ନୂଆଦିଲ୍ଲୀ,୦୮।୦୮; ଇରାନ ସହ ଯୁଦ୍ଧ ଭିତରେ ଟାରିଫ୍ ବୋମା ଫୁଟାଇବାକୁ ପ୍ଲାନ୍ କରୁଛନ୍ତି ଟ୍ରମ୍ପ । ଭାରତ ସମେତ ୫ଟି ଦେଶ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବା ସଂକ୍ରାନ୍ତ ବିଲ୍ ଆମେରିକା ସିନେଟରେ ପାସ୍ ହୋଇଛି । ବିଲ୍ ସପକ୍ଷରେ ୮୬ ସାଂସଦ ଭୋଟ ଦେଇଥିଲା ବେଳେ ବିପକ୍ଷରେ ମାତ୍ର ୧୧ ଜଣ ଭୋଟ ଦେଇଥିଲେ ।ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଞ୍ଜୁରି ଲାଗି ପଠାଯିବ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ତାହା ଆଇନରେ ପରିଣତ ହେବ ।

ବିଲ୍‌ରେ ରହିଥିବା ବ୍ୟବସ୍ଥା ଅନୁସାରେ ଭାରତ, ଚୀନ, ସ୍ଳୋଭାକିଆ, ହଙ୍ଗେରି ଓ ଆଜରବୈଜାନ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଯିବାର ସମ୍ଭାବନା ରହିଛି । ଉଭୟ ରିପବ୍ଲିକାନ ଓ ଡେମୋକ୍ରାଟିକ ପାର୍ଟିର ସଦସ୍ୟଙ୍କ ସମର୍ଥନରେ ଏହି ବିଲ୍ ଅଣାଯାଇଛି । ଏହାର ଉଦ୍ଦେଶ୍ୟ ରୁଷ ତେଲ ବିକ୍ରି କରି ସେଥିରୁ ଉପାର୍ଜନ କରୁଥିବା ଆୟକୁ କମାଇବା । ଯାହାଫଳରେ ରୁଷର ଯୁଦ୍ଧ ଲଢ଼ିବା କ୍ଷମତା ହ୍ରାସ ଘଟିବ । ରୁଷ ଠାରୁ ତେଲ କିଣୁଥିବା ଦେଶ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବା ଲାଗି ଗତ ଜୁଲାଇ ୨୩ରେ ପ୍ରସ୍ତାବ ଅଣାଯାଇଥିଲା । ଆରମ୍ଭରେ ଉକ୍ତ ବିଲ୍‌ରେ ୫୦୦ ପ୍ରତିଶତ ଟାରିଫ ଲଗାଯିବାର ଯୋଜନା ଥିଲା । କିନ୍ତୁ ପରେ ତାକୁ ୧୦୦ ପ୍ରତିଶତରେ ସୀମିତ ରଖାଯାଇଛି । ତେବେ ବର୍ତ୍ତମାନ ଏହା ଆଇନରେ ପରିଣତ ହୋଇନାହିଁ । ଏହି ବିଲ୍କୁ ଆମେରିକା ସଂସଦର ନିମ୍ନ ସଦନ ଅର୍ଥାତ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭସକୁ ପଠାଯିବ । ସେଠାରେ ପାସ୍ ହେଲେ ଏହାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଞ୍ଜୁରୀ ଲାଗି ପଠାଯିବ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ ।

ଯଦି ଏହି ବିଲ୍ ଆଇନରେ ପରିଣତ ହୁଏ ତେବେ ୧୯୯୬ ଇରାନ ପ୍ରତିବନ୍ଧ ଆଇନକୁ ୨୦୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯିବ । ଏହି ଆଇନ ଅଣ ଆମେରିକୀୟ କମ୍ପାନି ଉପରେ ପ୍ରତିବନ୍ଧକ ଲଗାଇଥାଏ ଯେଉଁମାନେ ଇରାନ ସହ ବ୍ୟବସାୟ କରିଥାନ୍ତି । ଏହି ଆଇନ ଚଳିତବର୍ଷ ଶେଷ ହେବାର ଅଛି । ଏହି ବିଲ୍ ମାଧ୍ୟମରେ ଆମେରିକା ରାଷ୍ଟ୍ରପତିଙ୍କୁ ସେହି ଅଧିକାର ମିଳିଯିବ ଯେଉଁଥିରେ ଆମେରିକାକୁ ଆସୁଥିବା ରୁଷ ସାମଗ୍ରୀ ଉପରେ ୫୦୦ ପ୍ରତିଶତ ଟାରିଫ ଲଗାଇ ପାରିବେ । ରାଷ୍ଟ୍ରପତିଙ୍କ ଏହି ଅଧିକାର ୫ ବର୍ଷ ପର୍ଯ୍ୟନ୍ତ ଜାରି ରହିବ । ହ୍ୱାଇଟ୍ ହାଉସ୍ ପୂର୍ବରୁ ରୁଷ ଉପରେ ପ୍ରତିବନ୍ଧକ ଲଗାଇବାକୁ ଉଦ୍ୟମ କରିଆସୁଛି । କିନ୍ତୁ ଇରାନ ଯୁଦ୍ଧ ଯୋଗୁ ହୋର୍ମୁଜ ଜଳମାର୍ଗ ବନ୍ଦ ହେବା ଫଳରେ ତେଲ ସଙ୍କଟ ଦେଖାଦେଇଥିଲା । ଏହାଫଳରେ ଆମେରିକା ପ୍ରଶାସନ ରୁଷକୁ ତେଲ ବିକ୍ରି କରିବା ନିମନ୍ତେ କିଛିଦିନ ପାଇଁ ରିହାତି ଦେଇଥିଲା ।