ନୂଆଦିଲ୍ଲୀ: ଡାମ୍ବୁଲାରେ ଖେଳାଯାଇଥିବା ଭାରତ ‘ଏ’ ଏବଂ ଶ୍ରୀଲଙ୍କା ‘ଏ’ ମଧ୍ୟରେ ସୁପର ଓଭର ପରେ ପଡ଼ିଆ ଭିତରେ ଦେଖିବାକୁ ମିଳିଥିଲା ହାଇଡ୍ରାମା। ମ୍ୟାଚ୍ ଶେଷ ହେବା ପରେ ଭାରତର ୧୩ ବର୍ଷୀୟ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବଂ ଶ୍ରୀଲଙ୍କାର ଖେଳାଳି ବିଶେନ ହାଲାମ୍ବଗେଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ସହ ଧକ୍କାମୁକ୍କା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ମ୍ୟାଚ୍ ରେଫରୀ ପ୍ରଦୀପ ଜୟପ୍ରକାଶ ପଡ଼ିଆ ଅମ୍ପାୟାରଙ୍କ ରିପୋର୍ଟ ଆଧାରରେ ଶ୍ରୀଲଙ୍କା ଖେଳାଳିଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

‘କ୍ରିକବଜ୍’ର ରିପୋର୍ଟ ଅନୁସାରେ, ମ୍ୟାଚ୍ ଶେଷ ହେବା ପରେ ବୈଭବ ସୂର୍ଯ୍ୟବଂଶୀ ପାଭିଲିୟନକୁ ଫେରୁଥିବା ସମୟରେ ଶ୍ରୀଲଙ୍କାର ବିଶେନ ହାଲାମ୍ବଗେ ତାଙ୍କୁ କିଛି କହି ଚିଡ଼ାଇବାକୁ ଚେଷ୍ଟା କରିଥିଲେ। ଏଥିରେ ବୈଭବ ରାଗିଯାଇ ପଛକୁ ଫେରିଥିଲେ ଏବଂ ଦୁଇ ଖେଳାଳିଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ନେଇଥିଲା। କଥା ଏମିତି ବଢ଼ିଥିଲା ଯେ ଦୁହେଁ ପରସ୍ପରକୁ ଧକ୍କା ମାରୁଥିବା ଦେଖିବାକୁ ମିଳିଥିଲା।

Also Read: ବୟସ କେବଳ ଏକ ସଂଖ୍ୟା ମାତ୍ର ! ସ୍ପେନକୁ ଆଣ୍ଠେଇଥିବା କେପ୍ ଭର୍ଦ୍ଦେ ଗୋଲକିପରଙ୍କ ସଂଘର୍ଷର କାହାଣୀ

ଏହି ଅସଦାଚରଣ ପାଇଁ ବିଶେନଙ୍କ ଉପରେ କଡ଼ା ପ୍ରତିବନ୍ଧକ ସହ ଜରିମାନା ଲଗାଯାଇଛି। କେବଳ ବିଶେନ ନୁହନ୍ତି, ଶ୍ରୀଲଙ୍କାର ଅଭିଜ୍ଞ ୱିକେଟକିପର ନିରୋସନ ଡିକ୍ୱେଲାଙ୍କ ଉପରେ ମଧ୍ୟ ଆଇସିସି ଜରିମାନା ଲଗାଇଛି।

ବଞ୍ଚାଉଥିବା ଡିକ୍ୱେଲାଙ୍କୁ କାହିଁକି ମିଳିଲା ଦଣ୍ଡ ?

ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି, ଯେତେବେଳେ ବୈଭବ ଏବଂ ବିଶେନଙ୍କ ମଧ୍ୟରେ ଝଗଡ଼ା ଚାଲିଥିଲା, ସେତେବେଳେ ସିନିୟର ଖେଳାଳି ଡିକ୍ୱେଲା ତୁରନ୍ତ ଆସି ଦୁହିଁଙ୍କୁ ଅଲଗା କରିଥିଲେ। ତେବେ ତାଙ୍କ ଉପରେ ଜରିମାନା କାହିଁକି ଲାଗିଲା, ତାକୁ ନେଇ ପ୍ରଶ୍ନ ଉଠିଛି। ରିପୋର୍ଟ ଅନୁସାରେ, ପଡ଼ିଆ ଭିତରେ ଅନୁଶାସନହୀନତାର ଅନ୍ୟ ଏକ ନିୟମ ଭାଙ୍ଗିବା ଯୋଗୁଁ ଡିକ୍ୱେଲାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି, କିନ୍ତୁ ସେ କେଉଁ ନିୟମ ଉଲ୍ଲଂଘନ କରିଛନ୍ତି ତାହା ସ୍ପଷ୍ଟ ଜଣାପଡ଼ିନାହିଁ।

Also Read: ଶ୍ରୀଲଙ୍କା ଖେଳାଳି ବୈଭବଙ୍କୁ କହିଥିଲେ ଏମିତି କଥା, ଯାହା ଶୁଣି ରାଗିଗଲେ ୧୫ ବର୍ଷୀୟ ବ୍ୟାଟର

ବୈଭବଙ୍କୁ ମଧ୍ୟ ମିଳିଛି କି ଦଣ୍ଡ ?

ଭାରତର ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇଛି କି ନାହିଁ, ସେ ନେଇ କୌଣସି ଅନୁଷ୍ଠାନିକ ସୂଚନା ମିଳିନାହିଁ। ଏହି ମାମଲାରେ କୌଣସି ଆନୁଷ୍ଠାନିକ ଶୁଣାଣି କରାଯାଇ ନାହିଁ, ଅନ୍ୟପକ୍ଷେ ମ୍ୟାଚ୍ ରେଫରୀ କେବଳ ଅମ୍ପାୟାରଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ନିଜର ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇଛନ୍ତି।

‘କର ବା ମର’ ସ୍ଥିତିରେ ଇଣ୍ଡିଆ ‘ଏ’

ଏହି ତ୍ରିରାଷ୍ଟ୍ରୀୟ ସିରିଜରେ ଭାରତ କ୍ରମାଗତ ଦୁଇଟି ମ୍ୟାଚ୍ ହାରି ସଙ୍କଟରେ ପଡ଼ିଛି। ବୁଧବାର ଆଫଗାନିସ୍ତାନ ‘ଏ’ ବିପକ୍ଷ ମ୍ୟାଚ୍ ଭାରତ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ଯଦି ଏହି ମ୍ୟାଚରେ ଆଫଗାନିସ୍ତାନ ଜିତିଯାଏ, ତେବେ ଟିମ୍ ଇଣ୍ଡିଆ ଫାଇନାଲ୍ ଦୌଡ଼ରୁ ସମ୍ପୂର୍ଣ୍ଣ ବାଦ୍ ପଡ଼ିବ ଏବଂ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଟାଇଟଲ୍ ଲଢ଼େଇ ହେବ। ତେଣୁ ଫାଇନାଲ୍ ଟିକେଟ୍ ପାଇଁ ଭାରତକୁ ଏହି ମ୍ୟାଚ୍ ଯେକୌଣସି ପରିସ୍ଥିତିରେ ଜିତିବାକୁ ହେବ।