ନୂଆଦିଲ୍ଲୀ: ଦିଲ୍ଲୀର ସ୍ୱରୂପ ନଗର ଅଞ୍ଚଳରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଏକ ଅତ୍ୟନ୍ତ ନୃଶଂସ ଓ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏହି ମାମଲାରେ ପୁଲିସ ତିନି ଜଣ ନାବାଳକଙ୍କ ସମେତ ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।ନାବାଳିକା ଓ ଅଭିଯୁକ୍ତମାନେ ପୂର୍ବରୁ ପରଷ୍ପରକୁ ଜାଣିଥିଲେ। ଘଟଣା ଦିନ ସେମାନେ ଗୋଟିଏ ଟେମ୍ପୋରେ ଏକାଠି ଯାତ୍ରା କରୁଥିବା ସମୟରେ ମଦ୍ୟପାନ କରିଥିଲେ। ଏହା ପରେ ୪ ଜଣ ମିଶି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ।

ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ଛୁରୀରେ ଆକ୍ରମଣ କରି ନାବାଳିକାଙ୍କୁ ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ଉତ୍ତର-ପଶ୍ଚିମ ଦିଲ୍ଲୀର କୁଶକ ରୋଡରେ ଥିବା ଏକ କ୍ଷେତ ନିକଟରେ ମୃତଦେହକୁ ଫିଙ୍ଗି ଦେଇଥିଲେ । ସେପ୍ଟେମ୍ବର ୧୩ ତାରିଖରେ ପୁଲିସ ଗଳିତ ମୃତଦେହ ଜବତ କରିଥିଲା । ବୁଲା କୁକୁର ମୃତଦେହର କିଛି ଅଂଶ ଖାଇଯାଇଥିଲେ ଏବଂ ଗୋଟିଏ ହାତ ଶରୀରରୁ ଅଲଗା ହୋଇ ପଡ଼ିଥିଲା। ଶରୀର ଏତେ ବିକୃତ ହୋଇଯାଇଥିଲା ଯେ, ପ୍ରଥମେ ଲିଙ୍ଗ ନିରୂପଣ କରିବା ବି କଷ୍ଟକର ଥିଲା।

ନାବାଳିକାଙ୍କ ପରିବାର ପକ୍ଷରୁ ନିଖୋଜ ନେଇ ଏତଲା ଦିଆଯାଇ ନଥିଲା। ପରିବାର ଲୋକେ ପୁଲିସକୁ ଜଣାଇଥିଲେ ଯେ, ସେ ପ୍ରାୟତଃ ଘରୁ ବାହାରକୁ ଯାଇ କିଛି ଦିନ ପରେ ଫେରୁଥିଲେ। ଘଟଣାସ୍ଥଳରେ କୌଣସି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ପୁଲିସ ୫୦ରୁ ଅଧିକ CCTV କ୍ୟାମେରାର ଫୁଟେଜ୍ ଯାଞ୍ଚ କରିଥିଲା। ଅନ୍ଧାର ହେତୁ ଏକ ସନ୍ଦେହଜନକ ଟେମ୍ପୋର ନମ୍ବର ସ୍ପଷ୍ଟ ଦିଶୁ ନଥିଲେ ବି ପୁଲିସ ବିଭିନ୍ନ ରୁଟ୍ର ଫୁଟେଜ୍ ଯୋଡ଼ି ତାର ପିଛା କରିଥିଲା।

ସେପ୍ଟେମ୍ବର ୧୫ ଓ ୧୬ ତାରିଖ ରାତିରେ ଚାଲିଥିବା ଏକ ବିଶେଷ ସର୍ଚ୍ଚ ଅପରେସନ୍ ପରେ ପୁଲିସ ଟେମ୍ପୋଟିକୁ ଖଡ୍ଡା କଲୋନୀରୁ ଠାବ କରି ତା’ର ଚାଳକକୁ ଆଟକ ରଖି ପଚରାଉଚୁରା କରିଥିଲା। ପୁଲିସ ମୋଟ ୪ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ହେଉଛି ଶିବମ ଓରଫ ସୁଦାମା ଓରଫ ଚୁଚୁ (୧୯ ବର୍ଷ) ଏବଂ ଅନ୍ୟ ୩ ଜଣ ଅଭିଯୁକ୍ତ ୧୬ରୁ ୧୭ ବର୍ଷ ବୟସର ନାବାଳକ।

ଅଭିଯୁକ୍ତଙ୍କ ପାଖରୁ ହତ୍ୟାରେ ବ୍ୟବହୃତ ୨ଟି ଛୁରୀ, ସେମାନଙ୍କ ରକ୍ତଭିଜା ପୋଷାକ ଏବଂ ଟେମ୍ପୋ ଜବତ କରାଯାଇଛି। ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା (BNS) ଏବଂ ପୋକ୍ସୋ ଆକ୍ଟର କଠୋର ଧାରା ଅଧୀନରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।