ବଡ଼ବିଲ: ଗ୍ୟାସ ସିଲିଣ୍ଡରରୁ ଅସୁରକ୍ଷିତ ଭାବେ ଛୋଟ ସିଲିଣ୍ଡର ଭର୍ତ୍ତି କରିବା ବେଳେ ଘଟିଲା ବଡ଼ ଅଘଟଣ । ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିବାରୁ ଏଥିରେ ୩ ଶିଶୁଙ୍କ ସମେତ ବାପା ଗୁରୁତର ଆହତ ହୋଇଛନ୍ତି । ଶୁକ୍ରବାର କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ଖଣି ଟାଉନସିପ୍ ସ୍ଥିତ ବାକରାଢ଼ିପା ହଟିଂରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ଅଞ୍ଚଳର ଦୀପକ କୁମାର ସିଂହ ନିଜ ଘରେ ଏକ ବଡ଼ ସିଲିଣ୍ଡରରୁ ଗୋଟିଏ ଛୋଟ ସିଲିଣ୍ଡରକୁ ଗ୍ୟାସ୍ ରିଫିଲିଂ କରୁଥିଲେ। ଏହି ସମୟରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ଆଉ ଚାହୁଁ ଚାହୁଁ ନିଆ ପୂରା କୋଠରୀରେ ବ୍ୟାପି ଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଦୀପକଙ୍କ ସମେତ ତାଙ୍କର ତିନି ସନ୍ତାନ ୫ ବର୍ଷର ନିକିତା, ୪ ବର୍ଷର ନିରଜ କୁମାର ଓ ୨ ବର୍ଷର ଦୀପନେସି କୁମାରୀ ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଥିଲେ।

ତେବେ ଅଗ୍ନିକାଣ୍ଡ ଦେଖି ପଡ଼ୋଶୀ ଏବଂ ସ୍ଥାନୀୟ ବସ୍ତିବାସିନ୍ଦା ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ିଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସ୍ଥାନୀୟ ଲୋକଙ୍କ ସାହସିକ ପଦକ୍ଷେପ ଯୋଗୁଁ ନିଆଁ ଲିଭିବା ସହ ବସ୍ତିରେ ଥିବା ଅନ୍ୟ ଘରଗୁଡ଼ିକ ଏକ ବଡ଼ ବିପଦରୁ ଅଳ୍ପକେ ରକ୍ଷା ପାଇଯାଇଛି। ତେବେ ସଙ୍ଗେ ସଙ୍ଗେ ଗୁରୁତର ୪ ଜଣଙ୍କୁ ଉଦ୍ଧାର କରାଯାଇ ସେଲ୍ ବଲାଣି ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।