ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୭ ରାଜ୍ୟ ସରକାରଙ୍କୁ ଜଜ୍ ଙ୍କ ରିଟାୟାରମେଣ୍ଟ ବୟସ ୬୦ରୁ ବଢାଇ ୬୨ ବର୍ଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି.ମୋହନାଙ୍କ ବେଞ୍ଚ କହିଛନ୍ତି ଯେ ଏହି ୭ ରାଜ୍ୟରେ ଯେଉଁ ଜୁଡିସିଆଲ ଅଧିକାରୀ ୩୧ ମାର୍ଚ୍ଚ ଅଥବା ଏହା ପରେ ରିଟାୟାର ହୋଇଛନ୍ତି ସେମାନଙ୍କୁ ଜୁଡିସିଆଲ ଅଫିସରେ ପୁଣି ଯୋଗ ଦେବାକୁ ଅପସନ ଦିଆଯିବ।

ବେଞ୍ଚ କହିଛନ୍ତି ଯେ ଯେଉଁ ରାଜ୍ୟମାନେ ଜୁଡିସିଆଲ ଅଫିସରଙ୍କ ଅବସର ବୟସ ବଢାଇବା ପାଇଁ ରାଜି ହୋଇଛନ୍ତି ଯେପରି ଛତିଶଗଡ଼, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ସିକ୍କିମ, ତାମିଲନାଡୁ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟଙ୍କୁ ସର୍ଭିସ ନିୟମରେ ପରିବର୍ତ୍ତନ କରିବାକୁ ଓ ଜୁଡିସିଆଲ ସର୍ଭିସରେ ଅବସର ବୟସ ୬୦ ବଦଳେ ୬୨ ବର୍ଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଅବସର ବୟସ ବଢାଇବା ପୂର୍ବରୁ ସମ୍ବଦ୍ଧିତ ଜୁଡିସିଆଲ ଅଫିସରଙ୍କ ବୟସ ୬୦ ବର୍ଷ ହେବା ପରେ ହାଇକୋର୍ଟ ତାଙ୍କ ଉପଯୁକ୍ତତାର ଆସେସମେଣ୍ଟ କରିବେ।

ବେଞ୍ଚ କହିଛନ୍ତି ଯେ ନିୟମ ବଦଳିବା ପର୍ଯ୍ୟନ୍ତ ଏହି ସବୁ ରାଜ୍ୟରେ କୌଣସି ଜୁଡିସିଆଲ ଅଫିସର ଯିଏ ୬୦ ବର୍ଷ ବୟସ ପୁରଣ କରିଛନ୍ତି ସେ ୬୨ ବର୍ଷ ନ ହେବା ପର୍ଯ୍ୟନ୍ତ ଅବସର ନେଇ ପାରିବେ ନାହିଁ। ତେବେ ତାଙ୍କ ଅବସର ସମ୍ବଦ୍ଧିତ ହାଇକୋର୍ଟଙ୍କ ଉପଯୁକ୍ତତା ଆସେସମେଣ୍ଟ ଉପରେ ନିର୍ଭର କରିବ। ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ, ଅଋଣାଚଳ ପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡଖଣ୍ଡ, କେରଳ, ମଣିପୁର, ମେଘାଳୟ., ମିଜୋରାମ, ନାଗାଲ୍ୟାଣ୍ଡ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ତେଲେଙ୍ଗାନା, ତ୍ରିପୁରା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଏନସିଟି ଦିଲ୍ଲୀ, ଜମ୍ମୁ ଓ କାଶ୍ମୀର ଏବଂ ପୁଡୁଚେରୀକୁ ଜୁଡିସିଆଲ ଅଫିସରଙ୍କ ଅବସର ବୟସ ବଢାଇବା ପାଇଁ ସେମାନଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଏହି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ୨ ସପ୍ତାହ ମଧ୍ୟରେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ଓ ଏକ କମ୍ପ୍ଲାଏନ୍ସ ରିପୋର୍ଟ ଜମା କରିବାକୁ କହିଛନ୍ତି।