ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ପ୍ରତିଷ୍ଠିତ ଆଞ୍ଚଳିକ ଦଳ AIADMK ମଧ୍ୟରେ ଫାଟ ଏବେ ସ୍ପଷ୍ଟ ହୋଇଥିବା ବେଳେ ଏହାର ବିଦ୍ରୋହୀ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ୱାଧୀନ ତାମିଲଗା ଭେଟ୍ରି କାଜଗମ (TVK) ସରକାରକୁ ସମର୍ଥନ ଦେବାକୁ ଘୋଷଣା କରିଛି। ବରିଷ୍ଠ ନେତା ସି.ଭି. ସନମୁଗମ ମଙ୍ଗଳବାର (ମେ' ୧୨) ଏହି ସୂଚନା ଦେଇଛନ୍ତି।

ବିଜୟଙ୍କ ପାଇଁ ବଢ଼ିଲା ଶକ୍ତି

ତାମିଲନାଡୁ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନଥିବା ବେଳେ ଅଭିନେତାରୁ ନେତା ସାଜିଥିବା ବିଜୟଙ୍କ ଦଳ ସର୍ବବୃହତ ଦଳ ଭାବେ ଉଭା ହୋଇଥିଲା। ବିଜୟ ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମଧ୍ୟ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ତାଙ୍କ ପାଖରେ ମେ’ ୧୩ ପର୍ଯ୍ୟନ୍ତ ସମୟ ରହିଛି। ବର୍ତ୍ତମାନ କଂଗ୍ରେସ ଓ ଅନ୍ୟ ଛୋଟ ଦଳର ସହାୟତାରେ ବିଜୟଙ୍କ ପାଖରେ ୧୨୦ଟି ଆସନ ରହିଛି। ଏଭଳି ସ୍ଥିତିରେ AIADMK ବିଦ୍ରୋହୀ ଗୋଷ୍ଠୀର ସମର୍ଥନ ତାଙ୍କ ସରକାରକୁ ସ୍ଥାୟିତ୍ୱ ପ୍ରଦାନ କରିବ।

AIADMK ରେ ଭାଙ୍ଗନ, ଅସହାୟ EPS

ଦଳର ବର୍ତ୍ତମାନର ମୁଖ୍ୟ ଏଡାପାଡି କେ. ପାଲାନିସ୍ୱାମୀ (EPS) ନିଜ କର୍ମୀ ଓ ନେତାଙ୍କ ଉପରେ ନିୟନ୍ତ୍ରଣ ହରାଉଥିବା ଦେଖିବାକୁ ମିଳୁଛି। ଏସ.ପି. ଭେଲୁମଣି ଏବଂ ସନମୁଗମଙ୍କ ନେତୃତ୍ୱରେ ଏକ ବଡ଼ ବିଦ୍ରୋହୀ ଗୋଷ୍ଠୀ ବିଜୟଙ୍କ ସରକାରକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୪୭ ଜଣ ବିଧାୟକଙ୍କ ମଧ୍ୟରୁ ଅଧିକାଂଶ ଏବେ ବିଦ୍ରୋହୀ ଶିବିରରେ ଥିବା ଦାବି କରାଯାଉଛି।

DMK ସହ ମେଣ୍ଟ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ

ସନମୁଗମ କହିଛନ୍ତି ଯେ, AIADMK କୁ ବଞ୍ଚାଇବା ପାଇଁ DMK ସହ ମେଣ୍ଟ କରିବାର ଏକ ପ୍ରସ୍ତାବ ଆସିଥିଲା, ମାତ୍ର ଦଳ ଏହାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। "ଆମେ ୫୩ ବର୍ଷ ଧରି DMK ବିରୋଧରେ ଲଢ଼ି ଆସୁଛୁ, ତେଣୁ ସେମାନଙ୍କ ସହ ମେଣ୍ଟ କଲେ ଦଳର ଅସ୍ତିତ୍ୱ ରହିବ ନାହିଁ। ଏଥିପାଇଁ ଆମେ ବିଜୟଙ୍କ ଦଳକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛୁ," ବୋଲି ସେ କହିଛନ୍ତି।

ଦଶନ୍ଧିର ଦ୍ୱିମୁଖୀ ରାଜନୀତିରେ ପୂର୍ଣ୍ଣଛେଦ

ତାମିଲନାଡୁରେ ଦୀର୍ଘ ଦଶନ୍ଧି ଧରି ଚାଲିଆସୁଥିବା DMK ଏବଂ AIADMK ର ଦ୍ୱିମୁଖୀ ଶାସନରେ ଏବେ ପରିବର୍ତ୍ତନ ଆସିଛି। ବିଜୟଙ୍କ ରାଜନୈତିକ ଏଣ୍ଟ୍ରି ଏବଂ AIADMK ର ବିଭାଜନ ରାଜ୍ୟର ରାଜନୈତିକ ସମୀକରଣକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଆସନ୍ତାକାଲି ହେବାକୁ ଥିବା ଫ୍ଲୋର୍ ଟେଷ୍ଟ (Floor Test) ଉପରେ ଏବେ ସାରା ଦେଶର ନଜର ରହିଛି।