ନୂଆଦିଲ୍ଲୀ, ୨୩।୧୧ : ଆମେରିକାର ବହୁଦେଶୀୟ ଏଆଇ ଚିପ୍ ନିର୍ମାତା ‘ଏନଭିଡିଆ’ର ପୂର୍ବତନ ସିଇଓ ଜେନସେନ ହୁଆଙ୍ଗଙ୍କ ଚୀନ୍ ଗର୍ଲଫ୍ରେଣ୍ଡ୍ ଆଲିସ ହୁଆଙ୍ଗଙ୍କୁ ନେଇ ଯେଉଁ ସନ୍ଦେହ କରାଯାଉଥିଲା, ତାହା ସତ ସାବ୍ୟସ୍ତ ହୋଇଛି। ଆଲିସ ହୁଆଙ୍ଗ ଗୁଇନ୍ଦାଗିରି ଓ ଚିପ୍ ତସ୍କରିରେ ସାମିଲ ଥିବା ଆମେରିକା କହୁଥିଲା । କିନ୍ତୁ ଚୀନ୍ ଖଣ୍ଡନ କରୁଥିଲା। ଏବେ ନୂଆ ରିପୋର୍ଟରେ ଚିପ୍ ତସ୍କରି ଘଟଣାର ହୋଇଛି ପର୍ଦାଫାସ ।

Also Read :- ସଂସ୍ଥା ନୁହେଁ, ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଅ- ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

‘ଦ ୱାଲ ଷ୍ଟ୍ରିଟ’ ଜର୍ନାଲ ରିପୋର୍ଟ ଅନୁସାରେ, ଆଲିସଙ୍କ ବ୍ୟବସାୟୀ ବନ୍ଧୁ ଲୀ ମିଙ୍ଗ୍ ପ୍ରତିବନ୍ଧିତ ଏଆଇ ଚିପ୍ ଚୋରାଇ ଚୀନକୁ ଦେଇଥିଲେ। ସେ ଏନଭିଡିଆର ଚିପ୍ ଲାଗିଥିବା କମ୍ପ୍ୟୁଟର ସର୍ଭରକୁ ପ୍ରଥମେ ମାଲେସିଆ ପଠାଉଥିଲେ। ଏହାପରେ ସେଠାରୁ ଚୀନକୁ ଚାଲାଣ କରୁଥିଲେ। ଏହି କାର୍ଯ୍ୟରେ ଲୀ ମିଙ୍ଗ୍ ଏକାକୀ ସମ୍ପୃକ୍ତ ନାହାନ୍ତି ବରଂ ଆଲିସ ଏବଂ ତାଙ୍କ ସ୍ବାମୀ କାଙ୍ଗ୍ ୱେଇଙ୍କ ସହ ମିଶି ସେ ଅନେକ ଦେଶରେ କମ୍ପାନି ଚଳାଉଥିଲେ। ଏହି କମ୍ପାନିଗୁଡ଼ିକ ଜରିଆରେ ଚୀନି କମ୍ପାନିଙ୍କୁ ଉନ୍ନତ ଏଆଇ ଚିପ୍ ଯୋଗାଇବାକୁ ରାସ୍ତା ବନାଯାଇଥିଲା । କାଙ୍ଗ୍ ୱେଇ ଚୀନ୍ରେ ସରକାରୀ ସହାୟତାରେ ବୃହତ୍ ଡାଟା ସେଣ୍ଟର ପ୍ରସ୍ତୁତ କରୁଥିଲେ। ୨୦୨୧ରୁ ୨୦୨୪ ମଧ୍ୟରେ ତାଙ୍କ ନେଟୱର୍କ ସହ ଜଡ଼ିତ ଡାଟା ସେଣ୍ଟର ପ୍ରକଳ୍ପରେ ୯ ବିଲିୟନ ଡଲାର (ପ୍ରାୟ ୮୩ ହଜାର କୋଟି ଟଙ୍କା) ନିବେଶ ପାଇଁ ଯୋଜନା ଥିଲା।

ଏହି ରିପୋର୍ଟରୁ ଗୋଟିଏ କଥା ସାମ୍ନାକୁ ଆସିଛି ଯେ ଆଲିସ ହୁଆଙ୍ଗ ଏଆଇ ଚିପ୍ ହାସଲ ନେଟୱର୍କ ସହ ସାମିଲ ଥିଲେ। ତାଙ୍କ ସ୍ବାମୀ ଚୀନରେ ଡାଟା ସେଣ୍ଟର ନିର୍ମାଣ କରୁଥିଲେ। ଏଭଳି ସ୍ଥିତିରେ ଲୀ ମିଙ୍ଗ୍ ଉଭୟଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରୁଥିଲେ । ୫୨ ବର୍ଷୀୟ ଚୀନି ବ୍ୟବସାୟୀ ଲୀ ମିଙ୍ଗଙ୍କ ବିରୋଧରେ ସିଙ୍ଗାପୁରରେ ବି ଜାଲିଆତି ମାମଲା ଚାଲିଛି। ୨୦୨୫ ଫେବ୍ରୁଆରୀରେ ରୁଜୁ ଏହି ମାମଲାରେ ତାଙ୍କ ଉପରେ ଏନଭିଡିଆର ଚିପ୍ ଲାଗିଥିବା ସର୍ଭରକୁ ବେଆଇନ ଭାବେ ଅନ୍ୟ ଦେଶକୁ ପଠାଇବାର ଅଭିଯୋଗ ରହିଛି। ତେବେ ସେ ସିଙ୍ଗାପୁର ମାମଲାରେ ଜାମିନ ପାଇ ବାହାରେ ଅଛନ୍ତି।

ସିଙ୍ଗାପୁରର ସରକାରୀ ଓକିଲଙ୍କ ଅନୁସାରେ, ଲୀ ମିଙ୍ଗ୍ ଆମେରିକୀୟ କମ୍ପାନି ଗୁଡ଼ିକଠାରୁ ଏନଭିଡିଆର ଚିପ୍ ଲାଗିଥିବା କମ୍ପ୍ୟୁଟର ସର୍ଭର କିଣିଥିଲେ। ଏହି ସର୍ଭର ସିଙ୍ଗାପୁରରେ ଥିବା ତାଙ୍କ କମ୍ପାନି ‘ଲକଜୁରିଏଟ ୟୋର୍ ଲାଇଫ୍’ ପାଇଁ ବ୍ୟବହାର କରାଯିବା ନେଇ ସେ କହିଥିଲେ। କିନ୍ତୁ ସିଙ୍ଗାପୁର ପରିବର୍ଭେ ଏହାକୁ ପ୍ରଥମେ ମାଲେସିଆ ପଠାଯାଇଥିଲା । ଏହାପରେ ସେଠାରୁ ଅନ୍ୟ କୌଣସି ତୃତୀୟ ଦେଶକୁ ପ୍ରେରଣ କରାଯାଇଥିଲା । ସମ୍ଭବତଃ ଏହି ତୃତୀୟ ଦେଶ ଚୀନ୍ ବୋଲି କୁହାଯାଉଛି। ଲୀ ମିଙ୍ଗ୍ ସିଙ୍ଗାପୁରର ଏକ କମ୍ପାନି ‘ମେଗାସ୍ପିଡ୍’ ସହ ସାମିଲ ଥିଲେ। ଆଲିସ ହୁଆଙ୍ଗ ଏହାର ପୂର୍ବତନ ପରିଚାଳନା ନିର୍ଦ୍ଦେଶିକା ଥିଲେ। ତେବେ କମ୍ପାନିର ବଡ଼ ନିଷ୍ପତ୍ତି ଗୁଡ଼ିକରେ ଲୀ ମିଙ୍ଗଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଏନଭିଡିଆ ଚିପର କାରବାର କରୁଥିବା ଅନ୍ୟ କମ୍ପାନିଗୁଡ଼ିକ ସହ ମଧ୍ୟ ତାଙ୍କର ସମ୍ପର୍କ ରହିଥିଲା। ଚୀନ୍ରେ କମ୍ପାନି ପଞ୍ଜିକରଣ ସହ ଜଡ଼ିତ ଦସ୍ତାବିଜ ମୁତାବକ, ଆଲିସ ଏବଂ ସ୍ଵାମୀ କାଙ୍ଗ୍ ମିଶି ୨୦୨୧ରେ ‘ସେଞ୍ଚୁରି ଲଟେଙ୍ଗ୍' ନାମକ କମ୍ପାନି ଆରମ୍ଭ କରିଥିଲେ। ଏହି କମ୍ପାନି କ୍ଲାଉଡ କମ୍ପ୍ୟୁଟିଂର କାମ କରୁଥିଲା।

ଏହା ପୂର୍ବରୁ କମ୍ପାନୀର କାରବାର ଉପରେ ଆମେରିକୀୟ ଏଜେନ୍ସିଗୁଡ଼ିକର ସନ୍ଦେହ ଜାତ ହୋଇଥିଲା। ରପ୍ତାନି ନିୟମ ଉଲଂଘନ କରି ଏନଭିଡିଆର ଚିପକୁ ଚୀନ୍ ପହଞ୍ଚାଇବା ନେଇ ଏହା ଉପରେ ଅଭିଯୋଗ ରହିଥିଲା। ଏହାକୁ ନେଇ ୨୦୨୪ରେ ତଦନ୍ତ ଆରମ୍ଭ ହୋଇଥିଲା। ପରେ ଆମେରିକାର ବାଣିଜ୍ୟ ଓ ନ୍ୟାୟ ବିଭାଗ ଏହି ତଦନ୍ତ ସଂକ୍ରାନ୍ତ ସୂଚନା ପ୍ରକାଶ କରିଥିଲେ। ତେବେ ମେଗାସ୍ପିଡ୍ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା।

ଏହାବ୍ୟତୀତ ଆଉ ଏକ ରିପୋର୍ଟ ଦର୍ଶାଇଛି, ଉନ୍ନତ ଏଆଇ ଚିପ୍ ହାସଲ ଲାଗି ଚୀନ୍ ପକ୍ଷରୁ ଦୀର୍ଘ ୨ ବର୍ଷ ଧରି ଗୁଇନ୍ଦା ଅଭିଯାନ ଚାଲିଥିଲା। ଆମେରିକାର ରପ୍ତାନି କଟକଣାକୁ ଉଲଂଘନ କରି ଚୀନର ଗୁଇନ୍ଦା ଏଜେନ୍ସି ବିକଶିତ ସେମିକଣ୍ଡକ୍ଟର ଚିପ୍ ହାସଲ ନିମନ୍ତେ ଏହି ଅଭିଯାନ ଚଳାଇଥିଲା। ଏମିତି କି ଅନ୍ତର୍ଜାତୀୟ ଚିପ୍ ଶିଳ୍ପକୁ ନେଇ ଗୁଇନ୍ଦା ତଥ୍ୟ ବି ସଂଗ୍ରହ କରୁଥିଲା।

ନ୍ୟୁୟର୍କ ଟାଇମ୍ଭ ଦ୍ଵାରା ପ୍ରକାଶିତ ଏହି ରିପୋର୍ଟ ମୁତାବକ, ଚୀନର ଜାତୀୟ ସୁରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏକ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଥିଲା। ଏହାର ମୁଖ୍ୟ ଚେନ୍ ୟିଜିନ ରହିଥିଲେ। ଉନ୍ନତ ଚିପ୍ ହାସଲ କରି ଏହାକୁ ଚୀନ୍ ପହଞ୍ଚାଇବା ପାଇଁ ଚୀନି କମ୍ପାନିଗୁଡ଼ିକୁ ସହଯୋଗ କରିବା ଏହି କମିଟିର ମୁଖ୍ୟ କାର୍ଯ୍ୟ ଥିଲା। ଏଥିସହ ସେମିକଣ୍ଡକ୍ଟର ଶିଳ୍ପ ଏବଂ ଏହାର ଯୋଗାଣ ଶୃଙ୍ଖଳ ଉପରେ ଗୁଇନ୍ଦା ତଥ୍ୟ ହାସଲ ମଧ୍ୟ ଏହାର ଅନ୍ୟତମ ମିଶନ ରହିଥିଲା। ଏସିଆ, ଆମେରିକା ଏବଂ ୟୁରୋପର ପୂର୍ବତନ ସୁରକ୍ଷା ଓ ଗୁଇନ୍ଦା ଅଧିକାରୀଙ୍କ ତଥ୍ୟକୁ ଆଧାର କରାଯାଇ ଏହି ରିପୋର୍ଟ ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ, ଆଲିସ ହୁଆଙ୍ଗ ଚୀନି ଗୁପ୍ତଚର ବୋଲି ଜଣାପଡ଼ିବା ପରେ ଜେନସେନ ହୁଆଙ୍ଗ ବିବାଦୀୟ ହୋଇପଡ଼ିଥିଲେ। ଶେଷରେ ଗତ ୧୨ ତାରିଖରେ ସେ ଏନଭିଡିଆର ସିଇଓ ପଦରୁ ଇସ୍ତଫା ଦେଇଥିଲେ। ଏଥିସହ କମ୍ପାନିରେ ତାଙ୍କର ଦୀର୍ଘ ୩୩ ବର୍ଷର ଯାତ୍ରାରେ ବିରାମ ଲାଗିଥିଲା।