ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା, କେକେଆର୍ (KKR) କୋଚ୍ ଅଭିଷେକ ନାୟରଙ୍କ ସହ ଏକ ଗେମ୍-ଶୋ’ରେ ନଜର ଆସିଛନ୍ତି । ଏହାର ଏକ ପ୍ରୋମୋ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଆଗାମୀ ଗେମ୍-ଶୋ’ 'ଫ୍ୟାମିଲି ଫୁଲ୍ ହାଉସ୍'ର ଏକ ସ୍ପେଶାଲ୍ ଏପିସୋଡରେ ରୋହିତ ଶର୍ମା, ଶ୍ରେୟସ ଅବ୍ଦୁଲ୍, ଶାର୍ଦ୍ଦୁଳ ଠାକୁର ଏବଂ ଅଭିଷେକ ନାୟରଙ୍କ ଭଳି ତାରକା କ୍ରିକେଟରମାନେ ଏକାଠି ନଜର ଆସିଛନ୍ତି। ଶୋ' ର ଏକ ପ୍ରୋମୋ ଭିଡିଓରେ ଅଭିଷେକ ନାୟର, ରୋହିତଙ୍କୁ ଆଇପିଏଲ୍ (IPL) ଓ ବିଭିନ୍ନ ଫ୍ରାଞ୍ଚାଇଜିକୁ ନେଇ କିଛି ମଜାଦାର ପ୍ରଶ୍ନ ପଚାରିଥିଲେ। ସେ ରୋହିତଙ୍କୁ ହଳଦିଆ (CSK) ଓ ବାଇଗଣୀ (KKR) ପୋଷାକରେ ଦେଖିବାକୁ ଚାହାଁନ୍ତି ବୋଲି କହି ଚିଡ଼ାଇବାକୁ ଚେଷ୍ଟା କରିଥିଲେ।

ନାୟର କୋଲକାତା ନାଇଟ୍ ରାଇଡର୍ସର କୋଚ୍ ଥିବାରୁ ସେ ରୋହିତଙ୍କୁ କେକେଆରରେ ଯୋଗଦେବା ପାଇଁ ମଧ୍ୟ ପରୋକ୍ଷରେ ପ୍ରସ୍ତାବ ଦେଇଥିଲେ। ନାୟରଙ୍କ ଏହି ମନ୍ତବ୍ୟରେ ଦର୍ଶକମାନେ ଉତ୍ସାହିତ ହୋଇ ‘ମୁମ୍ବାଇ-ମୁମ୍ବାଇ’ ନାରା ଲଗାଇବା ଆରମ୍ଭ କରିଦେଇଥିଲେ। ରୋହିତ ନିଜର ଚିରାଚରିତ ଶୈଳୀରେ କହିଥିଲେ ଯେ, ମୁମ୍ବାଇ ଫରଏଭର । ସେ ସବୁବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ମୁମ୍ବାଇ କ୍ରିକେଟ୍ ସହ ଯୋଡ଼ି ହୋଇ ରହିବେ। ତାଙ୍କର ଏହି ଉତ୍ତର ସେଠାରେ ଉପସ୍ଥିତ ସମସ୍ତ ପ୍ରଶଂସକଙ୍କ ମନ ଜିଣି ନେଇଥିଲା।

​​​​​​​

ଏହି ମଜାଦାର ଏପିସୋଡଟି ସେପ୍ଟେମ୍ବର ୧୯ ତାରିଖରେ ପ୍ରସାରିତ ହେବାକୁ ଯାଉଛି । ଏହି ତାରିଖ ରୋହିତ ଶର୍ମାଙ୍କ ଅନ୍ତର୍ଜାତୀୟ ଟି-୨୦ ପଦାର୍ପଣ ତାରିଖ ସହ ସମାନ। ଆମେରିକାରେ ଲୋକ ପ୍ରିୟ ଶୋ’ ଫ୍ୟାମିଲ୍‌ ଫ୍ୟୁଡ୍‌ ଭଳି ସୋନି ଟିଭିରେ ​'ଫ୍ୟାମିଲି ଫୁଲ୍ ହାଉସ୍' ଶୋ’ ପ୍ରସାରିତ ହେବ । ଏଥିରେ ଷ୍ଟାର କ୍ରିକେଟର ରୋହିତ ଶର୍ମାଙ୍କ ସମେତ ଅନେକ କ୍ରିକେଟରଙ୍କଚ ଦେଖିବାକୁ ମିଳିବ ।