କଟକ: ଅଭିନବ ଢଙ୍ଗରେ ପ୍ରତିବାଦ। ମେୟରଙ୍କ ପାଇଁ ମାଗିଲେ ଭିକ୍ଷା। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ବାଦାମବାଡ଼ିଠାରେ। ସୁଭାସ ସଂଗଠନର ପ୍ରତିନିଧି ଥାଳି ଧରି ହାତରେ ବ୍ୟାଣ୍ଡେଜ ଗୁଡ଼ାଇ ଥାଳି ଧରି ଭିକ ମାଗିଛନ୍ତି। ଏହା ପଛରେ କାରଣ କଟକ- ବାଦାମବାଡ଼ି ମୁଖ୍ୟ ରାସ୍ତା।

ସଂଗଠନର ଅଭିଯୋଗ କଟକ- ବାଦାମବାଡ଼ି ମୁଖ୍ୟ ରାସ୍ତା ଏବେ ପାଲଟିଛି ମୃତ୍ୟୁର ଫାନ୍ଦ। ପ୍ରତିଦିନ ଏହି ରାସ୍ତା ଲକ୍ଷ ଲକ୍ଷ ଲୋକଙ୍କ ଯାଆସ କରନ୍ତି। ହେଲେ ଏହି ରାସ୍ତାରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଖାଲ ଏବେ ସମସ୍ତଙ୍କୁ ମୃତ୍ୟୁ ମୁଖରେ ପକାଉଛି। ନିକଟରେ ମେ ୧ ତାରିଖରେ ଖାଲ ଯୋଗୁ ଦୁର୍ଘଟଣାରେ ଜଣକର ଜୀବନ ଯାଇଥିଲା। ସେହିଭଳି ଅନେକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଏମିତିରେ ରାତାରାତି ଖାଲକୁ ପୋତିଦିଆଗଲା। ହେଲେ ପୀଡ଼ିତଙ୍କୁ କେହି ସମବେଦନା ଜଣାଇଲେ ନାହିଁ, ନିର୍ବାଚନ ଥିଲେ ଏହାକୁ ନେଇ ଅନେକ ରାଜନୀତି ହୋଇଥାନ୍ତା ବୋଲି ଅଭିଯୋଗ କରିଛି ସଂଗଠନ।

ଆହୁରି ମଧ୍ୟ କୁହାଯାଇଛି, କଟକ ମହାନଗର ନିଗମର ୨୦୨୫- ୨୬ ବଜେଟ ରାସ୍ତା ମରାମତି ପାଇଁ କୋଟି କୋଟି ଟଙ୍କା ଧାର୍ଯ୍ୟ ହୋଇଥିଲା। ହେଲେବି ବାଦାମବାଡି ଭଳି ପ୍ରମୁଖ ରାସ୍ତା ଠିକ୍ ହୋଇପାରିଲା ନାହିଁ। ବାରମ୍ବାର ଲିଖିତ ଓ ମୌଖିକ ଅନୁରୋଧ ସତ୍ତ୍ୱେ ପ୍ରଶାସନ ନିଦାବିଷ୍ଣୁ ସାଜିଛି। ତେଣୁ ସୁଭାଷ ସଂଗଠନ ତରଫରୁ ଏହି “ଭିକ୍ଷା ସତ୍ୟାଗ୍ରହ” କରାଯାଉଥିବା କହିଛନ୍ତି ସୁଭାଷ ସଂଗଠନର ସଭାପତି ସୁରେଶ ମହାନ୍ତି।

ସେ କହିଛନ୍ତି, କର୍ମୀମାନେ ହାତରେ ଭିକ୍ଷା ଥାଳି ଧରି ମାନ୍ୟବର ମେୟର ଓ କମିଶନରଙ୍କ ପାଇଁ ଅର୍ଥ ସଂଗ୍ରହ କରୁଛନ୍ତି। ଯାହାକୁ CMC କମିଶନର ଓ ମେୟରଙ୍କୁ ଦିଆଯିବ। ଏହା ସହ ସେ କଟକ ମୁଖ୍ୟ ରାସ୍ତାର ସମସ୍ତ ଖାଲକୁ ୭ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ମରାମତି କରାଯାଉ। ଗତ ୫ ବର୍ଷରେ ଏହି ରାସ୍ତାରେ ହୋଇଥିବା ଖର୍ଚ ଓ କାର୍ଯ୍ୟର ଶ୍ୱେତପତ୍ର ଜାରି କରାଯାଉ। ଖାଲ ଯୋଗୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ। ଏହିସବୁ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।