ୱାଶିଂଟନ ଡିସି: ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଦଳ ରିପବ୍ଲିକାନ ପାର୍ଟି ବହୁମତ ପାଇବାର ବିଫଳ ହୋଇଛି। ଇରାନ ସହ ଯୁଦ୍ଧ ଯୋଗୁ ତୈଳ ଦର ବୃଦ୍ଧି ଓ ମୁଦ୍ରାସ୍ଫୀତି ଏହି ପରାଜୟର କାରଣ ହୋଇ ଛିଡ଼ା ହୋଇଛି। ଯାହାକୁ ସ୍ୱୀକାର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ପରାଜୟ ପରେ ଟ୍ରମ୍ପଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଇରାନ ଯୁଦ୍ଧ ଏବଂ ଇନ୍ଧନ ମୂଲ୍ୟବୃଦ୍ଧିର ପ୍ରଭାବ ରିପବ୍ଲିକାନ ପାର୍ଟିର ପ୍ରଦର୍ଶନକୁ ପ୍ରଭାବିତ କରିଥାଇପାରେ ବୋଲି ଟ୍ରମ୍ପ କହିଛନ୍ତି। ତା’ ସହିତ ବିରୋଧୀ ଦଳ ସହ ସମନ୍ୱୟ ରକ୍ଷା କରି କାମ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଇମିଗ୍ରେସନ ପ୍ରସଙ୍ଗରେ ବିରୋଧୀ ଡେମୋକ୍ରାଟଙ୍କ ସହ ମିଶି କାମ କରିବାକୁ ପ୍ରସ୍ତୁତ ବୋଲି ଟ୍ରମ୍ପ କହିଛନ୍ତି। ତେବେ ତାଙ୍କ କ୍ୟାବିନେଟରେ କୌଣସି ବଡ଼ ପରିବର୍ତ୍ତନକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି।

ଇଲେକ୍ସନ ରେଜଲ୍ଟକୁ ନେଇ ଟ୍ରମ୍ପ କହିଛନ୍ତି “ଡେମୋକ୍ରାଟ୍ସ ଭଲ କାମ କରିଛନ୍ତି। ତେବେ ଏଭଳି ଇନ୍ଧନମୂଲ୍ୟର ସ୍ୱଳ୍ପକାଳୀନ ବୃଦ୍ଧି ପାଇଁ ବୋଧ ହୁଏ ଲୋକମାନେ ପ୍ରସ୍ତୁତ ନଥିଲେ। ତେଣୁ ନିର୍ବାଚନ ଫଳାଫଳକୁ ସ୍ୱୀକାର କରୁଛି।”

ଯଦିଓ ଟ୍ରମ୍ପ ଇମିଗ୍ରେସନ ପ୍ରସଙ୍ଗରେ ବରୋଧୀ ଦଳ ସହ ସମନ୍ୱୟ କଥା କହିଛନ୍ତି ତେବେ ଯେଉଁ ପ୍ରସ୍ତାବକୁ ସେ ଗ୍ରହଣ କରିବେ ନାହିଁ ତାକୁ ଭିଟ୍ଟୋ ପାୱାର ବ୍ୟବହାର କରି ରୋକିବେ ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ କହିଛନ୍ତି “ଡେମୋକ୍ରାଟମାନେ ଅତ୍ୟନ୍ତ ଅଯୌକ୍ତିକ ପ୍ରସ୍ତାବ ପଠାଇବେ ଏବଂ ମୁଁ ସେଗୁଡ଼ିକୁ ଭିଟୋ (veto) କରିଦେବି”।

Also Read- ଆମେରିକା ମିଡ୍‌ଟର୍ମ ନିର୍ବାଚନ ପରେ ଭାରତକୁ ମିଳିବ କି ବାଣିଜ୍ୟିକ ଆଶ୍ୱସ୍ତି?

ତେବେ ନିର୍ବାଚନରେ ତାଙ୍କ ଦଳର ବଡ଼ ପରାଜୟ ପରେ ଟ୍ରମ୍ପ ତାଙ୍କ କ୍ୟାବିନେଟ୍ରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସେ କହିଛନ୍ତି। ତେବେ ନିର୍ବାଚନ ରଣାଙ୍ଗନରେ ସେ ସିଧସଳଖ ଓହ୍ଲେଇଥିଲା ତାଙ୍କ ଦଳ ବିଜୟ ହୋଇଥାନ୍ତା ବୋଲି ଟ୍ରମ୍ପ କହିଛନ୍ତି।

ନିର୍ବାଚନ ଫଳାଫଳ ଉପରେ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ଟ୍ରୁଥ ସୋଶାଲରେ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି “ ମୁଁ ବାଲଟରେ ନଥିଲି। ଯଦି ମୁଁ ଥାନ୍ତି, ତେବେ ଆମେ ବିପୁଳ ବିଜୟ ହାସଲ କରିଥାନ୍ତୁ। ”

ତେବେ ନିର୍ବାଚନ ଉପରେ ଟ୍ରମ୍ପଙ୍କର ଅନେକ ଅଭିଜ୍ଞତା ଅଛି। କିଏ ହାରିବ କିଏ ଜିତିବ ସେ ନେଇ ପରାମର୍ଶ ଦେବାକୁ ସେ ଯୋଜନା କରିଥିବା ଟ୍ରମ୍ପ କହିଛନ୍ତି। ସେ କହିଛନ୍ତି “ଏହି ପ୍ରାର୍ଥୀମାନେ କାହିଁକି ଜିତିଲେ ଏବଂ କାହିଁକି ହାରିଲେ, ସେ ବିଷୟରେ ମୁଁ ଜଣେ ରାଜନୈତିକ ବିଶ୍ଳେଷକ (ଭଲ ହେଉ କି ଖରାପ) ସାଜିବାକୁ ଯାଉଛି!”

ସୂଚନା ଥାଉକି ଆମେରିକାର ଆଗଧାଡ଼ିର ମିଡିଆ ଏନବିସି ନ୍ୟୁଜର ରିପୋର୍ଟ ଅନୁସାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ବିରୋଧୀ ଡେମୋକ୍ରାଟ୍ସ ଦଳ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ ଓ ସିନେଟରେ ବହୁତମ ହାସଲ କରିଛି। ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭରେ ଡେମୋକ୍ରାଟ୍ସ ଦଳ ୨୫୯ ସିଟି ହାତେଇପାରେ। ସେହିପରି ଟ୍ରମ୍ପଙ୍କର ରିପବ୍ଲିକାନ ଦଳ ୧୭୮ ଆସନରେ ସୀମିତ ରହିବ ବୋଲି ଏନ୍ବିସି ନ୍ୟୁଜ ଅନୁମାନ କରିଛି। ବହୁମତ ପାଇବାକୁ ହେଲେ ୨୧୮ ଆସନ ଆବଶ୍ୟକ। ଡେମୋକ୍ରାଟ୍ସ ଦଳ ଖୁବ ସହଜରେ ଏହି ଟାର୍ଗେଟ ହାସଲ କରି ନେଇଛି।