ନୂଆଦିଲ୍ଲୀ: ଭାରତୀୟ ପାଣିପାଗକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଉ ଏକ ବିପଦ ମାଡ଼ିଆସୁଥିବା ନେଇ ଆଶଙ୍କା କରାଯାଉଛି ।  ଏବର୍ଷ  ଭାରତରେ ଶୀତ ଅନୁଭବ ହୋଇନପାରେ । ଭାରତ 'ବିପଦ ଜୋନ୍'ରେ ରହିଥିବା ବେଳେ ୬ ମାସ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି । ଜାତିସଂଘ (UN) ଏବଂ ବିଶ୍ୱ ପାଣିପାଗ ସଂଗଠନ ଏକ ବଡ଼ ଧରଣର ଚେତାବନୀ ଜାରି କରିଛନ୍ତି। "ଗୋଡ୍‌ଜିଲା ଏଲ୍ ନିନୋ" (Godzilla El Niño) ର ପ୍ରଭାବ ଯୋଗୁଁ ଆଗାମୀ ୬ ମାସ ପାଇଁ ଭାରତ ବିପଦ ଜୋନ୍‌ରେ ରହିଛି। 

ପ୍ରଶାନ୍ତ ମହାସାଗରର ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏଥର ଶୀତ ଅନୁଭୂତ ନହୋଇପାରେ। ଫେବ୍ରୁଆରୀ ୨୦୨୭ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ଏହି ପାଣିପାଗ ଚକ୍ର କୃଷି କ୍ଷେତ୍ରକୁ ବ୍ୟାପକ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି। ଉତ୍ତର ଓ ମଧ୍ୟ ଭାରତରେ ଏଥର ହାଡ଼ଭଙ୍ଗା ଶୀତ କିମ୍ବା ଶୀତଲହରୀ ଅନୁଭୂତ ହେବାର ସମ୍ଭାବନା ନାହିଁ।

ଏଲ୍ ନିନୋର ପ୍ରଭାବ ଯୋଗୁଁ ଭାରତୀୟ ଉପମହାଦ୍ୱୀପରେ ଦିନ ଏବଂ ରାତିର ତାପମାତ୍ରା ସାଧାରଣଠାରୁ ଅଧିକ ରହିବ। 'ନିନୋ ୩.୪ ଇଣ୍ଡେକ୍ସ' ଅନୁଯାୟୀ, ଜୁଲାଇ-ଅଗଷ୍ଟ ମାସରେ ପ୍ରଶାନ୍ତ ମହାସାଗରର ଗଭୀର ଜଳର ତାପମାତ୍ରା ସାଧାରଣଠାରୁ ୮ ଡିଗ୍ରୀ ସେଲ୍‌ସିୟସ୍‌ରୁ ଅଧିକ ରେକର୍ଡ କରାଯାଇଛି। ସମୁଦ୍ର ତଳେ ଥିବା ଏହି ଗୁପ୍ତ ଉତ୍ତାପ ଏଲ୍ ନିନୋକୁ ଆହୁରି ଭୟଙ୍କର ବା ‘ଗୋଡ୍‌ଜିଲା’ ରୂପ ଦେଉଛି।

WMO ର ଚେତାବନୀ ଅନୁସାରେ, ୨୦୨୬ ଶେଷ ସୁଦ୍ଧା ଏହା ଚରମ ସୀମାରେ ପହଞ୍ଚିବ।  ଫେବ୍ରୁଆରୀ ୨୦୨୭ ପର୍ଯ୍ୟନ୍ତ ଏହି ପ୍ରଭାବ ବଳବତ୍ତର ରହିବାର ୧୦୦% ସମ୍ଭାବନା ରହିଛି । ଆଗାମୀ ୬ ରୁ ୮ ମାସ ମଧ୍ୟରେ ବିଶ୍ୱର ପୁରୁଣା ଗ୍ରୀଷ୍ମ ରେକର୍ଡ ଭାଙ୍ଗିପାରେ ।  ଅଗଷ୍ଟ ଓ ସେପ୍ଟେମ୍ବର ମାସରେ କମ୍ ବର୍ଷା ଯୋଗୁଁ ଅନେକ ରାଜ୍ୟରେ ଚାଷଜମି ଶୁଖିଗଲାଣି। ମୌସୁମୀ ଦୁର୍ବଳ ହେବା ଯୋଗୁଁ ନଦୀ,  ଓ ଜଳାଶୟଗୁଡ଼ିକରେ ଜଳସ୍ତର ହ୍ରାସ ପାଉଛି, ଯାହା ପାନୀୟ ଜଳ ଓ ସେଚନ ପାଇଁ ବିପଦ ସୃଷ୍ଟି କରିବ। କେତେକ ଅଞ୍ଚଳରେ ମରୁଡ଼ି ଏବଂ ଜଙ୍ଗଲ ନିଆଁ ଦେଖାଯାଉଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି।

ମାନୁଷ୍ୟକୃତ ପ୍ରଦୂଷଣ ଓ କାର୍ବନ ନିର୍ଗମନ ଯୋଗୁଁ ପୃଥିବୀ ଏବଂ ସମୁଦ୍ର ପୂର୍ବରୁ ଉତ୍ତପ୍ତ ରହିଛି। ଏହି ଗ୍ଲୋବାଲ୍ ୱାର୍ମିଂ ଏଲ୍ ନିନୋ ପ୍ରକୋପରେ ନିଆଁରେ ଘିଅ ଢାଳିବା ଭଳି କାମ କରୁଛି। ଫଳରେ ଏଥର ବିଶ୍ୱର ସମସ୍ତ ଗ୍ରୀଷ୍ମ ରେକର୍ଡ ଭାଙ୍ଗିଯିବାର ଆଶଙ୍କା କରାଯାଉଛି।