ୱାଶିଂଟନ୍: ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଶେଷ ହେବା ପୂର୍ବରୁ ରୁଷ୍ ସହ କିଛି ଆର୍ଥିକ ଚୁକ୍ତି କରିବାକୁ ଆମେରିକାର ଟ୍ରମ୍ପ ପ୍ରଶାସନ ବିଚାର କରୁଥିବା ଜଣାପଡ଼ିଛି। ଏହି ମାମଲା ସହିତ ଜଡ଼ିତ ଦୁଇ ଅଧିକାରୀଙ୍କ ସୂତ୍ରରୁ ଖବର ନେଇ ଏଭଳି ରିପୋର୍ଟ ପ୍ରକାଶ କରିଛି ଆମେରିକୀୟ ଗଣମାଧ୍ୟମ ‘ଦ ନ୍ୟୁୟର୍କ ଟାଇମ୍ସ’।

ରିପୋର୍ଟ ଅନୁସାରେ, ଯୁଦ୍ଧ ଶେଷ ପୂର୍ବରୁ ରୁଷ୍ ସହ ଆର୍ଥିକ ଚୁକ୍ତି କରି ଆମେରିକା କ୍ରେମ୍ଲିନ୍ ସହ ସମ୍ପର୍କ ସୁଧାରିବାକୁ ଚାହୁଁଛି ବୋଲି ଜଣାଇବାକୁ ଚାହୁଁଛି। ତା’ ସହିତ ୟୁକ୍ରେନ ସହ ଯୁଦ୍ଧ ଶେଷ କରିବା ଦିଗରେ ରାଜି କରାଇବା ପାଇଁ ଏହା ଟ୍ରମ୍ପ ପ୍ରଶାସନର ଏକ ନୂଆ ରଣନୀତି ହୋଇପାରେ ବୋଲି କୁହାଯାଉଛି।

ଋଷ ସହ ବାଣିଜ୍ୟିକ ଚୁକ୍ତି ନେଇ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିନ୍ତୁ ଅଲଗା କଥା କହିଥିଲେ। ୟୁକ୍ରେନ୍ ଯୁଦ୍ଧର ସମାଧାନ ନ ହେବା ପର୍ଯ୍ୟନ୍ତ ରୁଷ୍ ସହ କୌଣସି ଆର୍ଥିକ ଚୁକ୍ତି କରାଯିବ ନାହିଁ ବୋଲି ଟ୍ରମ୍ପ କହିଥିଲେ। ହେଲେ ବର୍ତ୍ତମାନର ଆଲୋଚନା ଟ୍ରମ୍ପଙ୍କର ପୁରୁଣା ଆଭିମୁଖ୍ୟଠାରୁ ପୂରା ଓଲଟା ବୋଲି ରିପୋର୍ଟରେ କୁହାଯାଇଛି।

Also Read- Japan population : ବୃଦ୍ଧଙ୍କ ଦେଶ ପାଲଟୁଛି ଜାପାନ ! ଲକ୍ଷେ ଟପିଲା ଶତାୟୁଙ୍କ ସଂଖ୍ୟା, ଚିନ୍ତା ବଢ଼ାଉଛି କମୁଥିବା ଯୁବବର୍ଗ

ରୁଷ୍କୁ ରାଜି କରାଇବା ପାଇଁ ‘ପ୍ରୋତ୍ସାହନ’ ରଣନୀତି

ଯୁଦ୍ଧ ପରେ ଋଷ ୟୁକ୍ରେନର କିଛି ଅଞ୍ଚଳ ଦଖଲ କରି ନେଇଛି। ଯାହା ଯୁକ୍ରେନ୍ ଛାଡ଼ିବାକୁ ଚାହୁଁ ନାହିଁ। ଏଥିପାଇଁ ଉଭୟ ଦେଶ ମଧ୍ୟରେ ଆଲୋଚନା ଜଟିଳ ହୋଇଛି। ଅନ୍ୟପକ୍ଷରେ, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ୟୁକ୍ରେନ୍ର କିଛି ଅଞ୍ଚଳ ଉପରେ ନିଜର ଦାବି ରଖୁଛନ୍ତି। ତେଣୁ ଏଭଳି ଟଣାଓଟରା ପରିସ୍ଥିତିରେ ୟୁକ୍ରେନ୍ ଯୁଦ୍ଧ ଶେଷ କରିବା ପାଇଁ ଆମେରିକାର ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକଫ୍ ଏବଂ ଟ୍ରମ୍ପଙ୍କ ଜାମାତା ଜାରେଡ୍ କୁଶନର୍ ଏକ ନୂଆ ଉପାୟ ଖୋଜୁଥିବା ରିପୋର୍ଟରେ ଦାବି କରାଯାଇଛି। ଟ୍ରମ୍ପ ପ୍ରଶାସନ ‘ଚାପ ଓ ପ୍ରୋତ୍ସାହନ’ ଉଭୟ ରଣନୀତି ଆପଣାଇଥିବା କୁହାଯାଉଛି।

ସେପଟେ ଆମେରିକା କଂଗ୍ରେସ ଆଭିମୁଖ୍ୟ କିନ୍ତୁ ଭିନ୍ନ ରହିଛି। ସେମାନଙ୍କ ମତରେ, ରୁଷ୍ ଉପରେ ଆର୍ଥିକ ଓ ସାମରିକ ଚାପ ବଢ଼ାଇଲେ ହିଁ ପୁଟିନ୍ଙ୍କୁ ସମାଧାନ ପାଇଁ ରାଜି କରାଯାଇପାରିବ ବୋଲି ଚାହୁଁଛି ଆମେରିକୀୟ ସଂସଦ।

ରୁଷ୍ ବିରୋଧରେ ନୂଆ କଟକଣା ପ୍ରସ୍ତାବ

ଇତିମଧ୍ୟରେ ଆମେରିକାର ପ୍ରତିନିଧି ସଭା ସିନେଟ୍‌ରେ ପାରିତ ହୋଇଥିବା H.R. 5334 ବିଲକୁ ସମର୍ଥନ କରିଛି। ଏହି ବିଲ୍ରେ ରୁଷ୍ ବିରୋଧରେ କଠୋର ଆର୍ଥିକ କଟକଣା ଲଗାଇବା ସହ ରୁଷ୍ ଠାରୁ ଶକ୍ତି ସମ୍ପଦ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବାର ବ୍ୟବସ୍ଥା ରହିଛି। ହେଲେ ଏହି ପ୍ରସ୍ତାବକୁ ନେଇ ରୁଷ୍ ଅସନ୍ତୋଷ ଝାଡ଼ିଛି। ଆମେରିକା ଏପରି କଠୋର କଟକଣା ଲଗାଇବା ଏକ ମିତ୍ରସୁଲଭ ପଦକ୍ଷେପ ନୁହେଁ ବୋଲି ରାଷ୍ଟ୍ରପତି ପୁଟିନଙ୍କ ପ୍ରେସ୍ ସଚିବ ଦିମିତ୍ରି ପେସ୍କୋଭ୍ କହିଛନ୍ତି।