ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ୨୦୨୬ରେ ପ୍ରତିଦିନ ନୂଆ ନୂଆ କାହାଣୀ ଏବଂ ଆଶ୍ଚର୍ଯ୍ୟଜନକ ଫଳାଫଳ ସାମ୍ନାକୁ ଆସୁଛି । ମ୍ୟାଚ୍ ପୂର୍ବରୁ ଯୁବ ତାରକା ଲାମିନ ୟାମାଲ, ନିକୋ ୱିଲିୟମ୍ସ ଏବଂ ସ୍ପେନର ନୂଆପିଢି ଖୁବ ଚର୍ଚ୍ଚାରେ ଥିଲା । କିନ୍ତୁ ମ୍ୟାଚ୍ ଶେଷ ବେଳକୁ ଜଣେ ୪୦ ବର୍ଷୀୟ ଗୋଲକିପରଙ୍କୁ ନେଇ ସବୁଠି ଚର୍ଚ୍ଚା । କେପ୍ ଭର୍ଦ୍ଦେ ଏବଂ ସ୍ପେନ୍ ମଧ୍ୟରେ ଖେଳାଯାଇଥିବା ଗ୍ରୁପ୍ ମ୍ୟାଚ୍‌ରେ ଯାହା ଘଟିଲା, ତାହା ଫୁଟବଲ୍ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ପ୍ରଥମ ଥର ଫିଫା ବିଶ୍ୱକପ୍ ଖେଳୁଥିବା କେପ୍ ଭର୍ଦ୍ଦେ ଚମତ୍କାର ଖେଳ ପ୍ରଦର୍ଶନ ସମସ୍ତଙ୍କୁ ବିମୋହିତ କରିଥିଲା । ଆଉ ଏହି ମ୍ୟାଚ୍‌ର ପ୍ରକୃତ ହିରୋ ଥିଲେ କେପ୍ ଭର୍ଦ୍ଦେର ୪୦ ବର୍ଷୀୟ ଭେଟେରାନ ଗୋଲକିପର ଭୋଜିନ୍‌ହା । ନିଜ ଜୀବନର ସବୁଠାରୁ ବଡ଼ ମ୍ୟାଚ୍ ଖେଳି ରାତାରାତି ସାରା ବିଶ୍ୱର ଷ୍ଟାର ପାଲଟିଯାଇଛନ୍ତି ।

ୱାଣ୍ଡରକିଡ୍ସଙ୍କ ଆଗରେ ପ୍ରାଚୀର ସାଜିଲେ ୪୦ ବର୍ଷୀୟ ଭୋଜିନ୍‌ହା

ୟୁରୋପୀୟ ଚାମ୍ପିଅନ୍ ସ୍ପେନ୍ ଦଳରେ ଲାମିନ ୟାମାଲଙ୍କ ଭଳି ବିଶ୍ୱର ସବୁଠାରୁ ଦ୍ରୁତ ପ୍ରତିଭାବାନ ଯୁବ ଖେଳାଳି ରହିଛନ୍ତି । ସମସ୍ତେ ଭାବୁଥିଲେ ସ୍ପେନ୍ ଏହି ମ୍ୟାଚ୍‌କୁ ସହଜରେ ଜିତିନେବ । କିନ୍ତୁ ମୈଦାନରେ କେପ୍ ଭର୍ଦ୍ଦେର ଗୋଲପୋଷ୍ଟ ସାମ୍ନାରେ ଛିଡ଼ା ହୋଇଥିଲେ ଭୋଜିନ୍‌ହା । ସ୍ପେନ୍‌ର ଷ୍ଟାର ଷ୍ଟ୍ରାଇକରମାନେ ଗୋଟିଏ ପରେ ଗୋଟିଏ ଶକ୍ତିଶାଳୀ ଆଟାକ୍ କରୁଥିଲେ, ହେଲେ ୪୦ ବର୍ଷ ବୟସରେ ମଧ୍ୟ ଭୋଜିନହା ଦୃଢ ପ୍ରାଚୀର ସାଜି ସ୍ପେନ୍‌ର ସମସ୍ତ ପ୍ରୟାସକୁ ବିଫଳ କରିଦେଇଥିଲେ । ସେ ମୋଟ ୭ଟି ଚମତ୍କାର ସେଭ୍ କରି ମ୍ୟାଚ୍‌କୁ ୦-୦ରେ ଡ୍ର' ରଖିବାରେ ସଫଳ ହେଲେ ।

ଅନେକ ସଂଘର୍ଷ ପରେ ଏହି ସଫଳତା

ବିଶ୍ୱକପର ଏହି ସ୍ଥାନରେ ପହଞ୍ଚିବା ଭୋଜିନ୍‌ହାଙ୍କ ପାଇଁ ସହଜ ନଥିଲା । ଏକ ଛୋଟ ଦ୍ୱୀପପୁଞ୍ଜ ଦେଶରୁ ଅଭାବ ଅନଟନ ମଧ୍ୟରେ କ୍ୟାରିୟର ଗଢିବା । ୪୦ ବର୍ଷ ବୟସ ପର୍ଯ୍ୟନ୍ତ ନିଜ ଫିଟନେସ୍ ବଜାୟ ରଖି ବିଶ୍ୱକପ୍ ଖେଳିବା ନିଜେ ଏକ ବଡ଼ ଚମତ୍କାର । ମ୍ୟାଚ୍ ଶେଷ ହେବା ମାତ୍ରେ ଯେତେବେଳେ ରେଫ୍ରିଙ୍କ ଲମ୍ୱା ହୁଇସିଲ୍ ବାଜିଥିଲା, ସେତେବେଳେ ଭୋଜିନ୍‌ହା ପଡ଼ିଆ ମଧ୍ୟରେ ହିଁ କାନ୍ଦି ପକାଇଥିଲେ । ସେ ନିଜ ଦେଶ ପାଇଁ ଏକ ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ ।

ସୋସିଆଲ ମିଡିଆରେ ସୁନାମି

ଭୋଜିନହାଙ୍କ ଏହି ଐତିହାସିକ ପ୍ରଦର୍ଶନର ପ୍ରଭାବ ସୋସିଆଲ ମିଡିଆରେ ସ୍ପଷ୍ଟ ଦେଖିବାକୁ ମିଳିଛି । ମ୍ୟାଚ୍ ପୂର୍ବରୁ ସାରା ବିଶ୍ୱରେ ତାଙ୍କୁ ଖୁବ୍ କମ୍ ଲୋକ ଜାଣିଥିଲେ ଏବଂ ଇନଷ୍ଟାଗ୍ରାମରେ ତାଙ୍କର ମାତ୍ର ୫୦ହଜାର  ଫଲୋଅର୍ସ ଥିଲେ । ସ୍ପେନ୍ ବିପକ୍ଷ ମ୍ୟାଚ୍ ଶେଷ ହେବାର ମାତ୍ର କେଇ ଘଣ୍ଟା ମଧ୍ୟରେ ସାରା ଦୁନିଆର ଫୁଟବଲ ପ୍ରେମୀ ତାଙ୍କ ଆକାଉଣ୍ଟ ସର୍ଚ୍ଚ କରିବା ଆରମ୍ଭ କରିଥିଲେ । ଦେଖୁ ଦେଖୁ ତାଙ୍କ ଫଲୋଅର୍ସ ସଂଖ୍ୟା ୫୦ ଲକ୍ଷ ଟପିଗଲା ।

ବିଶ୍ୱକପ୍ ଇତିହାସର ସବୁଠାରୁ ଆବେଗପୂର୍ଣ୍ଣ ମୁହୂର୍ତ୍ତ

ମ୍ୟାଚ୍ ପରେ ସ୍ପେନ୍‌ର ଖେଳାଳିମାନେ ମଧ୍ୟ ନିରାଶ ହୋଇ ମୁଣ୍ଡରେ ହାତ ଦେଇ ବସି ପଡ଼ିଥିଲେ, ସେପଟେ କେପ୍ ଭର୍ଦ୍ଦେର ଖେଳାଳି ଏବଂ ପ୍ରଶଂସକମାନେ ସେଲିବ୍ରେସନ କରୁଥିଲେ । ସାମ୍ବାଦିକ ସମ୍ମିଳନୀରେ ଭୋଜିନହା କହିଛନ୍ତି, "ମୁଁ ଜାଣି ନଥିଲି ମୋ ଜୀବନରେ ଏମିତି ଦିନେ ଆସିବ । ଆମେ ଦେଶ ପାଇଁ ଏବଂ ଆମ ସ୍ୱପ୍ନ ପାଇଁ ଲଢ଼ୁଥିଲୁ । ଏହି ଫଲୋଅର୍ସ ଏବଂ ସେଲିବ୍ରେଟି ମାନ୍ୟତା ମୋ ପାଇଁ ଦ୍ୱିତୀୟ କଥା, ସବୁଠୁ ବଡ଼ କଥା ହେଉଛି ଆମେ ବିଶ୍ୱକୁ ଦେଖାଇ ଦେଲୁ ଯେ କେପ୍ ଭର୍ଦ୍ଦେ କେବେ ହାର ମାନେ ନାହିଁ ।"