ଭୁବନେଶ୍ୱର, ୧୧।୧୧ : ସେମିଳିଗୁଡ଼ାରେ ରାତି ତାପମାତ୍ରା ଖସି ଆସିଲା ୧୧.୬ ଡିଗ୍ରୀ ସେଲସିୟସକୁ । ଜି.ଉଦୟଗିରି ୧୨.୪, ଦାରିଙ୍ଗିବାଡ଼ି ୧୪, ଫୁଲବାଣୀ ୧୪.୫, ଝାରସୁଗୁଡ଼ା ୧୪.୫ ଓ ଭବାନୀପାଟଣା ୧४.୬ ଡିଗ୍ରୀ ସେଲସିୟସ ହୋଇଗଲା । ସବୁଠି ଛୁଇଁଛି ପହିଲି ଶୀତ।

ଉପକୂଳ ଓଡ଼ିଶା ବି ଶୀତର ହାଲୁକା ସ୍ପର୍ଶ ପାଇଛି। କଟକ-ଭୁବନେଶ୍ଵରରେ ରାତି ତାପମାତ୍ରା ୨୦ ଡିଗ୍ରୀ ତଳେ। ରାଜ୍ୟର ଅଳ୍ପ କିଛି ସ୍ଥାନକୁ ଛାଡ଼ିଦେଲେ ପ୍ରାୟ ସବୁଠି ରାତି ପାରଦ ୨୦ ଡିଗ୍ରୀ ତଳେ ରହିଛି। ଦକ୍ଷିଣ, ଆଭ୍ୟନ୍ତରୀଣ ଏବଂ ପଶ୍ଚିମରେ ଶୀତ ଅନୁଭୂତ ହୋଇଛି।

Also Read :- Horoscope Today : ନଭେମ୍ବର ୧୧ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ରାଜ୍ୟର ପ୍ରାୟ ୬ଟି ସ୍ଥାନରେ ସୋମବାର ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ଭିତରେ ରହିଥିଲା। ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ସାଢ଼େ ୩ ଡିଗ୍ରୀ କମ୍ ଥିଲା । ଭବାନୀପାଟଣାରେ ୨ ଡିଗ୍ରୀ କମ୍ ଥିଲା ସ୍ବାଭାବିକ ତୁଳନାରେ। ନବରଙ୍ଗପୁରରେ ୧୫, ରାଉରକେଲାରେ ୧୫.୭, ହୀରାକୁଦରେ ୧୬, ସମ୍ବଲପୁରରେ ୧୬.୨, ସୁନ୍ଦରଗଡ଼ର କିରେଇରେ ୧୬.୨, କେନ୍ଦୁଝରରେ ୧୬.୬, ରାୟଗଡ଼ା ୧୬.୬, ଚିପିଲିମା ୧୬.୮ ଡିଗ୍ରୀ ଥିଲା। ଭୁବନେଶ୍ଵର ୧୮.୫, କଟକ ୧୭.୪ ଡିଗ୍ରୀ ସେଲସିୟସ୍ ଥିଲା । ହୀରାକୁଦରେ ସ୍ବାଭାବିକରୁ ୩.୨ ଡିଗ୍ରୀ କମ୍ ଥିଲା ରାତିର ତାପମାତ୍ରା।

ସବୁଠାରୁ ବିଚିତ୍ର ପାଗ ଥିଲା କୋରାପୁଟ ଜିଲ୍ଲାରେ । କୋରାପୁଟ ସହରରେ ରାତି ତାପମାତ୍ରା ୨୦ ଡିଗ୍ରୀ ଥିଲା, ଯାହାକି ସ୍ବାଭାବିକ ତୁଳନାରେ ୫.୨ ଡିଗ୍ରୀ ଅଧିକ। ମାତ୍ର କୋରାପୁଟ ସହରଠାରୁ ମାତ୍ର ୨୦-୨୨ କିମି ଦୂର ସେମିଳିଗୁଡ଼ାରେ ରାତି ତାପମାତ୍ରା ୧୧.୬ ଡିଗ୍ରୀ ଥିଲା । କୋରାପୁଟଠାରୁ ପ୍ରାୟ ୮.୪ ଡିଗ୍ରୀ କମ୍।

ପାଣିପାଗ ବିଭାଗର ଆକଳନ ହେଲା, ବର୍ତ୍ତମାନ ଏଭଳି ପାଗ ରହିବ ପ୍ରାୟ ୭ ଦିନ ଧରି । ସପ୍ତାହେ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ପ୍ରାୟତଃ ନାହିଁ । ଆଇଏମଡି ସୂଚନା ଅନୁସାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୧୩ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି। ହେଲେ ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ପଡ଼ିନପାରେ। ଓଡ଼ିଶାକୁ ବାଦଲ ଆସିପାରେ, ମାତ୍ର ବର୍ଷା ସମ୍ଭାବନା କମ୍ । ଏହା କହିଛନ୍ତି ଭୁବନେଶ୍ଵର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ।