ଭୁବନେଶ୍ୱର, ୨୩/୧୦:ଅତି ଭୀଷଣ ବାତ୍ୟା ( ଭେରି ସିଭିୟର ସାଇକ୍ଲୋନ) ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼କୁ ଆସିପାରେ। ଆସନ୍ତା ୨୭ ରାତି କିମ୍ବା ୨୮ ସକାଳୁ ପଶିପାରେ ଆନ୍ଧ୍ର ଉପକୂଳରେ। ସେତେବେଳେ ମାଡ଼ ହୋଇପାରେ ୧୫୦ କିଲୋମିଟର ବେଗରେ ପବନ। ଏଭଳି ଭୟାନକ ଆକଳନ ଦେଖାଇଛତି ବିଭିନ୍ନ ଆନ୍ତର୍ଜାତିକ ପାଣିପାଗ ମଡେଲ୍।

ଇସିଏମଡବଲୁଏଫ୍ ଏବଂ ଜିଏଫଏସ୍ ପକ୍ଷରୁ ଜାରି କରାଯାଇଥିବା ତାଜା ପୂର୍ବାନୁମାନରେ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳରେ ମାଡ଼ ହେବା ସମ୍ଭାବନା ରହିଛି। ସିଧା ମାଡ଼ ନ ହେଲେ ବି ଓଡ଼ିଶା ପ୍ରଭାବିତ ହେବା ଆଶଙ୍କା ରହିଛି। ବିଶେଷ କରି ଦକ୍ଷିଣ ଓଡ଼ିଶା,ଉପକୂଳବର୍ତ୍ତୀ ଅଞ୍ଚଳରେ ପବନ ସହ ପ୍ରବଳ ବର୍ଷା ହୋଇପାରେ।

Also Read :- ପାଟଣାର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକଙ୍କ ପରଲୋକ, ୭୯ ବର୍ଷ ବୟସରେ ଆଖି ବୁଜିଲେ

ଇତିମଧ୍ୟରେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ( ଆଇଏମଡି) ସମ୍ଭାବ୍ୟ ବାତ୍ୟାର ସଙ୍କେତ ଦେଖାଇଛି। ଆଇଏମଡି ବୁଲେଟିନରେ କୁହାଯାଇଛି,ଦକ୍ଷିଣ-ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ରହିଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମରେ ଗତି କରି ୨୩ ତାରିଖ (ଶୁକ୍ରବାର) ଲଘୁଚାପ ରୂପ ନେବ । ଆଗକୁ ଅଧିକ ଘନୀଭୂତ ହୋଇପାରେ। ଦୁଇ ସପ୍ତାହ ପାଇଁ ଆଇଏମଡି ଜାରି କରିଥିବା ବିସ୍ତାରିତ ପୂର୍ବାନୁମାନ ଅନୁସାରେ ୨୫ ତାରିଖ ସକାଳ ସୁଦ୍ଧା ଏହା ଅବପାତ ହେବ । ପଶ୍ଚିମ-ଉତ୍ତର ପଶ୍ଚିମରେ ଗତି କରି ପରବର୍ତ୍ତୀ ୩ ଦିନ ଭିତରେ ଆହୁରି ଅଧିକ ଶକ୍ତିଶାଳୀ ହୋଇପାରେ। ୨୬ ତାରିଖବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ପାଖ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୭୦-୮୦ କିମି ବେଗରେ ପବନ ବହିପାରେ । ଝଟକା ପବନ ୯୦ କିମି ପର୍ଯ୍ୟନ୍ତ ଛୁଇଁପାରେ। ୨୮ ତାରିଖ ସକାଳ ପର୍ଯ୍ୟନ୍ତ ଏହାର ବଳ ବୃଦ୍ଧି ପାଇପାରେ।

ଆଇଏମଡି ପୂର୍ବାନୁମାନରେ ବାତ୍ୟା ବା ସାଇକ୍ଟୋନ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇନାହିଁ। କିନ୍ତୁ,ପୂର୍ବାନୁମାନରୁ ସ୍ପଷ୍ଟ ସଙ୍କେତ ମିଳୁଛି,ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ଅଛି । କାରଣ ଘଣ୍ଟା ପ୍ରତି ୬୨ କିମିରୁ ଅଧିକ ପବନ ହେଲେ ତାହା ବାତ୍ୟା ଶ୍ରେଣୀଭୁକ୍ତ ହୋଇଥାଏ। ୮୮ କିମିରୁ ୧୧୭ କିମି ପବନ ହେଲେ ତାହା ଭୀଷଣ ବାତ୍ୟା କୁହାଯାଏ। ୧୧୮ କିମିରୁ ୧୬୫ କିମି ପବନ ବହିଲେ ଏହାକୁ ଅତି ଭୀଷଣ ବାତ୍ୟା କୁହାଯିବ।

ଆଇଏମଡି ବିସ୍ତାରିତ ସୂଚନା ଅନୁସାରେ ସମ୍ଭାବ୍ୟ ସିଷ୍ଟମ ପ୍ରଭାବରେ ଓଡ଼ିଶା ଏବଂ ଆନ୍ଧ୍ରରେ ପ୍ରବଳ ବର୍ଷା ହୋଇପାରେ। ଓଡ଼ିଶାରେ ୨୬ରୁ ୨୮ ଏବଂ ଆନ୍ଧ୍ରରେ ୨୫ରୁ ୨୮ ବର୍ଷା ସମ୍ଭାବନା ଅଛି। ଓଡ଼ିଶାରେ ୨୭ ଓ ୨୮ରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୨୩ ସନ୍ଧ୍ୟାରୁ ସମୁଦ୍ର ଅଶାନ୍ତ ରହିପାରେ। ତେବେ ୩୧ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି। ସମ୍ଭବତଃ ଏହା ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ବଢ଼ିପାରେ।

ଇସିଏମଡବଲୁଏଫ ଆକଳନ କରିଛି,୨୮ ତାରିଖ ସକାଳେ ଆନ୍ଧ୍ରର କାକିନାଡା ତଳକୁ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିପାରେ। ଜିଏଫଏସ୍ ପୂର୍ବାନୁମାନ ହେଲା-ଶ୍ରୀକାକୁଲମ ଓ ଗୋପାଳପୁର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ। ଲ୍ୟାଣ୍ଡଫଲ୍ ସମୟରେ ୧୫୦ କିମି ବେଗରେ ପବନ ବହିପାରେ। ସିଏମସି ମଡେଲ୍ ଅନୁସାରେ ଦକ୍ଷିଣ ଓଡ଼ିଶାର ଗୋପାଳପୁର ପାଖରେ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗକୁ ପଶିପାରେ।

ବିଶେଷଜ୍ଞଙ୍କ କହିବାନୁସାରେ ୨୩ରେ ଲଘୁଚାପ,୨୪ ସନ୍ଧ୍ୟା ସୁଦ୍ଧା ଅବପାତ ଓ ୨୫ ତାରିଖ ଅପରାହ୍ନବେଳକୁ ଏହା ବାତ୍ୟା ରୂପ ନେଇପାରେ। ତ୍ବରିତ ଗତିରେ ଏହା ଶକ୍ତିଶାଳୀ ହେବ। ୨୭ ତାରିଖ ସକାଳବେଳକୁ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ସେତେବେଳେ ସମୁଦ୍ର ଭିତରେ ଘଣ୍ଟା ପ୍ରତି ୧୨୦ରୁ ୧୪୫ କିମି ପର୍ଯ୍ୟନ୍ତ ପବନ ପିଟିପାରେ । ୨୮ ତାରିଖରେ ଏହା ଉତ୍ତର ଆନ୍ଧ୍ର ଉପକୂଳ ଛୁଇଁପାରେ। ଯଦି ବିଶାଖାପାଟଣା ପାଖାପାଖି ଲ୍ୟାଣ୍ଡଫଲ୍ ହୁଏ,ତେବେ ଓଡ଼ିଶା ପ୍ରଭାବିତ ହେବା ଆଶଙ୍କା ଅଛି।

ଅନ୍ୟପକ୍ଷରେ ତାମିଲନାଡୁ ଉପକୂଳରେ ଥିବା ଲଘୁଚାପ ଆରବ ସାଗରକୁ ମୁହାଁଇବା ସହ ୨୫ ତାରିଖ ସୁଦ୍ଧା ଦୁର୍ବଳ ହେବା ସମ୍ଭାବନା ଅଛି। ଏହାପରେ ବଙ୍ଗୋପସାଗରରେ ଥିବା ଲଘୁଚାପ ତ୍ବରିତ ଗତିରେ ଘନୀଭୂତ ହେବ। ୨୬ ତାରିଖରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇପାରେ। ୨୭ ରାତିରୁ ଓଡ଼ିଶାରେ ପ୍ରବଳ ବର୍ଷା,ପବନ ଆଶଙ୍କା ଅଛି। ଗଞ୍ଜାମ,ପୁରୀ,ଗଜପତି,ରାୟଗଡ଼ା,ନୟାଗଡ଼,ଖୋର୍ଦ୍ଧା,ଜଗତସିଂହପୁର,କଟକ ବେଶି ପ୍ରଭାବିତ ହୋଇପାରେ । କେତେକ ସ୍ଥାନରେ ୭୫ରୁ ୧୦୦ କିମି ବେଗରେ ପବନ ମାଡ଼ ହେବା ଆଶଙ୍କା ଅଛି।

ଲ୍ୟାଣ୍ଡଫଲ ପରେ ଏହା ଉତ୍ତର-ଉତ୍ତର ପଶ୍ଚିମରେ ଗତି କରି ଓଡ଼ିଶା ଦେଇ ଛତିଶଗଡ଼ ଯାଇପାରେ ମାଲକାନଗିରି,କୋରାପୁଟ,ରାୟଗଡ଼ା,ନବରଙ୍ଗପୁର,କଳାହାଣ୍ଡି,ନୂଆପଡ଼ା,ବଲାଙ୍ଗୀର,ବରଗଡ଼ ଓ ପାର୍ଶ୍ଵବର୍ତ୍ତୀ ଛତିଶଗଡ଼ରେ ୨୭ ଅପରାହ୍ନରୁ ୨୯ ସକାଳ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି। ଏହା କେବଳ ପ୍ରାକ ଆକଳନ । ୨୫ ତାରିଖବେଳକୁ ଚିତ୍ର ସ୍ପଷ୍ଟ ହେବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,ଏଯାଏ ଚିତ୍ର ସ୍ପଷ୍ଟ ହୋଇନାହିଁ। ବିଭିନ୍ନ ମଡେଲ୍ର ପୂର୍ବାନୁମାନ ଉପରେ ନଜର ରଖାଯାଇଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍ଡି) ସହ ନିରନ୍ତର ଯୋଗାଯୋଗ ରଖାଯାଇଛି। ପ୍ରତ୍ୟେକ ସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ତେଣୁ କେହି ବି ଆତଙ୍କିତ ହୁଅନ୍ତୁ ନାହିଁ ।