ଅକଲ୍ୟାଣ୍ଡ: ବୁଧବାର ଅକଲ୍ୟାଣ୍ଡରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି। ଆଜିର ମ୍ୟାଚରେ ବିରାଟଙ୍କର ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଥିଲା। ସେ ଆଜି ଏକାଧିକ ରେକର୍ଡ ଭାଙ୍ଗିଛନ୍ତି। ଦିନିକିଆରେ ରନ୍ ଚେଜିଂରେ ସର୍ବାଧିକ ସ୍କୋର କରିଥିବା ବ୍ୟାଟର ଭାବେ ବିରାଟ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି।

ସଚିନଙ୍କ ରେକର୍ଡ ଭାଙ୍ଗିଲେ

ଦିନିକିଆ ଫର୍ମାଟରେ ରନ୍ ଚେଜିଂ କରି ବିରାଟ ମୋଟ ୮୭୪୧ ରନ୍ ପୂରା କରିଥିବା ବେଳେ ସଚିନ ରନ ଚେଜିଂରେ ୮୭୨୦ ରନ୍ କରିଛନ୍ତି। ତେବେ କେବଳ ସଚିନଙ୍କ ରେକର୍ଡ ନୁହେଁ, ଅଷ୍ଟ୍ରେଲିଆ ଲିଜେଣ୍ଡ ରିକି ପଣ୍ଟିଂଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି ବିରାଟ। ଦିନିକିଆ କ୍ରିକେଟ କ୍ୟାରିୟରେ ବିରାଟ କେବଳ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୯୭୧ ରନ୍ କରିଛନ୍ତି। ରିକିଂ ପଣ୍ଟିଂ ବି ସମାନ ସ୍କୋର କରିଛନ୍ତି।

୩ ନମ୍ବରରେ ବ୍ୟାଟିଂ କରି ୧୩ ହଜାର ରନ୍

ଆଜିର ମ୍ୟାଚରେ ବିରାଟ ଆଉ ଏକ ରେକର୍ଡ କରିଛନ୍ତି। ବିଶ୍ୱର ପ୍ରଥମ ବ୍ୟାଟର ଭାବେ ଦିନିକିଆ ମ୍ୟାଚରେ ନମ୍ବର ୩ରେ ବ୍ୟାଟିଂ କରି ୧୩ ହଜାର ରନ ପୂରଣ କରିଛନ୍ତି କୋହଲି। ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଏହି କ୍ରମରେ ବ୍ୟାଟିଂ କରି ସର୍ବାଧିକ ରନ କରିବାର ରେକର୍ଡ କରିଥିଲେ। ହେଲେ କିଛି ମାସ ପୂର୍ବରୁ ପଣ୍ଟିଂଙ୍କର ଏହି ରେକର୍ଡ ଭାଙ୍ଗି ଦେଇଥିଲେ ବିରାଟ କୋହଲି। ଏବେ ୧୩ ହଜାର ରନ ପୂରଣ କରିବା ସହିତ ନମ୍ବର ୩ରେ ସର୍ବାଧିକ ଶତକ ମାରିବାର କୀର୍ତ୍ତିମାନ ମଧ୍ୟ ବିରାଟଙ୍କ ନାଁରେ ରହିଛି।

ବିଦେଶ ମାଟିରେ ଦ୍ୱିତୀୟ ଦ୍ରୁତ ଅର୍ଦ୍ଧଶତକ

ଆଜିର ମ୍ୟାଚରେ ବିରାଟ ମାତ୍ର ୩୫ ବଲରେ ନିଜର ଅର୍ଦ୍ଧଶତକ ପୂରା କରିଥିଲେ। ବିଦେଶ ମାଟିରେ ଏହା ତାଙ୍କର ଦ୍ୱିତୀୟ ଦ୍ରୁତ ଅର୍ଦ୍ଧଶତକ ଥିଲା। ଏହା ପୂର୍ବରୁ ୨୦୧୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ୩୪ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ବିରାଟ। ଏହି ମ୍ୟାଚ୍ କ୍ୟାନବେରାରେ ଖେଳାଯାଇଥିଲା।

ସର୍ବାଧିକ ଶୂନରେ ଆଉଟ୍ ହୋଇ ଗାଙ୍ଗୁଲିଙ୍କୁ ପଛରେ ପକାଇଲେ ରୋହିତ

ଅନ୍ୟପଟେ ରୋହିତ ଶର୍ମା ମଧ୍ୟ ଏକ ବିରଳ ରେକର୍ଡ କରିଛନ୍ତି। ରୋହିତ ଦିନିକିଆରେ ୧୭ ଥର ଶୂନରେ ଆଉଟ ହୋଇ ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ଏହା ପୂର୍ବରୁ ଗାଙ୍ଗୁଲି ଦିନିକିଆରେ ସର୍ବାଧିକ ୧୬ ଥର ଶୂନରେ ଆଉଟ ହୋଇଥିଲେ। ଆଜିର ମ୍ୟାଚରେ ଅର୍ଶଦୀପ ସିଂହଙ୍କର ମଜାଳିଆ ଡାନ୍ସ ଦେଖିବାକୁ ମିଳିଥିଲା। ସେ କାଇଲ ଜେମିସନଙ୍କୁ ଆଉଟ କରିବା ପରେ ଡାନ୍ସ କରିଥିଲେ। ଏବଂ ସେ ଏହି ମୁହୂର୍ତ୍ତକୁ ନିଜ ଗର୍ଲଫ୍ରେଣ୍ଡକୁ ଉତ୍ସର୍ଗ କରିଥିଲେ।