ନୂଆଦିଲ୍ଲୀ, ୧୮।୦୯ : ଜାପାନରେ ୧୦୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସର ଲୋକଙ୍କ ସଂଖ୍ୟା ପ୍ରଥମ କରି ୧ ଲକ୍ଷ ଟପିଛି । ସେମାନଙ୍କ ମଧ୍ୟରେ ୮୮ ପ୍ରତିଶତ ହେଉଛନ୍ତି ମହିଳା । ଜାପାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଦେଶରେ ଏବେ ୧ ଲକ୍ଷ ୭ ହଜାର ୬୭୭ ଜଣଙ୍କ ବୟସ ୧୦୦ କିମ୍ବା ତା’ଠାରୁ ଅଧିକ । ସେମାନେ ତାଙ୍କ ୧୦୦ ତମ ଜନ୍ମଦିବସ ଦେଖିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେମାନଙ୍କ ମଧ୍ୟରେ ୯୪,୩୦୦ ଜଣ ମହିଳା ଏବଂ ପ୍ରାୟ ୧୩,୪୦୦ ଜଣ ହେଉଛନ୍ତି ପୁରୁଷ । ଗତବର୍ଷ ତୁଳନାରେ ଚଳିତ ବର୍ଷ ୧୦୦ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ପ୍ରାୟ ୮ ହଜାର ବଢ଼ିଛି ।

ହଂକଂ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ସାମାଜିକ ବିଜ୍ଞାନ ପ୍ରଫେସର ଷ୍ଟୁଆର୍ଟ ଗିଟେଲ-ବାଷ୍ଟେନଙ୍କ ମୁତାବକ, ଜାପାନରେ ଦୀର୍ଘ ଆୟୁ ପଛରେ ଅନେକ କାରଣ ରହିଛି । ସ୍ୱାସ୍ଥ୍ୟକର ଖାଦ୍ୟ-ପାନୀୟ, ଦୈନନ୍ଦିନ ଜୀବନରେ ସକ୍ରିୟ ରହିବା, ଶସ୍ତା ସ୍ୱାସ୍ଥ୍ୟସେବା ଏବଂ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଏହାର ପ୍ରମୁଖ କାରଣ । ରିପୋର୍ଟ ଅନୁସାରେ, ପୁରୁଷଙ୍କ ତୁଳନାରେ ମହିଳା ଅଧିକ ଦିନ ବଞ୍ଚିବାର କାରଣ ହେଉଛି ସେମାନଙ୍କ ଜୀବନଶୈଳୀ । ଏବେର ଶତାୟୁଙ୍କ ପିଢ଼ିର ପୁରୁଷଙ୍କ ଧୂମ୍ରପାନ ଏବଂ ମଦ୍ୟପାନ କରିବାର ଅଭ୍ୟାସ ମହିଳାଙ୍କ ତୁଳନାରେ ଅଧିକ ଥିଲା । ପୁରୁଷମାନେ ଔଦ୍ୟେଗିକ ଏବଂ ଶାରୀରିକ ପରିଶ୍ରମ ଯୁକ୍ତ କାର୍ଯ୍ୟରେ ଦୀର୍ଘ ସମୟ ଧରି ଲିପ୍ତ ରହୁଥିଲେ । ଯାହାର ପ୍ରଭାବ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିଥିଲା । ସେହିପରି ଅବସର ପରେ କିମ୍ବା ଜୀବନସାଥୀଙ୍କ ମୃତ୍ୟୁ ପରେ ଅନେକ ପୁରୁଷ ନିଜକୁ ଏକୁଟିଆ ଭାବିବା ସହ ସାମାଜିକ ଭାବେ ଅଲଗା ହୋଇଯାଇଥିଲେ । ଯାହାର ପ୍ରଭାବ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିଥିଲା । କିନ୍ତୁ ମହିଳାମାନେ ପରିବାର ଏବଂ ସମାଜ ସହ ଯୋଡ଼ି ହୋଇ ରହିଥିଲେ । ଫଳରେ ମହିଳାଙ୍କୁ ସାମାଜିକ ଏବଂ ମାନସିକ ସ୍ତରରେ ଲାଭ ମିଳିଥିଲା ।

ଏହା ବ୍ୟତୀତ ଏହି ପିଢ଼ିର ମହିଳାମାନଙ୍କ ସଂଖ୍ୟା ଅଧିକ ହେବାର ଏକ ବଡ଼ କାରଣ ହେଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧ । ସେତେବେଳେ ଜାପାନର ପ୍ରାୟ ୨୩ ଲକ୍ଷ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା । ସେହି ସୈନ୍ୟଙ୍କ ମଧ୍ୟରେ ପ୍ରାୟ ସଭିଏଁ ପୁରୁଷ ଥିଲେ । ନିଗାତା ପ୍ରଦେଶର ଏକ ପାହାଡ଼ିଆ ଅଞ୍ଚଳରେ ରହୁଥିବା ତେତ୍ସୁଓ ସାତୋ ବି ଜାପାନର ୧ ଲକ୍ଷରୁ ଅଧିକ ଶତାୟୁଙ୍କ ମଧ୍ୟରେ ସାମିଲ । ସାତୋଙ୍କୁ ଏବେ ୧୦୭ ବର୍ଷ ହେବ । ସେ ନିଜ ପୁଅ, ବୋହୂଙ୍କ ସହ ରହୁଛନ୍ତି । ତାଙ୍କୁ ଏବେ ଦେଖିବା ଏବଂ ଶୁଣିବାରେ ସମସ୍ୟା ହେଉଛି । ଏହା ସତ୍ତ୍ଵେ ସେ ଦିନସାରା ନିଜକୁ ବ୍ୟସ୍ତ ରଖୁଛନ୍ତି । ସେ ପୁରୁଣା କ୍ୟାଲେଣ୍ଡର ଏବଂ ରାପିଂ ପେପରରୁ ନୋଟବୁକ୍ ବନାଉଛନ୍ତି । ତାଙ୍କ ବୋହୂଙ୍କୁ ଏବେ ୬୮ ବର୍ଷ । ସାତୋଙ୍କ ସ୍ୱାମୀ ବି ନିଜ କାମ ନିଜ କରୁଛନ୍ତି । ସାତୋଙ୍କ ଇଚ୍ଛା ଥିଲା ୧୦୦ ବର୍ଷ ଯାଏ ବଞ୍ଚିବାକୁ । କିନ୍ତୁ ଏବେ ତାଙ୍କୁ ୧୧୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ ଇଚ୍ଛା ବୋଲି କହିଛନ୍ତି । ଜାପାନର ଜନସଂଖ୍ୟା ୨୦୦୮ରେ ପ୍ରାୟ ୧୨.୮ କୋଟି ସହ ସର୍ବାଧିକ ଥିଲା ।

ସରକାରୀ ଅନୁମାନ ଅନୁସାରେ, ୨୦୭୦ ସୁଦ୍ଧା ଏହି ସଂଖ୍ୟା କମି ପ୍ରାୟ ୮.୭ କୋଟି ହୋଇପାରେ । ଏବେ ଜାପାନରେ ଗୋଟିଏ ଶିଶୁ ଜନ୍ମ ହେଉଥିବାବେଳେ ପ୍ରାୟ ୨ଟି ମୃତ୍ୟୁ ଘଟୁଛି । ଏହାର ସିଧା ପ୍ରଭାବ ଦେଶର କାର୍ଯ୍ୟକ୍ଷମ ଜନସଂଖ୍ୟାଙ୍କ ଉପରେ ପଡ଼ିବ । କାମ କରୁଥିବା ଲୋକଙ୍କ ସଂଖ୍ୟା କମି ଚାଲିଥିବାବେଳେ ଏଠାରେ ବୟସ୍କଙ୍କ ସଂଖ୍ୟା ବଢ଼ୁଛି । ଏହା ଦ୍ୱାରା ସରକାରଙ୍କ ଉପରେ ଟିକସ ଏବଂ ସାମାଜିକ ସୁରକ୍ଷାର ବୋଝ ବଢ଼ୁଛି । ଜାପାନ ସରକାର ଅନେକ ଦଶନ୍ଧି ଧରି ଲୋକଙ୍କୁ ଅଧିକ ପିଲା ଜନ୍ମ କରିବାକୁ ପ୍ରୋତ୍ସାହିତ କରୁଛନ୍ତି । ଏହା ସତ୍ତେ୍ୱ ସେଠାରେ ଯୁବବର୍ଗଙ୍କ ସଂଖ୍ୟାରେ ପରିବର୍ତ୍ତନ ଆସିପାରୁନାହିଁ । ୨୦୨୦ରୁ ୨୦୨୫ ମଧ୍ୟରେ ଜାପାନରେ ଜନସଂଖ୍ୟା ୩୧ ଲକ୍ଷ କମିଛି । ୨୦୨୦ରେ ଦେଶର ଜନସଂଖ୍ୟା ୧୨.୬୧ କୋଟି ଥିବାବେଳେ ୨୦୨୫ରେ ତାହା କମି ପ୍ରାୟ ୧୨.୩ କୋଟିରେ ପହଞ୍ଚିଥିଲା ।