ୱାସିଂଟନ: ଇରାନ ସହ ଆମେରିକାର ଯୁଦ୍ଧ ୬ ମାସକୁ ପହଞ୍ଚିଛି ଓ ଏହି ସମୟରେ ହତାହତ ହୋଇଥିବା ଆମେରିକୀୟ ସୈନିକଙ୍କ ସଂଖ୍ୟା ୭୭୦କୁ ପହଞ୍ଚି ଯାଇଛି। ପେଣ୍ଟାଗନ ତଥ୍ୟ ଅନୁସାରେ ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ୭୭୪ ଜଣ ଆମେରିକୀୟ ସୈନ୍ୟ କର୍ମୀ ହତାହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୫୬ ଜଣ ଆହତ ହୋଇଛନ୍ତି। ଆମେରିକୀୟ ସମ୍ବାଦପତ୍ର ‘ଦି ୱାସିଂଟନ ପୋଷ୍ଟ’ ପେଣ୍ଟାଗନ ସୂତ୍ରରୁ ଏହି ସୂଚନା ଦେଇଛି। ରିପୋର୍ଟ ଅନୁସାରେ ନିକଟ ଅତୀତରେ ପେଣ୍ଟାଗନ ଆହତ ସୈନିକଙ୍କ ସୂଚୀର ବହୁ ସଂଖ୍ୟାରେ ନୂଆ ନାମ ଯୋଡିଛି।

ଖାସ କଥା ହେଉଛି ଗତ କିଛି ସପ୍ତାହ ହେଲା ଆମେରିକା ଓ ଇରାନ ମଧ୍ୟରେ ସେଭଳି ବଡ଼ ଧରଣ ଯୁଦ୍ଧ ହୋଇ ନାହିଁ ଓ ଉଭୟପକ୍ଷ ଅନେକାଂଶରେ ଯୁଦ୍ଧବିରାମ ପାଳନ କରୁଛନ୍ତି। ଏଣୁ ଆହତଙ୍କ ସଂଖ୍ୟା ବଢିବାର କାରଣ କଣ ହୋଇପାରେ ବୋଲି ଏବେ ପ୍ରଶ୍ନ ଉଠୁଛି। ରିପୋର୍ଟ ମୁତାବକ ନିକଟରେ ଯୋଡା ହୋଇଥିବା ସୈନିକଙ୍କ ନାମ ମଧ୍ୟରେ ସେମାନଙ୍କ ନାମ ରହିଛି ଯେଉଁମାନଙ୍କ ନାମ ପୂର୍ବରୁ ଥିଲା। ହେଲେ ଏହାର ରେକର୍ଡ ପେଣ୍ଟାଗନର ଅଧିକାରୀକ ହତାହତ ଡାଟାବେସ୍ ରେ ଏବେ ଦେଖା ଯାଉଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୁନରେ ଇରାନ ସହିତ ହୋଇଥିବା ୧୪ ସୂତ୍ରୀ ବୁଝାମଣା ପରେ ଯୁଦ୍ଧବିରାମ ଅବଧି ଆଗକୁ ବଢାଇ ନାହାନ୍ତି। ପୂର୍ବରୁ ଥିବା ଯୁଦ୍ଧବିରାମ ଗତ ସୋମବାର ସମାପ୍ତ ହୋଇଛି। ଏହା ସତ୍ୱେ କୌଣସି ପକ୍ଷରୁ ବଡ଼ ଧରଣର ସୈନ୍ୟ ଅଭିଯାନ ହାତକୁ ନିଆଯାଇନି। ଯଦିଓ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ସମ୍ପୂର୍ଣ୍ଣ ସମାପ୍ତ ହୋଇନି ତଥାପି ଷ୍ଟ୍ରେଟ୍ ଅଫ ହର୍ମୁଜ ଏବେବି ବିବାଦର ସବୁଠୁ ବଡ଼ ପ୍ରସଙ୍ଗ ହୋଇ ରହିଛି। ଇତି ମଧ୍ୟରେ ସିଏନଏନ ବୁଧବାର ସୂଚନା ଦେଇଥିଲା ଯେ ହତାହତ ଆମେରିକୀୟ ସୈନିକଙ୍କ ସଂଖ୍ୟା ୭୫୦ ପାର କରିଯାଇଛି।

ଏଥିମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଏବେକା ସ୍ଥିତିକୁ ନେଇ ସକରାତ୍ମକ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି ଯେ ସ୍ଥିତି ଏବେ ବହୁତ ଭଲ ଅଛି। ତେବେ ୱାସିଂଟନ ଓ ତେହେରାନ ମଧ୍ୟରେ କଥାବାର୍ତ୍ତା ଏବେ ଅଟକି ରହିଛି। ହେଲେ ଷ୍ଟ୍ରେଟ୍ ଅଫ ହର୍ମୁଜକୁ ନେଇ ଏବେବି ଉତ୍ତେଜନା ଲାଗି ରହିଛି। ଏହି ଜଳ ମାର୍ଗ ବୈଶ୍ୱିକ ତୈଳ ଓ ଗ୍ୟାସ୍ ଯୋଗାଣର ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ ଓ ଇରାନ ଆମେରିକା ସଂଘର୍ଷରେ ବିବାଦର କେନ୍ଦ୍ର ହୋଇ ରହିଛି। ଉଲ୍ଲେଖଯୋଗ୍ୟ ଯେ ଉଭୟ ଦେଶ ହର୍ମୁଜକୁ ନିଜର ଦାବି କରୁଛନ୍ତି ଓ ଜଣେ ଜଣକ ଉପରକୁ ଟାର୍ଗେଟ୍ କରୁଛନ୍ତି।