ନୂଆଦିଲ୍ଲୀ: କେନ୍ଦ୍ର କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ମନ୍ତ୍ରୀ ଜିତନ ରାମ ମାଁଝୀ ରବିବାର ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଜ୍ୱର ଥିଲା, ତେବେ ସନ୍ଧ୍ୟା ବେଳକୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମସ୍)ରେ ଆଡମିଟ କରାଯାଇଛି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ମାଁଝୀଙ୍କୁ ଅପରାହ୍ନ ପାଖାପାଖି ୫ଟା ବେଳେ ଜରୁରିକାଳୀନ ବିଭାଗକୁ ଅଣାଯାଇଥିଲା। ତେବେ ରାତି ପାଖାପାଖି ୯ଟା ବେଳେ ଆଇସିୟୁକୁ ସିଫ୍ଟ କରାଯାଇଛି। ସୂତ୍ର ଅନୁସାରେ ଡାକ୍ତରଙ୍କ ଏକ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।

ଏମସ ପକ୍ଷରୁ ମାଁଝୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏ ପର୍ଯ୍ୟନ୍ତ କୌଣସି ହେଲଥ୍ ବୁଲେଟିନ ଜାରି ହୋଇନି। ତେବେ ତାଙ୍କର ଚିକିତ୍ସକୀୟ ଯାଞ୍ଚ ଚାଲିଥିବାର କୁହାଯାଇଛି। ହସ୍ପିଟାଲ ସୂତ୍ର ଅନୁସାରେ ହୁଏତ ମାଁଝୀଙ୍କୁ ଡେଙ୍ଗୁ ହୋଇଥାଇପାରେ। ତେବେ ରକ୍ତ ପରୀକ୍ଷଣ ରିପୋର୍ଟ ଆସିବା ପରେ ଏ ନେଇ ଯାହା କୁହାଯାଇ ପାରିବ ବୋଲି ଏମସ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ କହିଛନ୍ତି। ମାଁଝୀଙ୍କ ପରବର୍ତ୍ତି ରିପୋର୍ଟକୁ ଏବେ ଡାକ୍ତରମାନେ ଅପେକ୍ଷା କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ମାଁଝୀ ଗତ ବୁଧବାର ସୁସ୍ଥ ହୋଇ ହସ୍ପିଟାଲରୁ ତାଙ୍କ ପାଟନାସ୍ଥିତ ବାସଭବନକୁ ଫେରିଥିଲେ। ଏହା ପୂର୍ବରୁ ସୋମବାର ତାଙ୍କୁ ପାଟନାର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜ୍ୱର ଓ ଉଚ୍ଚ ସୁଗାର ଅଭିଯୋଗରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ବୁଧବାର ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଥିଲା। ତେବେ ହସ୍ପିଟାଲରୁ ଘରକୁ ଫେରିବାର କିଛି ଘଣ୍ଟା ପରେ ବୁଧବାର ବିଳମ୍ବିତ ରାତ୍ରିରେ ତାଙ୍କୁ ପୁଣି ଜ୍ୱର ଆସିଥିଲା। ଏଣୁ ପରିବାର ଲୋକେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଗୁରୁବାର ଦିଲ୍ଲୀ ନେଇଯାଇଥିବା ବେଳେ ଦିଲ୍ଲୀସ୍ଥିତ ସରକାର ବାସଭବନରେ ରଖି ଚିକିତ୍ସା କରାଯାଉଥିଲା।