ନୂଆଦିଲ୍ଲୀ, ୨୩।୧୧ : ଋଷିଆ ଜାହାଜ ଉପରେ ୟୁକ୍ରେନର ଜୋରଦାର ଆକ୍ରମଣ । ଲିବ୍ୟାର ବେନଗାଜୀ ବନ୍ଦରରେ ଋଷ ନୌସେନାର ଏକ ଜାହାଜକୁ ୟୁକ୍ରେନ ଟାର୍ଗେଟ୍ କରିଛି । ଯାହା ପରେ ଏଥିରେ ଜୋରଦାର ବିସ୍ଫୋରଣ ହୋଇଥିଲା । ଏହା ଆଂଶିକ ଭାବେ ସମୁଦ୍ରରେ ବୁଡି ମଧ୍ୟ ଯାଇଥିବା ଦେଖିବାକୁ ମିଳିଛି ।

କୁହାଯାଉଛି ଯେ, ଏହି ଯୁଦ୍ଧ ଜାହାଜର ନାଁ ମର୍କରୀ । ଏହା ମସ୍କୋ ଏବଂ ପୂର୍ବ ଲିବ୍ୟା ପ୍ରଶାସନ ମଧ୍ୟରେ ହୋଇଥିବା ବୁଝାମଣା ଆଧାରରେ ଇନ୍ଧନ ଭରିବା ପାଇଁ ବନ୍ଦରରେ ରହିଥିଲା । ସାଟେଲାଇଟ୍ ଫଟୋରୁ ଦେଖିବାକୁ ମିଳିଛି ଯେ, ଜାହାଜର ଅଧିକାଂଶ ଭାଗ ବୁଡ଼ି ଯାଇଛି । କେବଳ ତାହାର ସମ୍ମୁଖ ଭାଗ ପାଣି ଉପରେ ରହିଛି । ଏହାର ଚାରି ପାଖରେ ଧୂଆଁ ଏବଂ ଭଗ୍ନାବଶେଷ ପଡିଥିବା ମଧ୍ୟ ନଜର ଆସିଛି ।

ନ୍ୟୁଜ୍ ଏଜେନ୍ସି ଏପି ଅନୁସାରେ, ଲିବ୍ୟାର ଦୁଇ ଜଣ ସୈନ୍ୟ ଅଧିକାରୀ ଜାହାଜରେ ଥିଲେ । ଏହି ସମୟରେ ୟୁକ୍ରେନ ଡ୍ରୋନ୍ ମାଡ଼ ହୋଇଥିଲା । ଅତିକମରେ ଚାରୋଟି ଡ୍ରୋନକୁ ନଷ୍ଟ କରିଦିଆଯାଇଥିଲା । କିନ୍ତୁ ଦୁଇଟି ଡ୍ରୋନ୍ ଜାହାଜରେ ମାଡ଼ ହୋଇଥିଲା । ଅନ୍ୟ ଦିଗରେ ଋଷ କିମ୍ବା ୟୁକ୍ରେନ ଏହି ଆକ୍ରମଣ ବାବଦରେ ସରକାରୀ ଭାବେ କିଛି ସ୍ପଷ୍ଟ କରି ନାହାଁନ୍ତି ।

Also Read :- ସୁନାରେ ମିଶୁଛି ଭୟଙ୍କର ଜିନିଷ : ୨୦ କ୍ୟାରେଟ୍ ସୁନା ପାଲଟିଯାଉଛି ୨୨ କ୍ୟାରେଟ୍, ଧରା ବି ପଡୁନି !

ଅଲ୍ ଜଜିରା ଅନୁସାରେ, ଆକ୍ରମଣରେ ଲିବ୍ୟା ଏବଂ ଋଷିଆର କିଛି ସୈନ୍ୟ ପ୍ରାଣ ହରାଇଛନ୍ତି । ହେଲେ କେତେ ମୃତ୍ୟୁସଂଖ୍ୟା ତାହା ସ୍ପଷ୍ଟ ହୋଇନି । ଜାହାଜରେ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ ଡ୍ରୋନ ଗଚ୍ଛିତ ରଖାଯାଇଥିଲା । ସେହିପରି ପୂର୍ବ ଲିବ୍ୟା ପ୍ରଶାସନ ଜାହାଜରେ ଲାଗିଥିବା ନିଆଁକୁ କାବୁ କରାଯାଇଥିବା ସ୍ପଷ୍ଟ କରିଛି । ଏହାସହ ଲିବ୍ୟା ସରକାର ଆକ୍ରମଣକୁ ନିନ୍ଦା କରିବା ସହ ଏହା ସମୁଦ୍ରରେ କାରବାର ଉପରେ ବିପଦ ବୋଲି କହିଛି ।