ଭୁବନେଶ୍ଵର: ହକି ଇଣ୍ଡିଆ ଲିଗରେ ଚାମ୍ପିଅନ ହୋଇଛି ବେଦାନ୍ତ କଳିଙ୍ଗ ଲାନସର୍ସ। ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଟାଇଟଲ୍ ମୁକାବିଲାରେ ରାଞ୍ଚି ରୟାଲ୍ସକୁ ୩-୨ରେ ହରାଇ ବିଜୟ ମୁକୁଟ ପିନ୍ଧିଛି କଳିଙ୍ଗ ଲାନସର୍ସ।  ହକି ଇଣ୍ଡିଆ ଲିଗ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚାମ୍ପିଅନ ବେଦାନ୍ତ କଳିଙ୍ଗ ଲାନ୍ସର୍ସକୁ ସ୍ୱର୍ଣ୍ଣ ପଦକ ସହ ୩ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ରାଞ୍ଚି ରୟାଲସକୁ ରୌପ୍ୟ ପଦକ ସହ ୨କୋଟି ଏବଂ ହାଇଦ୍ରାବାଦ ତୁଫାନ୍ସକୁ ବ୍ରୋଞ୍ଜ ପଦକ ସହ ୧ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ରନର୍ସ ଅଫ ଦଳକୁ ପଦକ ପ୍ରଦାନ କରିଥିଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ବ୍ରୋଞ୍ଜ ପଦକ ପ୍ରଦାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।
 

ମ୍ୟାଚ ଆରମ୍ଭରୁ ହିଁ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଥିଲା ବେଦାନ୍ତ କଳିଙ୍ଗ ଲାନ୍ସର୍ସ। ମ୍ୟାଚ ଆରମ୍ଭରୁ ମାତ୍ର ୪ ମିନିଟରେ ଏକ ପେନାଲଟି ଗୋଲ ଦେଇ ୧-୦ ରେ ଆଗୁଆ ରହିଥିଲା କଳିଙ୍ଗ ଲାନ୍ସର୍ସ। ପରେ ରାଞ୍ଚି ପକ୍ଷରୁ ୯ ମିନିଟ ସୁଦ୍ଧା ଏକ ସୁନ୍ଦର ଫିଲଡ଼ ଗୋଲ ଦେଇ ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ ଅରାଇଜିତ ସିଂ ହୁଣ୍ଡାଲ। ଦ୍ଵିତୀୟ କ୍ୱାର୍ଟରରେ ପଛକୁ ପଛ ୩ଟି ପେନାଲଟି ସୁଯୋଗରୁ ଗୋଟିଏ ଗୋଲ କରିଥିଲା କଳିଙ୍ଗ ଲାନ୍ସର୍ସ। ଦିଲପ୍ରୀତ ସିଂଙ୍କ ଏହି ଗୋଲ ବଳରେ ଦଳ ୨-୧ ରେ ପହଞ୍ଚିଥିଲା।

ପରେ ପୁଣି ଦୁଇଟି ବ୍ୟାକ ଟୁ ବ୍ୟାକ ପେନାଲଟିରୁ ଗୋଟିଏ ଗୋଲ କରି ଦଳକୁ ୩-୧ ରେ ଆଗୁଆ କରିଥିଲେ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ। ତୃତୀୟ କ୍ୱାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ପେନାଲଟି ସୁଯୋଗ ହାତଛଡା କରିଥିଲେ। ଶେଷ କ୍ୱାର୍ଟର ତଥା ୫୧ ମିନିଟରେ ରାଞ୍ଚି ରୟାଲସ ବ୍ୟାକ ଟୁ ବ୍ୟାକ ଦୁଇଟି ପେନାଲଟି ସୁଯୋଗ ହାତଛଡା କରିଥିଲା। ଶେଷ କ୍ୱାର୍ଟରରେ ରାଞ୍ଚିକୁ ୫ ଟି ପେନାଲଟି ସୁଯୋଗ ମିଳିଥିଲେ ବି ମାତ୍ର ଗୋଟିଏ ଗୋଲ କରିବାରେ ସକ୍ଷମ ହୋଇଥିଲା ଦଳ। ଶେଷରେ ୩-୨ ରେ ଟାଇଟଲ ଜିତିଲା ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ।