ନୂଆଦିଲ୍ଲୀ: ଭାରତକୁ ଆଉଁଶି ଦେଇ ବିଧା ମାରିବାର କଳା ଆମେରିକା ବେସ୍ ଜାଣିଛି। ମଝିରେ ମଝିରେ ଟ୍ରମ୍ପ ଓ ଆମେରିକୀୟ ଅଧିକାରୀମାନେ ଭାରତକୁ ଓ ମୋଦୀଙ୍କୁ ଖୁବ୍ ଖୁବ୍ ଫ୍ରଶଂସା କରୁଛନ୍ତି। ହେଲେ ଟିକେ ସ୍ୱାର୍ଥରେ ବାଧା ହେଲେ ନାଲି ଆଖି ଦେଖାଇବାକୁ ପଛାଉ ନାହାନ୍ତି। ନିକଟରେ ଭାରତରେ ଥିବା ଆମେରିକା ରାଷ୍ଟ୍ରଦୂତ ସର୍ଜିଓ ଗୋର୍ ପୁଣିଥରେ ଭାରତକୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କର ଲିଷ୍ଟରେ ମୋଦୀ ପ୍ରଥମରେ ଅଛନ୍ତି। ଭାରତ ଆମେରିକା ସମ୍ପର୍କରେ ଅନ୍ୟାମାନେ ଇର୍ଷା କରୁଛନ୍ତି ବୋଲି ଗୋର୍ କହିଛନ୍ତି। ଏକଥା ଶୁଣି ଭାରତ ଏହାକୁ ବିଶ୍ୱାସ କରୁ କି ନ କରୁ ତେବେ ସେ କେଉଁ ପରିପ୍ରେକ୍ଷୀରେ ପୁଣି ଏଭଳି ଆଉଁଶିବା ଭଳି କଥା କହିଛନ୍ତି ଆସନ୍ତୁ ଜାଣିବା।

ଭାରତ ଓ ଆମେରିକା ମଧ୍ୟରେ କୂଟନୈତିକ ଓ ରଣନୈତିକ ସମ୍ପର୍କ ଆହୁରି ମଜବୁତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ଭାରତରେ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର। ଡିସେମ୍ବରରେ ଫ୍ଲୋରିଡାରେ ହେବାକୁ ଥିବା G20 ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ନେତାମାନଙ୍କୁ ଭେଟିବାକୁ ଚାହିଁବେ, ସେହି ତାଲିକାରେ ମୋଦି ସବୁଠୁ ଉପରେ ରହିବେ ବୋଲି ଗୋର କହିଛନ୍ତି।

ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେକୁ ସାକ୍ଷାତକାରରେ ଗୋର କହିଛନ୍ତି ଯେ ଟ୍ରମ୍ପ ଓ ମୋଦିଙ୍କ ମଧ୍ୟରେ ଭଲ ବ୍ୟକ୍ତିଗତ ସମ୍ପର୍କ ରହିଛି। ତେଣୁ ଜି-୨୦ ରେ କେବଳ ଏକ ଗ୍ରୁପ ବୈଠକ ନୁହେଁ, ଉଭୟ ନେତାଙ୍କ ମଧ୍ୟରେ ଅଲଗା ଦ୍ୱିପାକ୍ଷିକ ସାକ୍ଷାତ ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି ସେ ସୂଚନା ଦେଇଛନ୍ତି।

Also Read- ଏବେ ୬୦ ନୁହେଁ ୬୨ ବର୍ଷରେ ରିଟାୟାର୍ଡ ହେବେ ଜଜ୍, ୭ ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଟ୍ରମ୍ପଙ୍କ ତାଲିକାରେ ମୋଦି ସବୁଠୁ ଉପରେ

ସର୍ଜିଓ ଗୋର କହିଛନ୍ତି, ଯଦି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପଚରାଯାଏ ଯେ ଜି-୨୦କୁ ଆସୁଥିବା ୩୫ ଜଣ ନେତାଙ୍କ ମଧ୍ୟରୁ ସେ କାହାକୁ ପ୍ରଥମେ ଭେଟିବାକୁ ଚାହାଁନ୍ତି, ତେବେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ତାଲିକାର ସବୁଠୁ ଉପରେ ରହିବେ।

ଗୋରଙ୍କ ଅନୁସାରେ, ଟ୍ରମ୍ପ ମୋଦିଙ୍କୁ ଜଣେ ବନ୍ଧୁ ଭାବେ ଦେଖନ୍ତି। ତେଣୁ ଡିସେମ୍ବରରେ ମୋଦିଙ୍କ ଫ୍ଲୋରିଡା ଗସ୍ତ କେବଳ G20ରେ ଅଂଶଗ୍ରହଣ ମଧ୍ୟରେ ସୀମିତ ରହିବ ନାହିଁ ବୋଲି ସେ ଆଶା କରୁଛନ୍ତି ବୋଲି ଗୋର କହିଛନ୍ତି। ତେବେ ମୋଦି-ଟ୍ରମ୍ପ ଦ୍ୱିପାକ୍ଷିକ ବୈଠକ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା ହୋଇ ନଥିବା ବେଳେ ଗୋର୍ଙ୍କ ଆଗୁଆ ସୂଚନା କିଛି ନୂଆ ସଂକେତ ଦେଉଛି।

ଭାରତ ଆସିପାରନ୍ତି ଟ୍ରମ୍ପ!

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତାବର୍ଷ ଭାରତ ଗସ୍ତ କରିପାରନ୍ତି ବୋଲି ମଧ୍ୟ ସଙ୍କେତ ଦେଇଛନ୍ତି ସର୍ଜିଓ ଗୋର। ଟ୍ରମ୍ପ ୨୦୨୦ରେ ଭାରତ ଗସ୍ତ କରିଥିଲେ। ଯାହାକୁ ଆଜି ବି ସେ ମନେ ପକାନ୍ତି ବୋଲି ଗୋର କହିଛନ୍ତି। ଭାରତରେ ତାଙ୍କୁ ମିଳିଥିବା ଆତିଥ୍ୟ, ଲୋକଙ୍କ ସହ ତାଙ୍କ ସାକ୍ଷାତ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କ ସମ୍ପର୍କକୁ ଟ୍ରମ୍ପ ଏବେ ମଧ୍ୟ ଆନନ୍ଦର ସହ ମନେ ପକାଉଥିବା ଗୋର୍ କହିଛନ୍ତି।

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଖୁବ୍ ନିକଟରେ

ଭାରତ ଓ ଆମେରିକା ମଧ୍ୟରେ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତିକୁ ନେଇ ମଧ୍ୟ ବଡ଼ ସୂଚନା ଦେଇଛନ୍ତି ଗୋର। ତାଙ୍କ କହିବା ଅନୁସାରେ, ଆମେରିକା ସୁପ୍ରିମକୋର୍ଟଙ୍କ ଏକ ରାୟ ପରେ ଚୁକ୍ତି ସମ୍ପର୍କିତ ଆଲୋଚନାର ଫ୍ରେମୱର୍କ ପୁଣିଥରେ କରାଯାଉଛି। ତଥାପି ଉଭୟ ଦେଶ ଚୁକ୍ତିରେ ପହଞ୍ଚିବାର ଖୁବ୍ ନିକଟରେ ଥିବା ସେ କହିଛନ୍ତି। ଆସନ୍ତା କିଛି ମାସ ମଧ୍ୟରେ ଏହି ଚୁକ୍ତି ଚୂଡ଼ାନ୍ତ ହୋଇପାରେ ବୋଲି ଗୋର ଆଶା ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ ଏତେ ବଡ଼ ଆକାରର ବାଣିଜ୍ୟିକ ଚୁକ୍ତି କରିବାକୁ ସମୟ ଲାଗିଥାଏ। ଉଦାହରଣ ଦେଇ ସେ କହିଛନ୍ତି ଯେ ୟୁରୋପୀୟ ସଂଘ ୨୦ ବର୍ଷରୁ ଅଧିକ ସମୟ ଧରି ଆଲୋଚନା କରୁଛି, ତଥାପି ଏପର୍ଯ୍ୟନ୍ତ ଚୁକ୍ତି ସମ୍ପୂର୍ଣ୍ଣ ହୋଇନାହିଁ।

Also Read- ମାଡ଼ିଆସୁଛି ‘Godzilla El Niño’: ଡେଞ୍ଜର ଜୋନ୍ରେ ଭାରତ, ଜାତିସଂଘର ଚେତାବନୀ

ଭାରତ-ଆମେରିକା ବାଣିଜ୍ୟ ୫୦୦ ବିଲିୟନ୍ ଡଲାର ଲକ୍ଷ୍ୟ

ବର୍ତ୍ତମାନ ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରାୟ ୨୪୦ ବିଲିୟନ୍ ଡଲାର ରହିଛି। ଆସନ୍ତା କିଛି ବର୍ଷରେ ଏହାକୁ ୫୦୦ ବିଲିୟନ୍ ଡଲାରକୁ ବୃଦ୍ଧି କରିବାକୁ ମୋଦି ଓ ଟ୍ରମ୍ପ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଗୋରଙ୍କ ଅନୁସାରେ, ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତି ଉଭୟ ଦେଶ ପାଇଁ ଲାଭଦାୟକ ହେବ। ଏହା ଭାରତ ଓ ଆମେରିକା ମଧ୍ୟରେ ନୂଆ ଆର୍ଥିକ ସୁଯୋଗ ସୃଷ୍ଟି କରିପାରିବ।

ମୋଦି ଭାରତରେ ସ୍ଥିରତା ଆଣିଛନ୍ତି: ଗୋର

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ଗୋର କହିଛନ୍ତି ଯେ ଭାରତରେ ସ୍ଥିରତା ରହିବା ଆମେରିକା ପାଇଁ ମଧ୍ୟ ଭଲ। ଆମେରିକା ଏକ ସ୍ଥିର ଭାରତ ସହ କାମ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି। ଭାରତ ଓ ଆମେରିକା ମଧ୍ୟରେ ଦୁଇ ଦିଗରେ ନିବେଶ ବଢ଼ୁଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଆମେରିକାରେ ନୂଆ ନିବେଶ ପାଇଁ ଭାରତୀୟ କମ୍ପାନୀଗୁଡ଼ିକ ଆଗକୁ ଆସୁଥିବା ବେଳେ ଆମେରିକୀୟ କମ୍ପାନୀମାନେ ମଧ୍ୟ ଭାରତରେ ନିଜର କାରବାର ବଢ଼ାଉଛନ୍ତି। ମାଇକ୍ରୋସଫ୍ଟ, ଗୁଗଲ, ଡାଟା ସେଣ୍ଟର, ଏଆଇ ସେଣ୍ଟର ଏବଂ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଅନେକ କାର୍ଯ୍ୟ ଚାଲିଥିବା ଗୋର କହିଛନ୍ତି।

ଭାରତ ଆମେରିକାର ବିଶ୍ୱସ୍ତ ପ୍ରତିରକ୍ଷା ସହଯୋଗୀ

ଭାରତକୁ ଆମେରିକାର ଜଣେ ବିଶ୍ୱସ୍ତ ପ୍ରତିରକ୍ଷା ସହଯୋଗୀ ଭାବେ ବର୍ଣ୍ଣନା କରିଛନ୍ତି ଗୋର। ତାଙ୍କ ଅନୁସାରେ, ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କ କେବଳ ଅସ୍ତ୍ରଶସ୍ତ୍ର ବିକ୍ରିରେ ସୀମିତ ନୁହେଁ। ଏହାର ମୁଖ୍ୟ ଆଧାର ହେଉଛି ପରସ୍ପର ବିଶ୍ୱାସ।

ଜାଭେଲିନ ମିସାଇଲ୍ ପ୍ରକଳ୍ପ, ଆପାଚି ହେଲିକପ୍ଟର ଯୋଗାଣ ଏବଂ ଅନ୍ୟ ପ୍ରତିରକ୍ଷା ଉପକରଣ ନେଇ ଚାଲିଥିବା ଆଲୋଚନାକୁ ସେ ଭାରତ-ଆମେରିକା ପ୍ରତିରକ୍ଷା ସହଯୋଗର ଉଦାହରଣ ଭାବେ ଦର୍ଶାଇଛନ୍ତି। ଏହା ସହିତ ଭାରତ ଆମେରିକା ସହ ଅନ୍ୟ ଯେକୌଣସି ଦେଶ ତୁଳନାରେ ଅଧିକ ସଂଖ୍ୟକ ମିଳିତ ସାମରିକ ଅଭ୍ୟାସ କରୁଥିବା ଗୋର କହିଛନ୍ତି।

ଭାରତ ଆସିବେ ମାର୍କୋ ରୁବିଓ

ଆଗାମୀ ଦିନରେ ଭାରତକୁ ଆମେରିକାର ବରିଷ୍ଠ ଅଧିକାରୀଙ୍କ ଗସ୍ତ ଆହୁରି ବଢ଼ିବ ବୋଲି ଗୋର କହିଛନ୍ତି। ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ ଅକ୍ଟୋବରରେ ପୁଣିଥରେ ଭାରତ ଆସିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅଳ୍ପ ସମୟ ମଧ୍ୟରେ ଜଣେ ବିଦେଶ ସଚିବଙ୍କ ଦ୍ୱିତୀୟ ଭାରତ ଗସ୍ତ ଅତ୍ୟନ୍ତ ବିରଳ ବୋଲି ସେ ଦର୍ଶାଇବାକୁ ଚାହିଁଛନ୍ତି। ଏହା ବ୍ୟତୀତ ଆମେରିକାର ଅନେକ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଭାରତ ଗସ୍ତ କରିବା ନେଇ ଯୋଜନା ରହିଥିବା ସେ କହିଛନ୍ତି। ଆମେରିକାର ବଡ଼ ରାଜ୍ୟଗୁଡ଼ିକର ତିନିଜଣ ଗଭର୍ଣ୍ଣର ମଧ୍ୟ ବର୍ଷ ଶେଷ ପୂର୍ବରୁ ଭାରତ ଆସିପାରନ୍ତି। ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ଆସନ୍ତା ଚାରି ମାସ ମଧ୍ୟରେ ତିନି ଥର ଆମେରିକା ଯାଇପାରନ୍ତି ବୋଲି ମଧ୍ୟ ଗୋର ସୂଚନା ଦେଇଛନ୍ତି। ଏଥିରେ ଜାତିସଂଘ ଏବଂ ଜି-୨୦ ସମ୍ପର୍କିତ କାର୍ଯ୍ୟକ୍ରମ ସାମିଲ ରହିପାରେ।

QUAD ନେତା ସମ୍ମିଳନୀ ପାଇଁ ଆମେରିକା ଆଗ୍ରହୀ

ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ୱାଡ୍କୁ ମଧ୍ୟ ଭାରତ-ଆମେରିକା ସହଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ବର୍ଣ୍ଣନା କରିଛନ୍ତି ଗୋର। ତାଙ୍କ କହିବା ଅନୁସାରେ, କ୍ୱାଡର ଚାରି ଦେଶ ପରସ୍ପର ଉପରେ ବିଶ୍ୱାସ କରନ୍ତି। ମାନବୀୟ ସହାୟତା, ବିପର୍ଯ୍ୟୟ ପରିଚାଳନା, ସାମରିକ ସମନ୍ୱୟ, କୃତ୍ରିମ ବୁଦ୍ଧିମତ୍ତା (AI), ଡାଟା ସେଣ୍ଟର ଏବଂ କ୍ରିଟିକାଲ୍ସ ମିନେରାଲ୍ସ ଭଳି କ୍ଷେତ୍ରରେ ଚାରି ଦେଶ ମିଳିତ ଭାବେ କାମ କରୁଛନ୍ତି।

ଆଗାମୀ କ୍ୱାଡ ମନ୍ତ୍ରୀସ୍ତରୀୟ ବୈଠକ ଅଷ୍ଟ୍ରେଲିଆର ସିଡନୀରେ ହେବ। ଏଥିରେ ମାର୍କୋ ରୁବିଓ ଯୋଗ ଦେବେ ବୋଲି ଆଶା କରାଯାଉଛି। ଏହା ସହିତ ଚାରି ଦେଶର ନେତାମାନଙ୍କୁ ନେଇ ଏକ କ୍ୱାଡ ଲିଡର ସମ୍ମିଳନୀ ଆୟୋଜନ ପାଇଁ ଆମେରିକା ଅତ୍ୟନ୍ତ ଆଗ୍ରହୀ ବୋଲି ଗୋର କହିଛନ୍ତି। ଚାରି ଦେଶର ନେତାମାନେ ନିୟମିତ ଭାବେ ପରସ୍ପର ସହ ଯୋଗାଯୋଗରେ ରହୁଥିବାରୁ ଏକ ଟେବୁଲରେ ଏକାଠି ହେବା ହେଉଛି ପରବର୍ତ୍ତୀ ସ୍ୱାଭାବିକ ପଦକ୍ଷେପ ବୋଲି ସେ କହିଛନ୍ତି।

ସାମଗ୍ରିକ ଭାବେ, ଭାରତ-ଆମେରିକା ସମ୍ପର୍କରେ ଲଗାତାର ଅଗ୍ରଗତି ହେଉଥିବା ଏବଂ ଆଗାମୀ ଦିନରେ ଏହି ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର ଆଶା ପ୍ରକାଶ କରିଛନ୍ତି।