ନୂଆଦିଲ୍ଲୀ : ଦୁଇଟି ନିର୍ବାଚନ, ଦୁଇଟି ରାଜନୈତିକ ବିପର୍ଯ୍ୟୟ ଓ ଏକ ଅସମାହିତ ଯୁଦ୍ଧ। ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ଭୋଟରମାନେ ଡେମୋକ୍ରାଟଙ୍କୁ ବଡ଼ ବିଜୟ ପ୍ରଦାନ କରିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଂଗ୍ରେସ ଉପରୁ ନିୟନ୍ତ୍ରଣ ହରାଇଛନ୍ତି। ଏହି ସମୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଅକ୍ଟୋବର ୨୭ ନିର୍ବାଚନ ପରେ ସଂସଦରେ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ସଂଘର୍ଷ କରୁଛନ୍ତି। ଇରାନ ବିରୋଧରେ ଯୁଦ୍ଧରେ ସାମିଲ ହୋଇଥିବା ଦୁଇ ନେତା ଏବେ ଦେଶରେ ଚାପର ସମ୍ମୁଖୀନ ହୋଇଛନ୍ତି। ହେଲେ ସେମାନେ ଆରମ୍ଭ କରିଥିବା ଯୁଦ୍ଧ ଏବେବି ଅସମାହିତ ହୋଇ ରହିଛି।

ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲୀ ଖାମେନିଙ୍କ ହତ୍ୟାର ଦୀର୍ଘ ମାସ ପରେ ଯୁଦ୍ଧ କୌଣସି ନିର୍ଣ୍ଣାୟକ ସ୍ଥିତିକୁ ପହଞ୍ଚି ନାହିଁ। ୱାସିଂଟନ ଓ ତେହେରାନ ସେପରି କୌଣସି ଚୁକ୍ତି କରି ନାହାନ୍ତି। ଟ୍ରମ୍ପଙ୍କ ରିପବ୍ଲିକାନ ମାନେ ନିର୍ବାଚନରେ ଉଭୟ ଗୃହ ହରାଇବା ଓ ନେତନ୍ୟାହୁଙ୍କ ଗୋଷ୍ଠୀ ନେସେଟ୍ ରେ ସଂଖ୍ୟା ଗରିଷ୍ଠତା ହରାଇବା ଉଭୟ ନେତାଙ୍କ ଲାଗି ରାଜନୈତିକ ପରିବେଶ ପରିବର୍ତ୍ତନ କରିଛି। ନିର୍ବାଚନ ଫଳାଫଳରୁ ଜଣାପଡିଛି ଯେ ଇରାନ ଯୁଦ୍ଧ ଭୋଟରଙ୍କ ସରକାରଙ୍କ ପ୍ରତି ଅସନ୍ତୋଷର ଏକ କାରଣ ଥିଲା।

ଆମେରିକା ଏଗଜିଟ୍ ପୋଲ ଅନୁଯାୟୀ ୧୦ ଜଣ ଭୋଟରଙ୍କ ମଧ୍ୟରୁ ୨ ଜଣ ଦୈନନ୍ଦିନ ଖର୍ଚ୍ଚକୁ ସେମାନଙ୍କ ଭୋଟର ଏକ ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି କହିଛନ୍ତି। ତିନି ଚତୁର୍ଥାଂଶ ଭୋଟର ଶାସକଙ୍କ ଦେଶ ସଞ୍ଚାଳନକୁ ନେଇ ଅସନ୍ତୁଷ୍ଟ ଥିଲେ। ଦେଶରେ ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧିକୁ ଦୁଇ ତୃତିୟାଂଶ ଭୋଟର ଦାୟୀ କରିଛନ୍ତି। ଟ୍ରମ୍ପ ସ୍ୱୀକାର କରିଛନ୍ତି ଯେ ରିପବ୍ଲିକାନଙ୍କ ପରାଜୟରେ ଇରାନ ମୁଖ୍ୟ ଭୂମିକା ଗ୍ରହଣ କରିଛି। ତେବେ ସେ ସାମରିକ ଅଭିଯାନକୁ ନେଇ କୌଣସି ଅନୁତାପ କରୁ ନାହାନ୍ତି। ସେପଟେ ଅକ୍ଟୋବର ୨୭ ତାରିଖରେ ହୋଇଥିବା ଇସ୍ରାଏଲ ନିର୍ବାଚନ ନେତନ୍ୟାହୁଙ୍କୁ ସମସ୍ୟାରେ ପକାଇ ଦେଇଛି।

ନିର୍ବାଚନ ଫଳାଫଳରୁ ଜଣାପଡିଛି ଯେ ନେତନ୍ୟାହୁଙ୍କ ମେଣ୍ଟ ୧୨୦ ସଦସୀୟ ନେସେଟରୁ ୫୩ଟି ଆସନ ଜିତିଛି। ଟାଇମ୍ସ ଅଫ ଇସ୍ରାଏଲ ରିପୋର୍ଟ ଅନୁସାରେ ଆଇଜେନକୋଟଙ୍କ ନେତୃତ୍ୱରେ ବିରୋଧୀ ଦଳ ୪୮ଟି ଆସନ ଜିତିଛନ୍ତି। ଶାସକ ଅଥବା ବିରୋଧୀ କେହି ହେଲେ ସରକାର ଗଢିବା ପାଇଁ ଆବଶ୍ୟକ ୬୧ଟି ଆସନ ପାଇ ନାହାନ୍ତି। ତେବେ ନେତନ୍ୟାହୁଙ୍କ ଦଳ ୨୭ଟି ଆସନ ପାଇ ସବୁଠୁ ବଡ଼ ଦଳ ହୋଇ ରହିଛି। ଆମେରିକା ମିଡ ଟର୍ମ ଓ ଇସ୍ରାଏଲ ସାଧାରଣ ନିର୍ବାଚନର ଫଳାଫଳ ଭିନ୍ନ ହେଲେ ସେମାନେ ସମାନ ସଂଘର୍ଷକୁ ପ୍ରଭାବିତ କରିପାରନ୍ତି। ଆଗାମୀ ଜାନୁୟାରୀରୁ ଟ୍ରମ୍ପଙ୍କୁ ଡେମୋକ୍ରାଟିକ କବଳିତ କଂଗ୍ରେସର ମୁକାବିଲା କରିବାକୁ ପଡିବ। ସେପଟେ ନେତନ୍ୟାହୁଙ୍କୁ ଦେଶରେ ସରକାର ଗଢିବା ପାଇଁ ଉପାୟ ଖୋଜିବାକୁ ପଡିବ। ଏହି ନିର୍ବାଚନ ଇରାନ ଯୁଦ୍ଧ ଅନ୍ତ କରି ନାହିଁ, ତଥାପି ଉଭୟ ନେତାଙ୍କ ପାଇଁ ଆଗକୁ କଣ ହେବ ତାହା ସ୍ପଷ୍ଟ ଅନୁମାନ କରାଯାଇ ପାରୁ ନାହିଁ।