରି ପଶ୍ଚିମବଙ୍ଗର ମୁର୍ଶିଦାବାଦର ଜିୟାଗଞ୍ଜରେ ଅନ୍ୟ ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଲେନିନଙ୍କର ଏକ ପୁରୁଣା ମୂର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି । ଟିଏମସି ସାଂସଦ ମୋହୁଆ ମୋଇତ୍ରା ଅଭିଯୋଗ କରିଛନ୍ତି ଯେ, ଏହା ବିଜେପି ସମର୍ଥକଙ୍କର କାମ ଅଟେ । ସେମାନେ ଏହି ସ୍ଥାନରେ ଅନ୍ୟ ମୂର୍ତ୍ତି ଲଗାଇବା ପାଇଁ ଯୋଜନା କରୁଛନ୍ତି । ତେବେ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି ।

ଟିଏମସି କାର୍ଯ୍ୟାଳୟରେ ବୁଲଡୋଜର୍

ମଙ୍ଗଳବାର ରାତିରେ କିଛି ବ୍ୟକ୍ତି ଏକ ବୁଲଡୋଜର୍ ଧରି ମଧ୍ୟ କୋଲକାତାରେ ଥିବା ଟିଏମସି କାର୍ଯ୍ୟାଳୟରେ ପହଁଚିଥିଲେ । ସେମାନେ ଅଫିସ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ । ଏପରିକି ଟିଏମସିର ନ୍ୟୁ ମାର୍କେଟରେ ଥିବା ୟୁନିଅନ ଅଫିସକୁ ଭାଙ୍ଗି ଦେଇଥିଲେ । ଏହି ଅଞ୍ଚଳ କୋଲକାତାର ଅନ୍ୟତମ ବ୍ୟସ୍ତବହୁଳ ମାର୍କେଟ୍ । ଏହା ପଛରେ ନୂଆ କରି ଜିତିଥିବା ଦଳର ହାତ ଥିବା ଟିଏମସି ସାଂସଦ ଡେରେକ୍ ଓ ବ୍ରାଏନ୍ କହିଛନ୍ତି ।

ଆହୁରି ମଧ୍ୟ ଜଗତବଲ୍ଲଭପୁରରେ ଥିବା ଟିଏମସି କାର୍ଯ୍ୟାଳୟକୁ ମଧ୍ୟ ଦୁର୍ବୃତ୍ତମାନେ ନିଆଁ ଲଗାଇ ଜାଣି ଦେଇଛନ୍ତି । ଏହା ବିଜେପି ଦ୍ୱାରା କରାଯାଇଥିବା ଟିଏମସି ନେତା କଲ୍ୟାଣ ବାନାର୍ଜୀ ଅଭିଯୋଗ କରିଛନ୍ତି । ତେବେ ନିଆଁ ଲାଗିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।