ନାଗୋୟା: ଭାରତୀୟ ଆଥଲେଟିକ୍ସରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଏମିତି ଦୌଡ଼ିଲେ ବିଥ୍ୟା ରାମରାଜ, ଭାଙ୍ଗିଦେଲେ ମହାନ ଧାବିକା ପିଟି ଉଷାଙ୍କ ୪୨ ବର୍ଷ ପୁରୁଣା ଜାତୀୟ ରେକର୍ଡ। ଏସିଆନ୍ ଗେମ୍ସ ୨୦୨୬ର ମହିଳା ୪୦୦ ମିଟର ହର୍ଡଲ୍ସରେ ବ୍ରୋଞ୍ଜ ପଦକ ଜିତିବା ସହ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି ବିଥ୍ୟା।

ବିଥ୍ୟା ରାମରାଜ ମାତ୍ର ୫୪.୭୫ ସେକେଣ୍ଡରେ ରେସ୍ ଶେଷ କରିଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ହେବା ସହ ନୂଆ ଜାତୀୟ ରେକର୍ଡ ମଧ୍ୟ। ଏହା ପୂର୍ବରୁ ପିଟି ଉଷା ୧୯୮୪ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ୫୫.୪୨ ସେକେଣ୍ଡ ସମୟ ସହ ଏହି ରେକର୍ଡ କରିଥିଲେ। ବିଥ୍ୟା ପୁରୁଣା ରେକର୍ଡଠାରୁ ୦.୬୭ ସେକେଣ୍ଡ ଦ୍ରୁତ ଦୌଡ଼ି ଇତିହାସ ବଦଳାଇଦେଇଛନ୍ତି।

ବିଥ୍ୟାଙ୍କ ପାଇଁ ଏହି ରେକର୍ଡ ଭାଙ୍ଗିବାର କାହାଣୀ ମଧ୍ୟ ଖୁବ୍ ରୋଚକ। ୨୦୨୩ ହାଙ୍ଗଝୋ ଏସିଆନ୍ ଗେମ୍ସରେ ସେ ୫୫.୪୨ ସେକେଣ୍ଡ ସମୟ ନେଇ ପିଟି ଉଷାଙ୍କ ରେକର୍ଡର ସମକକ୍ଷ ହୋଇଥିଲେ। ସେତେବେଳେ ଉଷାଙ୍କ ରେକର୍ଡ ୩୯ ବର୍ଷ ଧରି ଅତୁଟ ରହିଥିଲା। ଏବେ ତିନି ବର୍ଷ ପରେ ନାଗୋୟାରେ ବିଥ୍ୟା ଶେଷରେ ସେହି ରେକର୍ଡକୁ ଭାଙ୍ଗିଛନ୍ତି।ମହିଳା ୪୦୦ ମିଟର ହର୍ଡଲ୍ସ ଫାଇନାଲରେ ବିଥ୍ୟା ୫୪.୭୫ ସେକେଣ୍ଡ ସହ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ଜିତିଛନ୍ତି। ୟୁଏଇର ମରିୟମ କରିମ୍ ୫୪.୩୧ ସେକେଣ୍ଡ ସହ ସ୍ୱର୍ଣ୍ଣ ଜିତିଥିବା ବେଳେ କାଜାଖସ୍ତାନର ଆଡେଲିନା ଜେମ୍ସ ୫୪.୫୮ ସେକେଣ୍ଡ ସହ ରୌପ୍ୟ ପଦକ ହାସଲ କରିଛନ୍ତି। ଭାରତର ଅନୁ ରାଘବନ୍ ୫୫.୮୮ ସେକେଣ୍ଡ ସମୟ ସହ ପଞ୍ଚମ ସ୍ଥାନରେ ରହିଛନ୍ତି।

ALSO READ- ବିରାଟଙ୍କ ଶତକ ପରେ ଖୁସି ନଥିଲେ ଗିଲ୍ ! କାହିଁକି କହିଲେ 'ମତେ ଦୁଃଖ ଲାଗୁଛି' ?

ବିଥ୍ୟା ରାମରାଜଙ୍କ ଏହି ସଫଳତା ପଛରେ ରହିଛି ଦୀର୍ଘ ସଂଘର୍ଷ। କୋଏମ୍ବାଟୁରର ଏକ ସାଧାରଣ ପରିବାରରୁ ଆସିଥିବା ବିଥ୍ୟାଙ୍କ ବାପା ଟ୍ରକ୍ ଡ୍ରାଇଭର ଥିଲେ। ତାଙ୍କ ଭଉଣୀ ନିତ୍ୟା ମଧ୍ୟ ଜଣେ ହର୍ଡଲର୍। ଆର୍ଥିକ ସମସ୍ୟା ସତ୍ତ୍ୱେ ଦୁଇ ଭଉଣୀ ଆଥଲେଟିକ୍ସକୁ କ୍ୟାରିୟର ଭାବେ ବାଛିଥିଲେ। ଟୋକିଓ ଅଲିମ୍ପିକ୍ସ ଟ୍ରାଏଲ୍ ପୂର୍ବରୁ କୋଭିଡ୍ ସଂକ୍ରମଣ ଓ ଆପେଣ୍ଡିସାଇଟିସ୍ ଅପରେସନ୍ ତାଙ୍କ ପ୍ରସ୍ତୁତିରେ ବାଧା ସୃଷ୍ଟି କରିଥିଲା। ପରେ ନୂଆ ପ୍ରଶିକ୍ଷଣ ବ୍ୟବସ୍ଥାରେ ଯୋଗଦେଇ ସେ ୪୦୦ ମିଟର ଓ ୪୦୦ ମିଟର ହର୍ଡଲ୍ସ ଦୁଇଟି ଇଭେଣ୍ଟରେ ନିଜକୁ ପ୍ରସ୍ତୁତ କରିଥିଲେ।

୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା ୪x୪୦୦ ମିଟର ରିଲେ ଟିମ୍ର ସଦସ୍ୟ ଥିବା ବିଥ୍ୟା ଏବେ ଏସିଆନ୍ ଗେମ୍ସରେ ଆଉ ଏକ ପଦକ ନିଜ ନାଁରେ କରିଛନ୍ତି। ଏହା ପୂର୍ବରୁ ଏହି ଗେମ୍ସର ମିକ୍ସଡ୍ ୪x୪୦୦ ମିଟର ରିଲେରେ ସେ ରୌପ୍ୟ ପଦକ ଜିତିଥିଲେ।

୪୨ ବର୍ଷ ଧରି ଯେଉଁ ରେକର୍ଡକୁ ପିଟି ଉଷା ନିଜ ନାଁରେ ରଖିଥିଲେ, ଆଜି ସେହି ରେକର୍ଡର ନୂଆ ମାଲିକ ହେଲେ ବିଥ୍ୟା ରାମରାଜ। ଭାରତୀୟ ଆଥଲେଟିକ୍ସରେ ତାଙ୍କ ନାଁ ଏବେ ଏକ ନୂଆ ରେକର୍ଡ ସହ ଲେଖା ହୋଇଗଲା।