ଭୁବନେଶ୍ୱର, ୧୬/୧୦ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସମର୍ଥିତ ପ୍ରାର୍ଥୀ ଅଭିରାମ ମିଶ୍ର ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବେ ଏନଏସୟୁଆଇ ସମର୍ଥିତ ପ୍ରାର୍ଥୀ ପପୁ ରାଉତ, ସାଧାରଣ ସମ୍ପାଦକ ଭାବେ ଏବିଭିପିର ଆୟୁଶ୍ରୀ ପ୍ରଧାନ, ଯୁଗ୍ମ ସାଧାରଣ ସମ୍ପାଦକ ବିସିଜେଡିର ଭାବେ ଜ୍ୟୋତିଶ୍ରୀ ସାହୁ, କଲଚରାଲ୍ କ୍ଲବ୍ ସମ୍ପାଦକ ଭାବେ ଉତ୍ତମ କୁମାର ମାଝୀ ନିର୍ବାଚିତ ହୋଇଛନ୍ତି। ଜୀବନଜ୍ୟୋତି ବିଶ୍ଵାଳ ବାଣୀବିକାଶର ସମ୍ପାଦକ ନିର୍ବାଚିତ ହୋଇଛନ୍ତି। ବିଶ୍ୱବିଦ୍ୟାଳୟର ଆଥଲେଟିକ୍ କ୍ଲବ୍ ସମ୍ପାଦକ ଭାବେ ଏବିଭିପିର ଜ୍ଞାନରଞ୍ଜନ ପରିଡ଼ା ଏବଂ ସହକାରୀ ସମ୍ପାଦକ ଭାବେ ସୁସ୍ମିତା ସାହୁ ନିର୍ବାଚିତ ହୋଇଛନ୍ତି।

ବୁଧବାର ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି ?’ ବୈଠକ ଅନୁଷ୍ଠିତ ହୋଇଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟରେ ଏହି ବୈଠକ ଆରମ୍ଭ ପୂର୍ବରୁ ଜୋରଦାର ଉତ୍ତେଜନା ଦେଖିବାକୁ ମିଳିଲା। ମୁଣ୍ଡ ଫାଟିଲା, ଚେୟାର ଉଡ଼ିଲା। ଗୁରୁବାର ମତଦାନ ଥିଲା। ସକାଳୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଶାନ୍ତ ଥିଲା। ସକାଳ ୮ଟାରୁ ଅପରାହ୍ନ ୨ଟାଯାଏ ମତଦାନ ଶାନ୍ତି ଶୃଙ୍ଖଳାର ସହ ଶେଷ ମଧ୍ଯ ହୋଇଥିଲା । ହେଲେ ସଂଧ୍ୟା ୬ଟା ଯାଏ ଆରମ୍ଭ ହୋଇନଥିଲା ଭୋଟ ଗଣତି। ସଂଧ୍ୟା ସାଢ଼େ ୬ଟା ବେଳକୁ ଆରମ୍ଭ ହୋଇଥିଲା ଗଣତି। ଫଳ ଘୋଷଣା ବିଳମ୍ବକୁ ନେଇ ରାଜରାସ୍ତାରେ ବସିଲେ ଛାତ୍ର କଂଗ୍ରେସ ତଥା ଏନଏସୟୁଆଇର ପ୍ରାର୍ଥୀ।

ଶାନ୍ତି ଶୃଙ୍ଖଳାରେ ମତଦାନ

ସୂଚନାଯୋଗ୍ୟ, ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିଲା । ଠିକ୍ ୨ଟାରେ ଭୋଟ ମତଦାନ ବନ୍ଦ କରାଗଲା। ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ ହଜାର ୬୦୯ଜଣ ମତଦାନ କରିଛନ୍ତି। ଅର୍ଥାତ୍ ମୋଟ ମତଦାନ ପ୍ରତିଶତ ହେଉଛି ୬୮.୬୯% । ମତଦାନ ସରିବା ମାତ୍ରେ ବାଣିଜ୍ୟ ବିଭାଗରେ ହୋଇଥିବା ନିର୍ବାଚନ ଷ୍ଟ୍ରଙ୍ଗ୍ରୁମ୍କୁ ସବୁ ମତଦାନ କେନ୍ଦ୍ରରୁ ଭୋଟ ବାକ୍ସ ନିଆଯାଇଥିଲା। ଅପରାହ୍ନ ୩ଟା ମଧ୍ୟରେ ଏହି ଭୋଟ ବାକ୍ସ ଆସିବା କାର୍ଯ୍ୟକ୍ରମ ଶେଷ ହୋଇଥିଲା। ନିୟମ ଅନୁଯାୟୀ ଭୋଟ ମତଦାନ ସରିବା ମାତ୍ରେ ଭୋଟ ଗଣତି ହେବା କଥା। ହେଲେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ କ'ଣ ପାଇଁ ଭୋଟ ଗଣତି ବିଳମ୍ବ କରିଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଥିଲେ ନିର୍ବାଚନୀରେ ଲଢ଼ୁଥିବା ପ୍ରାର୍ଥୀ। ଶେଷରେ ସଂଧ୍ୟା ୬ଟା ଯାଏ ମଧ୍ଯ ଭୋଟ ଗଣତି ଆରମ୍ଭ ହୋଇନଥିଲା। ଏଜେଣ୍ଟ ଉପସ୍ଥିତ ଥିଲେ ମଧ୍ୟ ଗଣତି ଆରମ୍ଭରେ ବିଳମ୍ବ କରାଗଲା। ପ୍ରଥମେ ବିଭିନ୍ନ ବାକ୍ସକୁ ଅଲଗା କରାଯାଇ ସାଢ଼େ ୬ଟା ବେଳକୁ ଭୋଟ ଗଣତି ଆରମ୍ଭ ହୋଇଥିବା ନେଇ ସୂଚନା ମିଳିଛି। ଏହାରି ଭିତରରେ ଗଣନା କେନ୍ଦ୍ରରେ ଏଜେଣ୍ଟ ମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବାରମ୍ବାର ଗଣନାକୁ ନେଇ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ଭୋଟ ବାକ୍ସକୁ ଜାଳିଦେବାକୁ ଧମକ ଦେଇଥିବା ମଧ୍ଯ ସୂଚନା ରହିଛି। ଅନ୍ୟପଟେ ଭୋଟଗଣତି ସମୟରେ ଏବିଭିପି ସମର୍ଥକମାନେ ଗଣନା କେନ୍ଦ୍ର ସମ୍ମୁଖରେ ଭିଡ଼ ଜମାଇଥିଲେ। ସେମାନଙ୍କ ପ୍ରାର୍ଥୀଙ୍କ ଭୋଟ ଆଗୁଆ ରହିଥିବାରୁ ରାତି ସାଢ଼େ ୧୨ଟା ବେଳକୁ ସେଲିବ୍ରେସନ୍ ଆରମ୍ଭ କରିଥିଲେ।

ବିଳମ୍ବ ପାଇଁ ରାସ୍ତା ରୋକ୍

ଅନ୍ୟପଟେ କାହିଁକି ରାତି ଅଧ ଯାଏ ଭୋଟ ଗଣତି ବିଳମ୍ବ ହେଉଛି ବୋଲି କହି ଏନଏସୟୁଆଇ ବାଣୀବିହାର ଜାତୀୟ ରାଜପଥକୁ ରୋକ କରିଥିଲା। ରାସ୍ତାରେ ଶତାଧିକ ଗାଡ଼ି ଅଟକି ରହିଥିଲେ । ଏହାରି ଭିତରେ ଆମ୍ବୁଲାନ୍ସ ମଧ୍ଯ ଫସିଥିଲା। ପୁଲିସ ପ୍ରଶାସନ ଆସି ବୁଝାସୁଝା କରିଥିଲେ ହେଲେ କୌଣସି ପ୍ରକାରର ଶୁଣିବାକୁ ନଥିଲେ ଆନ୍ଦୋଳନକାରୀ। ଖୋଦ୍ ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ବିଭୂତି ଭୂଷଣ ମହାପାତ୍ର, ଏଆଇଏସୟୁଆଇର ସଭାପତି ସଂଘମିତ୍ରା ଜେନା, କଂଗ୍ରେସ ନେତା ମନୋଜ ବିଶ୍ବାଳଙ୍କ ସମେତ ଅନ୍ୟ ନେତା ମାନେ ମଧ୍ୟ ଉପସ୍ଥିତ ଥିଲେ। ପୁଲିସ କମିଶନର ଓ ଭୁବନେଶ୍ୱର ଡିସିପି ମଧ୍ଯ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ।