ନୂଆଦିଲ୍ଲୀ ୧୨।୨: କାରବିୟନ ସାଗରରେ ଗୁରୁବାର ଇନ୍ଧନ ଭରିବା ସମୟରେ ଆମେରିକା ନୌସେନାର ଦୁଇଟି ଜାହାଜ ପରସ୍ପର ସହ ଧକ୍କା ଲାଗିଛନ୍ତି। ତେବେ ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି।ଏହି ଧକ୍କା ଲାଗିବା ଘଟଣାରେ ୨ ଜଣ ଆହତ ହୋଇଛନ୍ତି। ଆମେରିକୀୟ ଗଣମାଧ୍ୟମରୁ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିଛି। ରିପୋର୍ଟ ଅନୁସାରେ ନୌସେନାର ଏକ ଡିଷ୍ଟ୍ରୟର ସିପ୍ ରେ ତେଲ ଭରିବା ପାଇଁ ଆସିଥିବା ଜାହାଜ ମଧ୍ୟରେ ଧକ୍କା ହୋଇଯାଇଛି।

ଘଟଣା ସମ୍ପର୍କରେ ଆମେରିକା ସାଉଥ କମାଣ୍ଡ ମୁଖପାତ୍ର କର୍ଣ୍ଣେଲ ଇମାନ୍ୟୁଏଲ ଆର୍ଟିଜ୍ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଅର୍ଲେ ବର୍କ ଶ୍ରେଣୀର ଡିଷ୍ଟ୍ରୟର ସିପ୍ ୟୁଏସଏସ୍ ଷ୍ଟ୍ରକଷ୍ଟନ ଓ ଇନ୍ଧନ ସହାୟତା ଦେଉଥିବା ପୋତ ମଝି ସମୁଦ୍ରରେ ଫିଲିଂ କରୁଥିବା ବେଳେ ପରସ୍ପର ସହ ବାଡେଇ ହୋଇଯାଇଛନ୍ତି। ଆର୍ଟିଜ୍ ଏହି ଦୁର୍ଘଟଣାରେ ୨ ଜଣ ସେନା କର୍ମଚାରୀ ଆହତ ହୋଇଥିବା ପୁଷ୍ଟି କରିଛନ୍ତି। ତେବେ ଏହି ଦୁର୍ଘଟଣା କିପରି ଘଟିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଏବେ ମାମଲାର ଯାଞ୍ଚ ଚାଲିଛି।

ସେହିପରି ଏହି ଘଟଣା ସମୁଦ୍ରର କେଉଁସ୍ଥାନରେ ହୋଇଛି ସେ ନେଇ ମଧ୍ୟ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଘଟଣା ସାଉଥ କମାଣ୍ଡ ଅନ୍ତର୍ଗତ ଅଞ୍ଚଳରେ ଘଟିଛି। ସାଉଥ କମାଣ୍ଡରେ କାରବିୟନ ସାଗର ସମେତ ଦକ୍ଷିଣ ଆଟଲାଣ୍ଟିକ ଓ ପ୍ରାଶାନ୍ତ ମହାସାଗରର କିଛି କ୍ଷେତ୍ର ରହିଛି। ରିପୋର୍ଟ ଅନୁସାରେ ୟୁଏସଏସ ଷ୍ଟ୍ରକ୍ସନ ଫେବୃଆରୀ ୬ ତାରିଖ ଦିନ ଭର୍ଜିନିଆର ନରଫୋକସ୍ଥିତ ଘରୋଇ ବନ୍ଦରରୁ ସମୁଦ୍ରକୁ ବାହାରିଥିଲା। ତେବେ ସପ୍ଲାଇ ଜାହାଜ କାରବୀୟ ସାଗରରେ ପାଟ୍ରୋଲିଂ କରୁଥିଲା। ସୂତ୍ର ଅନୁସାରେ ଫିଲିଂ ପ୍ରକ୍ରିୟାରେ ତ୍ରୁଟି ଯୋଗୁ ଦୁଇ ଜାହାଜ ମଧ୍ୟରେ ଧକ୍କା ହୋଇଛି।