ନୂଆଦିଲ୍ଲୀ: ଆଗକୁ ଦିନିକିଆ ବିଶ୍ୱକପ। ହେଲେ ଭାରତର ରନ ମେସିନ ବିରାଟ କୋହଲିଙ୍କ ବ୍ୟାଟ ଏକଦମ ନିରବୀ ଯାଇଛି। ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଦୀର୍ଘଦିନ ହେଲାଣି ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି ବିରାଟ କୋହଲି। ଦୀର୍ଘ ୭ ବର୍ଷ ହେଲାଣି ଏହି ଦଳଗୁଡ଼ିକ ବିପକ୍ଷରେ ଗୋଟିଏ ବି ଶତକ ମାରିପାରି ନାହାନ୍ତି କୋହଲି। ତେଣୁ ଚିନ୍ତାରେ ପଡ଼ିଲେଣି ସିଲେକ୍ଟର। ଏପଟେ ସଦ୍ୟ ସମାପ୍ତ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ବିରାଟ ଲଗାତର ୩ ଥର ସିଙ୍ଗିଲ ଡିଜିଟ ସ୍କୋରରେ ଆଉଟ୍ ହୋଇ ଏକ ବିରଳ ଅଲୋଡ଼ା ରେକର୍ଡ କରିଛନ୍ତି। ଏଥିରେ ବିରାଟ କୋହଲିଙ୍କ ପ୍ରଦର୍ଶନ ୧୧ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଯାଇଛି ବୋଲି କୁହାଯାଉଛି।

ଲଗାତର ତିନିଟି ମ୍ୟାଚ୍‌ରେ ସିଙ୍ଗଲ୍ ଡିଜିଟ୍ ସ୍କୋର

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ବର୍ଷା ବାଧିତ ପ୍ରଥମ ମ୍ୟାଚରେ କୋହଲି ୫୧ ବଲରୁ ୭୪ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ସମସ୍ତେ ଭାବିଥିଲେ ବିରାଟ କୋହଲି ଏକା ଟିମ୍‌ର ମଙ୍ଗ ସମ୍ଭାଳିନେବେ। ହେଲେ ପରବର୍ତ୍ତି ମ୍ୟାଚ୍‌ଗୁଡ଼ିକରେ ତାଙ୍କର ଖରାପ ବ୍ୟାଟିଂ ସମସ୍ତଙ୍କୁ ନିରାଶ କରିଥିଲା। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ବିରାଟ ମାତ୍ର ୭ ରନ୍ କରିଥିବା ବେଳେ ଚତୁର୍ଥ ଦିନିକିଆରେ ଖାତା ଖୋଲି ନପାରି ଆଉଟ୍ ହୋଇଥିଲେ।

Also Read- ଅଣ୍ଡର-୧୯ ଏସିଆ କପ୍ ବିଜୟ ସେଲିବ୍ରେସନ ବିବାଦକୁ ନେଇ ମୁହଁ ଖୋଲିଲେ ବିଜେତା ମୋହିତ ଉଲଭା: କହିଲେ ଆମେ ପାକିସ୍ତାନ ଭଳି...

ସେହିପରି ରବିବାର ବେ ଓଭାଲରେ ଖେଳାଯାଇଥିବା ସିରିଜର ଶେଷ ମ୍ୟାଚ୍‌ରେ ବିରାଟ ସିଙ୍ଗିଲ ଡିଜିଟ ସ୍କୋର- ମାତ୍ର ୫ ରନ୍ କରି ଆଉଟ ହୋଇଥିଲେ। ଏହା ତାଙ୍କର ଗତ ୧୧ ବର୍ଷର ସର୍ବନିମ୍ନ ପ୍ରଦର୍ଶନ ଥିଲା ବୋଲି କୁହାଯାଉଛି। ନ୍ୟୁଜିଲାଣ୍ଡ ବିପକ୍ଷ ଏହି ବୋଲର ଡୋମିନେଟେଡ୍ ସିରିଜ୍‌ରେ ବିରାଟ ମାତ୍ର ୪ଟି ଇନିଂସରୁ ୮୬ ରନ୍ କରିଥିଲେ ମଧ୍ୟ ୨୧.୫୦ ହାରରେ ସେ ଭାରତର ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର ହୋଇଥିଲେ।

୪ ଥର ସିଙ୍ଗିଲ ଡିଜିଟ ସ୍କୋରରେ ଆଉଟ ହୋଇଛନ୍ତି ବିରାଟ

ଗୋଟିଏ ଦିନିକିଆ ସିରିଜରେ ଲଗାତର ତିନିଥର ସିଙ୍ଗିଲ ଡିଜିଟ ସ୍କୋରରେ ଆଉଟ ହେବା ବିରାଟ କୋହଲଙ୍କ ପାଇଁ କୌଣସି ନୂଆ କଥା ନୁହେଁ। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜକୁ ମିଶାଇଲେ ବିରାଟ ଚତୁର୍ଥ ଥର ପାଇଁ କୌଣସି ଦିନିକିଆ ସିରିଜରେ ୩ ଥର ଏକ ଅଙ୍କ ବିଶିଷ୍ଟ ସ୍କୋରରେ ଆଉଟ ହୋଇଛନ୍ତି। ଏହା ପୂର୍ବରୁ ୨୦୧୧ ବିଶ୍ୱ କପ୍ ମୁକାବିଲା, ୨୦୧୨/୧୩ ପାକିସ୍ତାନ ଗସ୍ତ ମୁକାବିଲା, ୨୦୧୪/୧୫ରେ ହୋଇଥିବା ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଇଣ୍ଡିଆ ତ୍ରିକୋଣୀୟ ଦିନିକିଆ ସିରିଜ୍‌ରେ ବିରାଟ ଲଗାତର ୩ ଥର ସିଙ୍ଗଲ ଡିଜିଟ ସ୍କୋର କରି ଆଉଟ ହୋଇସାରିଛନ୍ତି।

ଘରୋଇ ମାଟିରେ ଦମଦାର, ବିଦେଶରେ ଫୁସ୍...

ତେବେ ଚଳିତ ବର୍ଷ ଦିନିକିଆ କ୍ରିକେଟ୍‌ରେ ବିରାଟଙ୍କ ପ୍ରଦର୍ଶନକୁ ଦେଖିଲେ ତାଙ୍କ ପ୍ରଦର୍ଶନ ଭଲ ରହିଛି। ସେ ୧୪ଟି ମ୍ୟାଚ୍‌ରେ ୧୩ଟି ଇନିଂସ ଖେଳି ୬୩୮ ରନ୍ କରିଛନ୍ତି। ଏଥିରେ ୨ଟି ଶତକ ଓ ୪ଟି ଅର୍ଦ୍ଧଶତକ ରହିଛି। ଏହି ସମୟରେ ତାଙ୍କର ବେଷ୍ଟ ସ୍କୋର ୧୩୯ ରହିଥିଲା। ୫୩.୧୬ ବ୍ୟାଟିଂ ଆଭେରଜ ସହ ୧୧୮.୬୦ ଷ୍ଟ୍ରାଇକ୍ ରେଟରେ ରନ ସଂଗ୍ରହ କରିଛନ୍ତି ବିରାଟ। ତେବେ ଘରୋଇ ମାଟିରେ ତାଙ୍କ ପ୍ରଦର୍ଶନ ଆହୁରି ଚମତ୍କାର। ଚଳିତ ବର୍ଷ ଭାରତରେ ଖେଳିଥିବା ୬ଟି ଇନିଂସରେ ବିରାଟ ୮୧.୬୦ ହାରରେ ୪୦୮ ରନ୍ କରିଛନ୍ତି। ଏଥିରେ ୨ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଛି।

ହେଲେ ବିଦେଶରେ ତାଙ୍କର ପ୍ରଦର୍ଶନ ଫିକା ରହିଛି। ବିଶେଷ କରି ଉପରୋକ୍ତ ଦେଶଗୁଡ଼ିକ ବିରୋଧରେ ବିରାଟଙ୍କ ଫର୍ମ ଏକଦମ ଖରାପ ରହିଛି। ଏହି ଦେଶଗୁଡ଼ିକ ବିରୁଦ୍ଧରେ ବିରାଟ ୭ଟି ଇନିଂସ ଖେଳିଥିବା ବେଳେ ମାତ୍ର ୨୩୦ ରନ୍ କରିଛନ୍ତି। ବ୍ୟାଟିଂ ଆଭେରଜ ୩୨.୮୫କୁ ଖସି ଆସିଥିବା ବେଳେ ଷ୍ଟ୍ରାଇକ୍ ରେଟ୍ ୧୧୪.୪୨ ରହିଛି। ଏହି ଦେଶଗୁଡ଼ିକ ବିରୁଦ୍ଧରେ ବିରାଟ ମାତ୍ର ୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ବାକି ଅନ୍ୟ ଇନିଂସଗୁଡ଼ିକରେ ସେ କେବଳ ଏକ ଅଙ୍କ ବିଶିଷ୍ଟ ସ୍କୋର ହିଁ କରିପାରିଛନ୍ତି।

Also Read- ଅଣ୍ଡର-୧୯ ଏସିଆ କପ ଫାଇନାଲରେ ଭାରତୀୟ ଖେଳାଳିଙ୍କ ବିବାଦୀୟ ସେଲିବ୍ରେସନ ! ଭାଙ୍ଗିଲା କି କ୍ରିକେଟ ନିୟମ ? ବିସିସିଆଇ କହିଲା...

୨୦୧୯ ପର ଠାରୁ ନାହିଁ ଗୋଟିଏ ବି ଶତକ

ଦିନିକିଆ କ୍ରିକେଟରେ ବିରାଟ କୋହଲି ଭଲ ପ୍ରଦର୍ଶନ କରି ଆସିଥିଲେ ବି ୨୦୧୯ ମସିହା ପରଠାରୁ ସେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ବି ଶତକ ହାସଲ କରିପାରି ନାହାନ୍ତି। ବିରାଟ ଶେଷ ଥର ପାଇଁ ୨୦୧୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ୍‌ରେ ଶତକ ମାରିଥିଲେ। ୨୦୧୯ ପରଠାରୁ, ବିରାଟ ୨୨ଟି ଦିନିକିଆ ମ୍ୟାଚ୍‌ର ୨୧ଟି ଇନିଂସ ଖେଳି ୩୫.୦୫ ଆଭେରଜରେ ୮୯.୯୮ ଷ୍ଟ୍ରାଇକ୍ ରେଟ ସହ ମୋଟ ୭୦୧ ରନ୍ କରିଛନ୍ତି। ଯେଉଁଥିରେ ୯ଟି ଅର୍ଦ୍ଧଶତକ ରହିଛି। ହେଲେ ଶତକ ଶୂନ।

୨୧ଟି ଇନିଂସରେ ୯ଟି ଅର୍ଦ୍ଧଶତକ ଖରାପ ପ୍ରଦର୍ଶନ ନୁହେଁ, ତେବେ ଅନ୍ୟ ଇନିଂସରେ ସେ ୨୦ ରନ୍‌ରୁ କମ୍ ସ୍କୋର କରିବା ନିହାତି ଚିନ୍ତାଜନକ। ଏହାମଧ୍ୟରେ ସେ ୪ ଥର ଡକ୍ ଅର୍ଥାତ ବିନା ସ୍କୋର କରି ଆଉଟ୍ ହୋଇଛନ୍ତି। ମୋଟାମୋଟି କହିବାକୁ ଗଲେ ବିରାଟ ୮ ଥର ଏକ ଅଙ୍କ ବିଶିଷ୍ଟ ସ୍କୋରରେ ଆଉଟ ହେବା ଭାରତୀୟ କ୍ରିକେଟ ପାଇଁ ଚିନ୍ତାର ବିଷୟ ନିଶ୍ଚିତ। ଏପଟେ ୨୦୨୭ ବିଶ୍ୱକପ ପଖେଇ ଆସୁଥିବା ବେଳେ ବିଦେଶରେ ବିରାଟଙ୍କ ଏଭଳି ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଗଲାଣି।

ଅନ୍ୟମାନଙ୍କ ବିରୁଦ୍ଧରେ ସୁଧୁରିଛି ପ୍ରଦର୍ଶନ

ତେବେ ଦିନିକିଆ ଫର୍ମାଟ୍‌ରେ ୨୦୧୯ ପର ଠାରୁ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆକୁ ଛାଡ଼ି ଦେଲେ ଅନ୍ୟ ଦେଶଗୁଡ଼ିକ ବିପକ୍ଷରେ ବିରାଟଙ୍କର ପ୍ରଦର୍ଶନରେ ସାମାନ୍ୟ ଉନ୍ନତି ଆସିଛି। ଏମାନଙ୍କ ବିରୁଦ୍ଧରେ ବିରାଟ ୩୯ ମ୍ୟାଚ୍‌ରେ ୩୫ ଇନିଂସ ଖେଳି ୧୨୩୩ ରନ୍ କରିଛନ୍ତି। ୩୮.୫୩ ଆଭେରଜରେ ରନ ସଂଗ୍ରହ କରିଛନ୍ତି। ଯେଉଁଥିରେ ଗୋଟିଏ ୧୨୨ ରନର ଅପରାଜିତ ବେଷ୍ଟ ସ୍କୋର ବି ରହିଛି। ଏଥିରେ ୩ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ରହିଛି।

ସମାନ ସମୟ ଅବଧିରେ ଘରୋଇ ମାଟିରେ ବିରାଟଙ୍କ ପ୍ରଦର୍ଶନ ବି ଭଲ ରହିଛି। ୨୦୧୯ ପରଠାରୁ ଘରୋଇ ମାଟିରେ ୪୧ଟି ଦିନିକିଆ ଖେଳି ୨,୨୫୩ ରନ୍ କରିଛନ୍ତି ବିରାଟ। ଏଥିରେ ୯ଟି ଶତକ ଓ ୧୫ଟି ଅର୍ଦ୍ଧଶତକ ରହିଛି। ୬୭.୨୨ ଆଭରେଜରେ ରନ ସଂଗ୍ରହ କରିବା ସହିତ ସର୍ବାଧିକ ସ୍କୋର ଅପରାଜିତ ୧୬୬ ରନ୍ ରହିଛି।

୨୦୨୭ ବିଶ୍ୱକପ୍ ପୂର୍ବରୁ ବଢ଼ିଲା ଚିନ୍ତା

୨୦୨୭ ମସିହାରେ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆରେ ଦିନିକିଆ ବିଶ୍ୱକପ୍ ଖେଳାଯିବ। ଏଭଳି ସ୍ଥିତିରେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ବିରାଟଙ୍କ ଲଗାତର ଖରାପ ପ୍ରଦର୍ଶନ ସିଲେକ୍ଟରଙ୍କ ପାଇଁ ମୁଣ୍ଡବଥାର କାରଣ ପାଲଟିଛି। ତଥାପି ତାଙ୍କ ଅଭିଜ୍ଞତା ଓ ସଫଳ କ୍ୟାରିୟରକୁ ଦେଖିଲେ ସେ ପୁଣିଥରେ ଫର୍ମକୁ ଫେରିବେ ବୋଲି କ୍ରିକେଟ ପ୍ରେମି ଆଶା ରଖିଛନ୍ତି।