ନୂଆଦିଲ୍ଲୀ: ବୟସ ୩୧ ବର୍ଷ ଏବଂ ଆଉ ମାସେ ପରେ ବିବାହ କରିଥାନ୍ତେ । କିନ୍ତୁ ନାଳରୁ ଗଳିତ ମୃତଦେହ ଉଦ୍ଧାର କଲା ପୁଲିସ । ସେ ଜଣେ ପୂର୍ବତନ ମହିଳା ସହଯୋଗୀଙ୍କୁ ଭେଟିବାକୁ ଗୁରୁଗ୍ରାମ ଯାଇଥି​‌ଲେ । ମହିଳାଜଣକ ନିଜର ଅନ୍ୟ ଜଣେ ବନ୍ଧୁଙ୍କ ସହ ମିଶି ଯୁବକଙ୍କୁ ହତ୍ୟା କରି ନାଳରେ ଫିଙ୍ଗିଦେଇଥିବା ଜଣାପଡ଼ିଛି । ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ କରୁଛି । ହେଲେ ଯୁବକଙ୍କ ମୃତଦେହ ସଂପର୍କରେ ପୁଲିସ ପରିବାରକୁ ଖବର ନଦେଇ କିଭଳି ଶବ ସତ୍କାର କଲା ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ମୃତ ଯୁବକଙ୍କ ନାମ ଯୁବରାଜ ସିଂହ ମଞ୍ଚନ୍ଦା (୩୧)। ସେ ଦିଲ୍ଲୀର ସରିତା ବିହାର ଅଞ୍ଚଳର ବାସିନ୍ଦା ଏବଂ ଜଣେ HR ଭାବରେ କାର୍ଯ୍ୟ କରୁଥିଲେ। ଆସନ୍ତା ମାସରେ ତାଙ୍କର ବିବାହ ହେବାର ଥିଲା। ସେପ୍ଟେମ୍ବର ୬ରେ ଯୁବରାଜ ନିଜ ଭଉଣୀଙ୍କ ସହ ବିବାହ ପାଇଁ ଶେରୱାନି କିଣିବାକୁ ଲଜପତ ନଗର ବଜାରକୁ ଯାଇଥିଲେ। ସେଠାରେ ଏକ ରେଷ୍ଟୁରାଣ୍ଟରେ ଖାଇବା ପରେ, ଗୁରୁଗ୍ରାମରେ ଜଣେ ପୂର୍ବତନ ସହକର୍ମୀଙ୍କୁ ଜରୁରୀ କାମରେ ଭେଟିବାକୁ ଅଛି କହି ଭଉଣୀଙ୍କୁ କ୍ୟାବ୍‌ରେ ଘରକୁ ପଠାଇ ଦେଇଥିଲେ।

ରାତି ପ୍ରାୟ ୭ଟାରେ ପରିବାର ଲୋକେ ଯୁବରାଜଙ୍କ ସହ କଥା ହୋଇଥିଲେ। ସେ ରାତି ୧୦ଟା ସୁଦ୍ଧା ଘରକୁ ଫେରିବେ ବୋଲି କହିଥିଲେ। ମାତ୍ର ସେ ଫେରିନଥିଲେ ଏବଂ ତାଙ୍କ ଫୋନ୍ ସ୍ୱିଚ୍ ଅଫ୍ ହୋଇଯାଇଥିଲା। ସେପ୍ଟେମ୍ବର ୧୧ରେ ପରିବାର ପକ୍ଷରୁ ଥାନାରେ ଯୁବରାଜ ନିଖୋଜ ନେଇ ଏତଲା ଦିଆଯାଇଥିଲା। ପୁଲିସ ଯାଞ୍ଚରୁ ଜଣାପଡ଼ିଛି ଯେ, ଯୁବରାଜ ତାଙ୍କ ପୂର୍ବତନ ସହକର୍ମୀ ଆନ୍ୟା ଭାଟ୍ସ ଙ୍କୁ ଭେଟିବାକୁ ଯାଇଥିଲେ।

ସେପ୍ଟେମ୍ବର ୧୦ରେ ଗୁରୁଗ୍ରାମର ବାଦଶାହପୁର ଅଞ୍ଚଳର ଏକ ନାଳରୁ ପୁଲିସ ଏକ  ଗଳିତ ଶବ ଉଦ୍ଧ କରିଥିଲା। ସେପ୍ଟେମ୍ବର ୧୪ରେ ପୁଲିସ ଶବ ସତ୍କାର କରିଦେଇଥିଲା । ସେପଟେ ଯୁବରାଜଙ୍କ ମୃତ୍ୟୁ ନେଇ ଏହାର ଦୁଇ ଦିନ ପରେ ପରିବାରକୁ ଖବର ଦେଇଥିଲା ପୁଲିସ । ଏହାକୁ ନେଇ ପରିବାର ଲୋକେ ପୋଷ୍ଟମର୍ଟମ ରିପୋର୍ଟ ଏବଂ ଫଟୋଗ୍ରାଫ୍ସ ଆଦି ପୁଲିସକୁ ମାଗିଛନ୍ତି । ପରିବାରର ଏକମାତ୍ର ରୋଜଗାରିଆ ଥିଲେ ଯୁବରାଜ । ତାଙ୍କ ବାପା ପାରାଲିସିସିରେ ପୀଡ଼ିତ ଥିବା ବେଳେ ମା’ଙ୍କୁ ହୃଦରୋଗ । 

ସେପଟେ ତଦନ୍ତ ବେଳେ ଜଣାପଡ଼ିଛି ଯେ, ଗାଡ଼ି ଭିତରେ ଉଭୟଙ୍କ ମଧ୍ୟରେ କୌଣସି ଆର୍ଥିକ କାରବାରକୁ ନେଇ ବାଦବିବାଦ ହୋଇଥିଲା। ଏହା ପରେ ଆନ୍ୟା ଏବଂ ତାଙ୍କ ପାର୍ଟନର ସଂଯମ ସଚଦେବା ମିଶି ଯୁବରାଜଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ ପ୍ରାୟ ୭ ଘଣ୍ଟା ପର୍ଯ୍ୟନ୍ତ ଶବକୁ ଗାଡ଼ି ଭିତରେ ରଖିବା ପରେ ସେମାନେ ନିଜ ଘର ପାଖରେ ଥିବା ଏକ ନାଳରେ ଫିଙ୍ଗି ଦେଇ ଉତ୍ତରାଖଣ୍ଡ ଚାଲିଯାଇଥିଲେ।

ପୁଲିସ ସିସିଟିଭି ଫୁଟେଜ୍, କଲ୍ ଡିଟେଲ୍ସ ସାହାଯ୍ୟରେ ଅଭିଯୁକ୍ତଙ୍କ ନୂଆ ମୋବାଇଲ୍ ନମ୍ବର ଠାବ କରି ଉତ୍ତରାଖଣ୍ଡରୁ ଆନ୍ୟା ଭାଟ୍ସ ଓ ତାଙ୍କ ପାର୍ଟନର ସଂଯମ ସଚଦେବାକୁ ଗିରଫ କରିଛି। କୋର୍ଟ ଉଭୟଙ୍କୁ ୫ ଦିନିଆ ପୁଲିସ ରିମାଣ୍ଡରେ ପଠାଇଛନ୍ତି।