ନୂଆଦିଲ୍ଲୀ, ୦୭/୦୫: ପୁଣି ଥରେ ସାମ୍ନାକୁ ଆସିଛି ଏପଷ୍ଟେଇନ୍ ପ୍ରସଙ୍ଗ । ଏବେ ଜାରି କରାଯାଇଛି ମୃତ୍ୟୁ ପୂର୍ବର ନୋଟ୍ । ଅର୍ଥାତ ସୁଇସାଇଡ୍ ନୋଟକୁ ଜାରି କରିଛି ୟୁଏସ୍ ପ୍ରଶାସନ । ବୁଧବାର ଆମେରିକା ଫେଡେରାଲ୍ ଜଜ୍ ଚର୍ଚ୍ଚିତ ଜେଫରୀ ଏପଷ୍ଟେଇନ୍ ର ସୁଇସାଇଡ୍ ନୋଟକୁ ସର୍ବସମ୍ମୁଖକୁ ଆଣିଛନ୍ତି ।

କ’ଣ ଅଛି ନୋଟରେ ?

ଜେଫ୍ରି ଲେଖିଥିବା ନୋଟରେ ଉଲ୍ଲେଖ ଅଛି ଯେ, ତାଙ୍କ ବିରୋଧରେ ଯେଉଁ ତଦନ୍ତ ଚାଲିଛି ସେଥିରେ ସେ ଖୁସି ନାହାଁନ୍ତି । ମାସେ ଧରି ତଦନ୍ତ ହୋଇଛି । ହେଲେ କିଛି ମିଳିନି । ନିଜେ ବିଦାୟ ନେବାର ସମୟ ନିଜେ ବାଛିବା ଏକ ସୁନ୍ଦର ଅନୁଭବ ଅଟେ । ଏହାସହ ସେ ଏଥିରେ ଜୀବନ ତଥା ମରଣକୁ ନେଇ ଅନେକ କିଛି ଉଲ୍ଲେଖ କରିଛି ।

ତେବେ ଏହି ନୋଟକୁ ୨୦୨୧ ମସିହାରେ କୋର୍ଟଙ୍କୁ ପ୍ରଦାନ କରାଯାଇଥିଲା । ହେଲେ ଏହାକୁ ନେଇ ବିବାଦ ହୋଇଥିଲା । ଅନେକ ଦିନ ଧରି ମାମଲା ଚାଲିଥିଲା । ତେଣୁ ସାର୍ବଜନୀନ କରିବାରେ ବିଳମ୍ବ ହୋଇଥିଲା । ଏପରିକି ଆମେରିକାର ଆଇନ୍ ବିଭାଗ ଏବାବଦରେ ମୁହଁ ମଧ୍ୟ ଖୋଲି ନଥିଲା ।

ପ୍ରଥମେ କିଏ ପାଇଥିଲେ ଏହି ନୋଟ୍ ?

ଏପଷ୍ଟେଇନ୍ ଗିରଫ ହୋଇ ଜେଲରେ ଥିବା ବେଳେ ତାଙ୍କର ଅନ୍ତେବାସୀ ଥିଲେ ନିକୋଲାସ ଟାର୍ଟାଗ୍ଲିଓନି । ଉଭୟଙ୍କୁ ଗୋଟିଏ କୋଠରୀରେ ରଖାଯାଇଥିଲା । ୨୦୧୯ରେ ଏପଷ୍ଟେଇନ୍ ଚେତାଶୂନ୍ୟ ହୋଇ ଜେଲ୍ କୋଠରୀରେ ପଡିଥିଲେ । ତାଙ୍କ ବେକରେ କିଛି ଗୁଡାଇବାର ଚିହ୍ନ ଥିଲା । ନିକୋଲାସଙ୍କ କହିବାନୁସାରେ, ଏପଷ୍ଟେଇନ୍ ଏକ କମିକ୍ ବୁକ୍ ରଖିଥିଲେ । ଏହି ବହି ଭିତରୁ ହିଁ ସେ ସୁଇସାଇଡ୍ ନୋଟ୍ ପାଇଥିଲେ ।

ସୂଚନାଯୋଗ୍ୟ, ୨୦୧୯ ମସିହା ଅଗଷ୍ଟ ୧୦ ତାରିଖରେ ଏପଷ୍ଟେଇନ୍ ପ୍ରାଣ ହରାଇଥିଲେ । ଆମେରିକାର ନ୍ୟୁୟର୍କ ସ୍ଥିତ ମେଟ୍ରୋପଲିଟନ୍ ସେଣ୍ଟର ଜେଲରେ ତାଙ୍କର ମୃତଦେବ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା । ତାଙ୍କ ବେକରେ ଚିହ୍ନ ଥିଲା । ଏହାପରେ ୟୁଏସ ସରକାର ଏହା ଏକ ଆତ୍ମହତ୍ୟା ବୋଲି କହିଥିଲେ ।